ପଞ୍ଜାବର ଓ୍ଵାଘା ସୀମାନ୍ତରେ ମିଠା ଦିଆନିଆ କରି ପରସ୍ପରକୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ଭାରତ-ପାକିସ୍ତାନ

ଅଟାରି-ଓ୍ଵାଘା: ସେନା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଏବଂ ପାକିସ୍ତାନୀ ରେଞ୍ଜର୍ସ ବୁଧବାର ଦୀପାବଳି ଅବସରରେ ପଞ୍ଜାବର ଓ୍ଵାଘା ସୀମାସ୍ଥିତ ଗେଟରେ ପାରମ୍ପରିକ ଭାବେ ମିଠା ଆଦାନ-ପ୍ରଦାନ କରି ପରସ୍ପରଙ୍କୁ ଦୀପାବଳି ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏକ ସଦ୍‌ଭାବନାର ନିଦର୍ଶନ ସ୍ବରୂପ ଭାରତ ପାକିସ୍ତାନ ମଧ୍ୟରେ ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ, ଇଦ୍‌, ଦୀପାବଳି ପରି ରାଷ୍ଟ୍ରୀୟ ଓ ଧାର୍ମିକ ଉତ୍ସବରେ ପାରମ୍ପରିକ ଭାବେ ପରସ୍ପରଙ୍କୁ ମିଠା ଦିଆନିଆ ହୋଇଥାଏ।

ପୂର୍ବରୁ ଇଦ୍‌-ଅଲ୍‌-ଆଧା ଏବଂ ୭୨ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏହି ଦୁଇ ଦେଶ ମଧ୍ୟରେ ମିଠା ଦିଆନିଆ ହୋଇଥିଲା।

ମାତ୍ର ଚଳିତବର୍ଷ ଗଣତନ୍ତ୍ର ଦିବସରେ ଏହି ପରମ୍ପରା ଭଙ୍ଗ ହୋଇଥିଲା। ଅସ୍ତ୍ରବିରତି ନୀତି ଉଲଂଘନ ଓ ସୀମା ବିବାଦ ହେତୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଦୁଇ ଦେଶ ମଧ୍ୟରେ ମିଠା ଆଦାନପ୍ରଦାନ ହୋଇ ନ ଥିଲା। ମାତ୍ର ଦୀପାବଳିରେ ସେ ସବୁକୁ ଭୁଲି ମିଠା ଦିଆନିଆ କରିଛନ୍ତି ଦୁଇ ଦେଶ।

ଉରିଠାରେ ଭାରତୀୟ ସେନା ଶିବିର ଉପରେ ପାକିସ୍ତାନ ଆକ୍ରମଣ କରିବା ପରେ ବିବାଦ ଉପୁଜିଥିଲା। ସେହି ବର୍ଷ ଏହି ମିଠା ଦିଆନିଆ ପରମ୍ପରା ଅନୁଷ୍ଠିତ ହୋଇନଥିଲା।

ସମ୍ବନ୍ଧିତ ଖବର