ତେଜୁଛି ଅଯୋଧ୍ୟା ବିବାଦ, କୋର୍ଟ କିଛି କରିପାରିବ ନାହିଁ: ଶିବସେନା

ରାମ ନୁହନ୍ତି, ଜନତା ବାଛିବେ ସରକାର: ଫାରୁକ୍‌, ସରକାର ଅଧ୍ୟାଦେଶ ଆଣନ୍ତୁ: ବାବା ରା‌ମଦେବ

ନୂଆଦିଲ୍ଲୀ, ଅଯୋଧ୍ୟାରେ ରାମ ମନ୍ଦିର-ବାବ୍ରି ମସ୍‌ଜିଦର ବିବାଦୀୟ ଜମିକୁ ନେଇ ସୁପ୍ରିମ୍‌ କୋର୍ଟ ଶୁଣାଣି ଜାନୁଆରିକୁ ଘୁଞ୍ଚିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ବିଭିନ୍ନ ଦଳର ନେତା ଏହି ପ୍ରସଙ୍ଗରେ ବୟାନ ଦେଉଥିବା ବେଳେ ୨୫ ନଭେମ୍ବରରେ ଶିବସେନାର ଅଯୋଧ୍ୟା ଅଭିଯାନ ପାଇଁ ଜୋର୍‌ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ସରକାର ରାମ ମନ୍ଦିର ପାଇଁ ରାସ୍ତା ସଫା କରିବା ଜରୁରୀ ବୋଲି ଶିବସେନା ନେତା ସଂଜୟ ରାଉତ କହିଛନ୍ତି। ରାମ ମନ୍ଦିର ନିର୍ମାଣ ନେଇ କୋର୍ଟର କୌଣସି ଭୂମିକା ନାହିଁ ଏବଂ କୋର୍ଟ ଏ ବାବଦରେ କିଛି କରିପାରିବ ନାହିଁ ବୋଲି ସେ କହିଛନ୍ତି। ସରକାର ଅଯଥା ବିଳମ୍ବ କରି ଲୋକଙ୍କ ଭାବାବେଗ ସହିତ ଖେଳନ୍ତୁ ନାହିଁ ବୋଲି ରାଉତ କହିଛନ୍ତି। ଅନ୍ୟପକ୍ଷରେ ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା କହିଛନ୍ତି ଯେ ରାମ କିମ୍ବା ଆଲ୍ଲା ଦେଶର ସରକାର ଚୟନ କରବାକୁ ଆସିବେ ନାହିଁ, ଜନସାଧାରଣ ହିଁ ସରକାର ବାଛିବେ। ୨୦୧୯ରେ ଭଗବାନ ଶ୍ରୀରାମଙ୍କ କୃପାରୁ ବିଜେପି ନିର୍ବାଚନ ଜିତିବା ଆଶା ରଖିଛି ବୋଲି ସେ କହିଛନ୍ତି। କର୍ଣ୍ଣାଟକର କଂଗ୍ରେସ ବିଧାୟକ ରୋସନ ବେଗ୍ କହିଛନ୍ତି ଯେ ମୁସ୍‌ଲିମ ରାମ ମନ୍ଦିର ନିର୍ମାଣକୁ ବିରୋଧ କରିବେ ନାହିଁ। ଭାରତରେ ରାମ ମନ୍ଦିର ହେବ ନାହିଁ ତ କ’ଣ ପାକିସ୍ତାନରେ ଏହା ହେବ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ କହିଛନ୍ତି ଯେ ରାମାୟଣରେ ଅଯୋଧ୍ୟା ହିଁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଭୂମି ଭାବେ ଉଲ୍ଲେଖ ରହିଛି। ତେଣୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଜରୁରୀ ବୋଲି ସେ କହିଛନ୍ତି। ସେ ବିଜେପି ସମର୍ଥନରେ ଏଭଳି ବୟାନ ଦେଉଛନ୍ତି ‌କି ବୋଲି ପ୍ରଶ୍ନ କରାଯିବାରୁ ଅପର୍ଣ୍ଣା କହିଛନ୍ତି ଯେ ମୁଁ ବିଜେପି ସହିତ ନାହିଁ, କିନ୍ତୁ ପ୍ରଭୁ ରାମଙ୍କ ସହିତ ରହିଛି। ରାମ ମନ୍ଦିର ନିର୍ମାଣ ପାଇଁ କାହାର ମଧ୍ୟ ଆପତ୍ତି ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବାବା ରାମଦେବ କହିଛନ୍ତି, ସରକାର ଅଧ୍ୟାଦେଶ ଆଣି ରାମ ମନ୍ଦିର ନିର୍ମାଣ କ୍ଷେତ୍ରରେ ରହିଥିବା ସବୁ ପ୍ରତିବନ୍ଧକ ଦୂର କରିବା ଆବଶ୍ୟକ। ଡିସେମ୍ବର ସୁଦ୍ଧା ଯେ କୌଣସି ପରିସ୍ଥିତିରେ ଅଧ୍ୟାଦେଶ ଆଣି କାର୍ଯ୍ୟ ଆରମ୍ଭ କରିବାକୁ ରାମଦେବ କହିଛନ୍ତି।

ସମ୍ବନ୍ଧିତ ଖବର