କେବଳ ଇରାନ ନୁହେଁ ମିଆଁମାରରେ ବି ଭାରତ ନିର୍ମାଣ କରୁଛି ଏକ ବନ୍ଦର

ନୂଆଦିଲ୍ଲୀ : ଭାରତ ମହାସାଗରରେ ଆଧିପତ୍ୟ ପାଇଁ ଚୀନ ଓ ଭାରତ ପରସ୍ପର ମଧ୍ୟରେ ପ୍ରତିଯ଼ୋଗିତାରେ ଚଳାଇଛନ୍ତି  । ଭାରତକୁ ଟାର୍ଗେଟ କରି ଚୀନ ପାକିସ୍ତାନରେ ଗ୍ବାଦର ବନ୍ଦର ସ୍ଥାପନ କରିଛି  । ସେହିପରି ଶ୍ରୀଲଙ୍କାରେ ବି ହାମ୍ବନତୋଟା ବନ୍ଦର ସ୍ଥାପନ କରିଛି । ଭାରତ ବି ପଛରେ ପଡିନାହିଁ । ଭାରତ ଇରାନରେ ଚାବାହାର ବନ୍ଦରକୁ ନିଜ ନିୟନ୍ତ୍ରଣକୁ ଆଣିବା ପରେ ଏବେ ମିଆଁମାରରେ ସିଟବେ ବନ୍ଦର ନିର୍ମାଣ କରୁଛି ।  ପ୍ରାୟ ୫୧୭ କୋଟି ଟଙ୍କାରେ ଏହି ବନ୍ଦର ନିର୍ମାଣ କରିଛି ଭାରତ  । ବେପାରବଣିଜ ପାଇଁ ଏହାକୁ ନିର୍ମାଣ କରିଥିବା ଭାରତ କହୁଥିବାବେଳେ ପ୍ରକୃତରେ ଏହାର ସାମରିକ ଉପଯ଼ୋଗିତା ରହିଥିବା ମନେ କରାଯ଼ାଉଛି  ।

ସୂଚନାଯ଼ୋଗ୍ୟ ଯ଼େ ଭାରତ ଇରାନରେ ଚାବାହାର ବନ୍ଦରକୁ ଏବେ ପରିଚାଳନା କରୁଛି । ଏହି ବନ୍ଦର ଦ୍ୱାରା କେବଳ ଭାରତ, ଇରାନ ନୁହେଁ ଆଫଗାନିସ୍ତାନ ମଧ୍ୟ ବିଶେଷଭାବେ ଉପକୃତ ହେବ । କାରଣ ଏହି ବନ୍ଦର ହେଲେ ଭାରତ ଆଫଗାନିସ୍ତାନ ଓ କେନ୍ଦ୍ର ଏସିଆରେ ସିଧାସଳଖ ପହଞ୍ଚିପାରିବ । ଇରାନରୁ ତୈଳ ଆମଦାନୀ ମଧ୍ୟ ସହଜ ହେବ । ଆଫଗାନିସ୍ତାନ ରପ୍ତାନି ଆମଦାନୀ ପାଇଁ ସବୁବେଳେ ପାକିସ୍ତାନ ଉପରେ ନିର୍ଭର କରୁଥିଲା । କିନ୍ତୁ ଏବେ ଆଉ ପାକିସ୍ତାନ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଏହା ଫଳରେ ଆତଙ୍କବାଦ ବିରୋଧୀ ଲଢେଇରେ ଏହି ତିନି ଦେଶ ଏକାଠି ହୋଇପାରିବେ ।

ନିକଟରେ ଆମେରିକା ମଧ୍ୟ ଇରାନ ଉପରେ ଲଗାଇଥିବା କଟକଣାକୁ ଏହି ବନ୍ଦର ପାଇଁ କୋହଳ କରିଛି । କାରଣ ପାକିସ୍ତାନ ଆମେରିକା ସଂପର୍କ ଖରାପ ହେଉଥିବାବେଳେ ଏହି ବନ୍ଦର ଦେଇ ହିଁ ଆଫଗାନିସ୍ତାନକୁ ପରିବହନ କରିହେବ ।

ସମ୍ବନ୍ଧିତ ଖବର