ଭାରତ- ପାକ୍‌ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହିଁ ହେବ ବାଜପେୟୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି: ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବଦ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ତଥା ତେହେରିକ୍‌- ଇ- ଇନ୍‌ସାନ ପାର୍ଟିର ମୁଖ୍ୟ ଇମ୍ରାନ୍‌ ଖାନ୍‌। ବାଜପେୟୀଙ୍କ ବିୟୋଗରେ ବିଶ୍ୱ ଏକ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞଙ୍କୁ ହରାଇଲା ବୋଲି କହିବା ସହ ଭାରତ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇପାରିଲେ ତାହା ହିଁ ହେବ ବାଜପେୟୀଙ୍କ ଅମର ଆତ୍ମା ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ଇମ୍ରାନ୍‌ ଖାନ୍‌।

ଏକ ବିବୃତିରେ ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ କହିଛନ୍ତି, ଭାରତ- ପାକିସ୍ତାନ ମଧ୍ୟରେ ସଂପର୍କରେ ସୁଧାର ଆଣିବା ଦିଗରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ୟମ ଓ ପ୍ରୟାସ ସଦା ସ୍ମରଣୀୟ ହୋଇ ରହିବ। ଜଣେ ବୈଦେଶିକ ମନ୍ତ୍ରୀ ଭାବେ ଅଟଳ ବିହାରୀ ବାଜପେୟୀ ଭାରତ- ପାକ୍‌ ଚୁକ୍ତିରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିଥିବା ବେଳେ ଜଣେ ପ୍ରଧାନମନ୍ତ୍ରୀ ଭାବେ ବାଜପେୟୀ ସାହାବ ଭାରତ- ପାକ୍‌ ସଂପର୍କରେ ସୁଧାର ଆଣିବା ଦିଗରେ ସବୁବେଳେ କାର୍ଯ୍ୟ କରି ଆସିଥିଲେ ବୋଲି କହହିଛନ୍ତି ଇମ୍ରାନ୍‌।


ବାଜପେୟୀ ସାହାବଙ୍କ ବିୟୋଗରେ ଦକ୍ଷିଣ ଏସିଆ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ସୀମା ଦୁଇପଟରେ ରହିଥିବା ଦୁଇ ଦେଶ ମଧ୍ୟରେ ରାଜନୈତିକ ଭିନ୍ନତା ରହିପାରିଥାଏ; ମାତ୍ର ଉଭୟ ଦେଶ ଶାନ୍ତି ଚାହୁଁଛନ୍ତି। ତେଣୁ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହିଁ ହେବ ସ୍ୱର୍ଗତ ବାଜପେୟୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କହିବା ସହ ବାଜପେୟୀଙ୍କ ବିୟୋଗ ଜନିତ ଦୁଃସମୟରେ ମୁଁ ଭାରତୀୟମାନଙ୍କ ସହ ରହିଛି ବୋଲି କହିଛନ୍ତି ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌।

ସମ୍ବନ୍ଧିତ ଖବର