କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିକୁ ବିରୋଧ କରୁଥିବା ଦଳର ନେତୃବୃନ୍ଦ

ବିନା କଂଗ୍ରେସ ସମର୍ଥନରେ କୌଣସି ବିଜେପି ବିରୋଧୀ ମେଣ୍ଟ ଗଠନ ସମ୍ଭବ ନୁହେଁ: ଏଚ୍‌ଡି ଦେବେଗୌଡ଼ା

ବେଙ୍ଗାଲୁର: ସଦ୍ୟସମାପ୍ତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ- ଜେଡିଏସ୍‌ ମେଣ୍ଟ ଯେପରି ପୂର୍ବର ସମସ୍ତ ମତାନ୍ତର, ମନାନ୍ତର ଓ ବିଦ୍ୱେଷକୁ ଭୁଲି ଏକ ମନ ଏକ ପ୍ରାଣରେ ମିଳିତ ହୋଇ ଭାରତୀୟ ଜନତା ପାର୍ଟି (ବିଜେପି) ଠାରୁ ଶାସନ କ୍ଷମତା ଛଡ଼ାଇ ଆଣିବାରେ ସମର୍ଥ ହେଲା, ତାହା ଏବେ ଦେଶର ବିଜେପି ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂତନ ଆଶାର ସଂଚାର କରିଛି। ଆଉ ସେଇଟି ହେଉଛି ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ସମସ୍ତ ସମଭାବାପନ୍ନ ଦଳ ଏକାଠି ହେବା ସହ ସାଂପ୍ରଦାୟିକତାବାଦୀ ବିଜେପିକୁ ଶାସନ କ୍ଷମତା ଠାରୁ ଦୂରେଇ ରଖିବା।

ତେବେ, ଦେଶର ବିରୋଧୀ ଦଳଗୁଡ଼ିକ ଏଥିପାଇଁ ଓ ଏହି ଉଦ୍ଦେଶ୍ୟରେ ଏକଜୁଟ ହେଲେ ମଧ୍ୟ କଂଗ୍ରେସର ସାହାଯ୍ୟ, ସହଯୋଗ ଓ ସମର୍ଥନ ବିନା କୌଣସି ପ୍ରକାରର ବିଜେପି ବିରୋଧୀ ମେଣ୍ଟର ଗଠନ ଓ ଏହି ଲକ୍ଷ୍ୟ ହାସଲ ଯେ ସଂପୂର୍ଣ୍ଣ ଅସମ୍ଭବ ବ୍ୟାପାର, ଏକଥା ଏବେ ବେଶ୍‌ ଭଲ ରୂପେ ବୁଝି ସାରିଲେଣି! ତା’ ହୋଇ ନଥିଲେ ପୋଖତ୍‌ ରାଜନେତା, ରାଜନୀତି ମଇଦାନ୍‌ରେ ପୁରୁଣା ଖେଳାଳି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜେଡିଏସ୍‌ ସୁପ୍ରିମୋ ଏଚ୍‌ଡି ଦେବେଗୌଡ଼ା ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହି ନଥାନ୍ତେ ଯେ ବିନା କଂଗ୍ରେସ ସମର୍ଥନରେ କୌଣସି ବିଜେପି ବିରୋଧୀ ମେଣ୍ଟ ଗଠନ ସମ୍ଭବ ନୁହେଁ ବୋଲି।

ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକରେ ନୂତନ କଂଗ୍ରେସ- ଜେଡିଏସ୍‌ ମେଣ୍ଟର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଆୟୋଜିତ ହେବାକୁ ଥିବା ଏଚ୍‌ଡି କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ ଉପଦେଷ୍ଟା ସୋନିଆ ଗାନ୍ଧୀଙ୍କ ସମେତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, ପଡୁଚେରି ଓ ଦିଲ୍ଲୀ ପ୍ରଭୃତି ଅଣ ବିଜେପି ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ, କମ୍ୟୁନିଷ୍ଟ ପାର୍ଟି (ମାର୍କସିଷ୍ଟ) ମହାସଚିବ ସୀତାରାମ ୟେଚୁରୀ ପ୍ରମୁଖ ବେଙ୍ଗାଲୁରୁ ଆସୁଥିବା ଜାଣିବାକୁ ମିଳିଛି। କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ବିଜେପିକୁ ବିରୋଧ କରୁଥିବା ଆସନ୍ତା ୨୦୧୯ ନିର୍ବାଚନରେ ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବାକୁ ଚାହୁଁଥିବା ଦଳର ନେତାମାନେ ଏକତ୍ରିତ ହେବା ସହ ଦେଶବାସୀଙ୍କୁ ଏକ ସଙ୍କେତ ପ୍ରଦାନ ଉଦ୍ଦେଶ୍ୟରେ ଯୋଜନା କରିଥିବା ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି।

ସମ୍ବନ୍ଧିତ ଖବର