ନୀରବଙ୍କ ଭଉଣୀ ପୂରବୀଙ୍କ ବିରୋଧରେ ଇଣ୍ଟରପୋଲ ଜାରି କଲା ରେଡ୍‌ କର୍ଣ୍ଣର ନୋଟିସ୍‌

ନୂଆଦିଲ୍ଲୀ: ‘ମନି ଲଣ୍ଡରିଂ’ ମାମଲାରେ ଅଭିଯୁକ୍ତ ଥିବା ଅଭିଯୋଗରେ ଇଣ୍ଟରପୋଲ ପକ୍ଷରୁ ପୂରବୀ ଦୀପକ ମୋଦିଙ୍କ ବିରୋଧରେ ଆଜି (ସୋମବାର) ଏକ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରାଯାଇଥିବା ଜାଣିବାକୁ ମିଳିଛି। ବେଲଜିୟମ୍‌ରେ ରହୁଥିବା ପୂରବୀ ହେଉଛନ୍ତି ନୀରବ ମୋଦିଙ୍କ ଭଉଣୀ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ରୁ ‘ମନି ଲଣ୍ଡରିଂ’ ଜରିଆରେ ଶହ ଶହ କୋଟି ଟଙ୍କା ହଡ଼ପ କରିବା ପରେ ନୀରବ ଏବେ ଦେଶ ଛାଡ଼ି ପଳାତକ ସାଜିଛନ୍ତି।

୪୪ ବର୍ଷ ବୟସ୍କ ପୂରବୀଙ୍କ ବିରୋଧରେ ଇଣ୍ଟରପୋଲ ରେଡ୍‌ କର୍ଣ୍ଣର ନୋଟିସ୍‌ ସହ ଅନ୍ତର୍ଜାତୀୟ ଗିରଫ ପରଓ୍ଵାନା ମଧ୍ୟ ଜାରି କରିଛନ୍ତି। ତେଣୁ, ପୂରବୀ ଏବେ ଯେ କୌଣସି ଦେଶରେ ଆତ୍ମଗୋପନ କରିଥିଲେ ମଧ୍ୟ ସେଠାକାର ପୁଲିସ୍‌ ତାଙ୍କୁ ଗିରଫ କରିପାରିବ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ ଠକେଇରେ ନୀରବଙ୍କ ସହ ପୂରବୀ ମଧ୍ୟ ସଂପୃକ୍ତ ଥିଲେ। ଏହି ଠକେଇ ମାମଲାର ତଦନ୍ତ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୀରବଙ୍କ ସହ ପୂରବୀଙ୍କ ବିରୋଧରେ ପ୍ରଥମ ଅଭିଯୋଗ ପତ୍ର ଦାଖଲ କରିବା ପରେ ପୂରବୀଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ସହ ଅନ୍ତର୍ଜାତୀୟ ଗିରଫ ପରଓ୍ଵାନା ଜାରି କରିବାକୁ ଇଣ୍ଟରପୋଲକୁ ଅନୁରୋଧ କରିଥିଲେ। ଇଡିର ଏହି ଅନୁରୋଧ ପାଇବା ପରେ ଇଣ୍ଟରପୋଲ ପୂରବୀଙ୍କ ଫଟୋ ସହ ତାଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ସହ ଅନ୍ତର୍ଜାତୀୟ ଗିରଫ ପରଓ୍ଵାନା ଜାରି ତାଙ୍କୁ ଦେଖିବା ମାତ୍ରେ ଗିରଫ କରିବା ପାଇଁ ଇଣ୍ଟରପୋଲର ସଦସ୍ୟ ଥିବା ବିଶ୍ୱର ୧୯୨ ରାଷ୍ଟ୍ରକୁ କହିଛନ୍ତି।

ସମ୍ବନ୍ଧିତ ଖବର