ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ଯୁଦ୍ଧାସ୍ତ୍ରର ସଫଳ ପରୀକ୍ଷା କଲା ଭାରତ, ଟାର୍ଗେଟକୁ ଗୋଡେଇ ଗୋଡେଇ ଧ୍ୱଂସ କରିବ

ନୂଆଦିଲ୍ଲୀ : ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତଥା ବିକଶିତ ବୋମା ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ଯୁଦ୍ଧାସ୍ତ୍ର (SAAW)ର ସଫଳ ପରୀକ୍ଷଣ ରାଜସ୍ଥାନର ଚନ୍ଦନ ରେଞ୍ଜର ଆଇଏଏଫ ଏୟାରକ୍ରାଫ୍ଟରୁ କରାଯାଇଛି । ଏହି ଯୁଦ୍ଧାସ୍ତ୍ର ପ୍ରକ୍ରିୟାରେ ଲାଇଭ ୱାରହେଡ ଲଗାଯାଇଥିଲା ଏବଂ ଏହା ଲକ୍ଷ୍ୟସ୍ଥଳକୁ ସଫଳତାର ସହ ଭେଦ କରିଥିଲା । ଏହି ପରୀକ୍ଷଣର ସମସ୍ତ ଗତିବିଧିକୁ ଟେଲିମେଟ୍ରି ଏବଂ ଟ୍ରାକିଂ ସିଷ୍ଟମ ଆୟତ କରିଥିଲା । ପ୍ରେସିସନ ନାଭିଗେସନର ବ୍ୟବହାର ଦ୍ୱାରା ବିବିଧ ଗ୍ରାଉଣ୍ଡ ଟାର୍ଗେଟକୁ ଧ୍ୱଂସ କରିବାରେ ଏହି ଯୁଦ୍ଧାସ୍ତ୍ର ସକ୍ଷମ । ପ୍ରାୟ ୧୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଯୁଦ୍ଧାସ୍ତ୍ର ଏକ ଗାଇଡେଡ୍ ବୋମା ଯାହାକି ଅତି ସଠିକତାର ସହ ଶତ୍ରୁପକ୍ଷର ବଙ୍କର, ବିମାନଘାଟିକୁ ଉଡାଇପାରିବ ।

ଅଗଷ୍ଟ ୧୬ରୁ ୧୮ ମଧ୍ୟରେ ବିଭିନ୍ନ ସର୍ତ୍ତରେ ମୋଟ ଉପରେ ୩ଟି ପରୀକ୍ଷଣ କରାଯାଇଥିଲା ଏବଂ ସମସ୍ତ ଉଦ୍ଦେଶ୍ୟ ହାସଲ କରାଯାଇଥିଲା । ଏପର୍ଯ୍ୟନ୍ତ ବିକାଶ ପର୍ଯ୍ୟାୟରେ ଏହି ଯୁଦ୍ଧାସ୍ତ୍ରର ୮ଟି ପରୀକ୍ଷଣ କରାଯାଇଛି ଏବଂ ବିବିଧ ଉତକ୍ଷେପଣ ସର୍ତ୍ତାବଳୀ ଅନ୍ତର୍ଗତ ବିଭିନ୍ନ ରେଞ୍ଜରୁ ଏହି ପରୀକ୍ଷଣର ପ୍ରଦର୍ଶନ କରାଯାଇଛି । ଡିଆରଡିଓ, ହାଲ ଏବଂ ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ରହିବା ସହ ପରୀକ୍ଷଣକୁ ଦେଖିଥିଲେ । ଦେଶର ସୁରକ୍ଷା ସାମର୍ଥ୍ୟକୁ ଅଧିକ ସଶକ୍ତ କରିବା ନେଇ ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଡିଆରଡିଓ, ଆଇଏଏଫ ଏବଂ ହାଲକୁ ଅଭିନନ୍ଦନ ଜଣାଇଥିଲେ ।

ସମ୍ବନ୍ଧିତ ଖବର