ବାଂଲାଦେଶର ପ୍ରଥମ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନରେ ସାହାଯ୍ୟ କରିବେ ଭାରତ, ଋଷିଆ

ନୂଆଦିଲ୍ଲୀ : ବେସାମରିକ ପରମାଣୁ ଶକ୍ତି ସହାୟତା କ୍ଷେତ୍ରରେ ଭାରତ ପ୍ରଥମ ଥର ପାଇଁ ଏକ ତ୍ରିପାକ୍ଷିକ ଚୁକ୍ତି କରିଛି । ଗୁରୁବାରଦିନ ଭାରତ ନିଜର ପୁରୁଣା ସହଯୋଗୀ ଋଷିଆ ଓ ବାଂଲାଦେଶ ସହିତ ଏହି ତ୍ରିପାକ୍ଷିକ ଚୁକ୍ତି କରିଛି । ଏହି ଚୁକ୍ତି ଅନୁଯାୟୀ ଭାରତ ସରକାରଙ୍କ ଅଧିନସ୍ଥ ସଂସ୍ଥା ନ୍ୟୁକ୍ଲିୟର ପାଓ୍ଵାର କର୍ପୋରେସନ ଅଫ ଇଣ୍ଡିଆ (ଏନପିସିିଆଇଏଲ) ବାଂଲାଦେଶରେ ଏକ ପରମାଣୁ ଶକ୍ତି କେନ୍ଦ୍ର ପ୍ରତିଷ୍ଠା କରିବ । ଏଥିପାଇଁ ଋଷିଆ ପକ୍ଷରୁ ଉପକରଣ ଓ ଜ୍ଞାନକୌଶଳ ଏବଂ କଞ୍ଚାମାଲ ଯୋଗାଇଦେବ ।

ଏହି ଚୁକ୍ତି ଋଷିଆ ରାଜଧାନୀ ମସ୍କୋଠାରେ ଋଷିଆର ପରମାଣୁ ଗବେଷଣା ସଂସ୍ଥା ରୋଷାଟମର ମହା ନିର୍ଦ୍ଦେଶକ ନିକୋଲେ ସ୍ପାସକି, ଋଷରେ ଥିବା ବାଂଲାଦେଶ ରାଷ୍ଟ୍ରଦୂତ ଏସ.ଏମ.ସଇଫୁଲ ହକ୍‌ ଓ ଭାରତୀୟ ରାଷ୍ଟ୍ରଦୂତ ପଂକଜ ସରନ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । ଏହି ପରମାଣୁ କେନ୍ଦ୍ର ସଂପୂର୍ଣ୍ଣ ହେେଲେ ତାହା ହେବ ବାଂଲାଦେଶର ପ୍ରଥମ ପରମାଣୁ ଶକ୍ତି କେନ୍ଦ୍ର । ଏହି ଅବସରରେ ବାଂଲାଦେଶ ପରମାଣୁ ଶକ୍ତି ଆୟୋଗର ପୂର୍ବତନ ସଭାପତି ଅଲି ଜୁଲକାରିନ କହିଛନ୍ତି ଯେ ଋଷିଆ ଓ ଭାରତ ପରମାଣୁ ଶକ୍ତି କ୍ଷେତ୍ରରେ ଅନେକ ଅଗ୍ରଗତି କରିଛନ୍ତି । ବାଂଲାଦେଶ ଏହି ଦୁଇ ଦେଶର ଅଭିଜ୍ଞତାରୁ ଲାଭ ଉଠାଇପାରିବ ।

ସମ୍ବନ୍ଧିତ ଖବର