ନଭେମ୍ବରରେ ସାଉଦି ଆରବରୁ ଅତିରିକ୍ତ ୪ ନିୟୁତ ବ୍ୟାରେଲ ତେଲ କିଣିବ ଭାରତ !

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୪ରୁ ଇରାନରୁ ତେଲ କ୍ରୟ ଉପରେ ଆମେରିକା କଟକଣା ଲଗାଇବ। ଅର୍ଥାତ ଆମେରିକୀୟ ବ୍ୟାଙ୍କମାନେ ଡଲାର ଉପଲବ୍ଧ କରାଇବେ ନାହିଁ । ଏହା ଦ୍ୱାରା ଇରାନରୁ ଭାରତ କିଣୁଥିବା ଶସ୍ତା ତେଲ ଆମଦାନୀ ହ୍ରାସ ପାଇବ । ଯଦିଓ ଭାରତ ଇରାନରୁ ତେଲ କିଣିବା ଅବ୍ୟାହତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ଆଗକୁ କେଉଁ କେଉଁ ସମସ୍ୟା ଅସିବ ତାହା ଏବେଠାରୁ କହିବା କଷ୍ଟକର । ଏଣୁ ସାଉଦି ଆରବରୁ ତେଲ ଆମଦାନୀ ବୃଦ୍ଧି କରିବା ପାଇଁ ଭାରତ ନିଷ୍ପତ୍ତି ନେଇଛି । ନଭେମ୍ବରରେ ସାଉଦିରୁ ଅତିରିକ୍ତ ୪ ନିୟୁତ ବ୍ୟାରେଲ ଆମଦାନୀ ପାଇଁ ଭାରତ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ସାଉଦି ଆରବ ଏବେ ବିଶ୍ୱର ବୃହତମ ତୈଳ ରପ୍ତାନିକାରୀ ଦେଶର ମାନ୍ୟତା ପାଇଛି ।
ଭାରତ ନିଜ ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନରୁ ଆମଦାନୀ କରିଥାଏ । ଇରାନ ଭାରତକୁ ରିହାତି ଦରରେ ତେଲ ଯୋଗାଇଥାଏ । ତିନିବର୍ଷ ପୂର୍ବେ ଇରାନ ଉପରେ ଆମେରିକା ଲଗାଇଥିବା କଟକଣା ଉଠାଇବା ପର୍ଯ୍ୟନ୍ତ ଭାରତ ଟଙ୍କା ଓ ୟୁରୋ ବିନିମୟରେ ଇରାନରୁ ତେଲ କିଣୁଥିଲା । କିନ୍ତୁ କଟକଣା ଲାଗିବା ପରେ ଭାରତ କ୍ଷତି ସହିବାର ଆଶଙ୍କା କରୁଛି ।

ସମ୍ବନ୍ଧିତ ଖବର