କର୍ଣ୍ଣାଟକ ପୌର ନିର୍ବାଚନ:କଂଗ୍ରେସ-ଜେଡିଏସ୍‌ର ବାଜିମାତ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ବିଜେପିକୁ ପୌର ନିର୍ବାଚନରେ ମଧ୍ୟ ନିରାଶ ହେବାକୁ ପଡ଼ିଛି। ରାଜ୍ୟର ୧୦୫ଟି ପୌର ନିଗମ ନିମନ୍ତେ ୨,୭୦୯ ଓ୍ଵାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ସବୁଠୁ ବଡ଼ ଦଳ ଭାବେ ସର୍ବାଧିକ ୯୮୨ ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ବିଜେପିକୁ ୯୨୯ ଆସନ ମିଳିଥିବା ବେଳେ ଜନତା ଦଳ (ସେକ୍ୟୁଲାର୍‌) ୩୭୫ ଆସନରେ ବିଜୟୀ ହୋଇଛି। ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାରେ ୩୨୯ ଆସନ ପଡ଼ିଛି।
ଉଲ୍ଲେଖଯୋଗ୍ୟ, ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାର ଗଠନ କରିଥିବା ବେଳେ ପୌର ନିର୍ବାଚନରେ କିନ୍ତୁ ପୃଥକ୍‌ ଭାବେ ନିର୍ବାଚନ ଲଢ଼ିଛନ୍ତି। ଫଳରେ ପୌର ନିର୍ବାଚନରେ କଂଗ୍ରେସ, ବିଜେପି ଓ ଜେଡିଏସ୍‌ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ରାଜ୍ୟରେ ପୌର ନିର୍ବାଚନ ପାଇଁ ଅଗଷ୍ଟ ୩୧ରେ ଭୋଟ୍‌ ଗ୍ରହଣ ହୋଇଥିଲା ଏବଂ ୬୭.୫ ପ୍ରତିଶତ ମତଦାନ ହୋଇଥିଲା। ରାଜ୍ୟରେ ଥିବା ମୋଟ ୧୦୫ ପୌର ନିଗମ ମଧ୍ୟରେ ୨୯ଟି ସହର ନଗରପାଳିକା ଥିବା ବେଳେ ୫୩ଟି ନଗରପାଳିକା, ୨୩ଟି ନଗର ପଂଚାୟତ, ୧୩୫ଟି କର୍ପୋରେସନ୍‌ ଓ୍ଵାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ମୋଟ ୮,୩୪୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏମାନଙ୍କ ମଧ୍ୟରେ କଂଗ୍ରେସର ୨,୩୦୬, ବିଜେପିର ୨,୨୦୩, ଜେଡିଏସ୍‌ର ୧,୩୯୭ ପ୍ରାର୍ଥୀ ଅନ୍ତର୍ଭୁକ୍ତ। ଏଥର ଇଭିଏମ୍‌ରେ ମତଦାନ ଅନୁଷ୍ଠିତ ହୋଇଥିଲା।
କୌଣସି ଦଳକୁ ସଂଖ୍ୟାଗରିଷ୍ଠ ମିଳିନଥିବାରୁ ବିଜେପିକୁ ଶାସନ କ୍ଷମତା ନଦେବା ପାଇଁ କଂଗ୍ରେସ ଓ ଜେଡିଏସ୍‌ ହାତ ମିଳାଇବେ। ତେଣୁ ନିର୍ବାଚନରେ କଂଗ୍ରେସ-ଜେଡିଏସ୍‌ର ବାଜିମାତ୍‌ ହୋଇଥିବା କୁହାଯାଉଛି। ବିଧାନସଭା ନିର୍ବାଚନରେ ଯେଉଁଭଳି ଭାବେ ଉଭୟ ଦଳ ଏକାଠି ହୋଇ ସରକାର ଗଢ଼ିଥିଲେ, ଏଥର ମଧ୍ୟ ସମାନ ପଦକ୍ଷେପ ନେବେ ବୋଲି ନିଷ୍ପତ୍ତି ହୋଇଛି। ନିର୍ବାଚନ ଫଳ ସଂପର୍କରେ ପ୍ରତିକ୍ରିୟା ରଖି କର୍ଣ୍ଣାଟକର ବିଜେପି ସଭାପତି ବି ଏସ୍‌ ୟେଦ୍ୟୁରପ୍ପା କହିଛନ୍ତି, ରାଜ୍ୟରେ ମେଣ୍ଟ ସରକାର ଶାସନ କରୁଥିବାରୁ ବିଜେପିକୁ ଆଶା ଅନୁସାରେ ଆସନ ମିଳିପାରି ନାହିଁ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ।
କଂଗ୍ରେସ କର୍ମୀଙ୍କ ଉପରକୁ ଏସିଡ୍‌ ମାଡ଼, ୨୫ ଆହତ
ବେଙ୍ଗାଲୁରୁ,୩/୯: କର୍ଣ୍ଣାଟକ ପୌର ନିର୍ବାଚନରେ ସର୍ବାଧିକ ଆସନରେ ବିଜୟୀ ହୋଇଥିବାରୁ କଂଗ୍ରେସର କର୍ମୀମାନେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ଉତ୍ସବ ପାଳନ କରୁଛନ୍ତି। ତେବେ ତୁମ୍‌କୁର ଅଞ୍ଚଳରେ ଦଳର କର୍ମୀମାନେ ଉତ୍ସବ ମନାଉଥିବା ବେଳେ ସେମାନଙ୍କ ଉପରେ ଏସିଡ୍‌ ଆକ୍ରମଣ ହୋଇଛି। ଫଳରେ ୨୫ ଜଣ ଆହତ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଇନାୟତୁଲ୍ଲାହ ଖାନ୍‌ ପୌର ନିର୍ବାଚନରେ ବିଜୟୀ ହେବା ପରେ ତାଙ୍କର ସମର୍ଥକମାନେ ତୁମ୍‌କୁରରେ ଉତ୍ସବ ମନାଇବା ପାଇଁ ଏକାଠି ହୋଇଥିଲେ। ଏହି ସମୟରେ ସେମାନଙ୍କ ଉପରକୁ ଏସିଡ୍‌ ଆକ୍ରମଣ ହୋଇଥିଲା। ଫଳରେ ୨୫ ଜଣ ଆହତ ହୋଇଛନ୍ତି। ତେବେ ଏହି ଆକ୍ରମଣରେ କାହାର ହାତ ରହିଛି ସେ ନେଇ ଏ ପର୍ଯ୍ୟନ୍ତ କୌଣସି ଠୋସ ଖବର ମିଳିନାହିଁ।

ସମ୍ବନ୍ଧିତ ଖବର