ଟ୍ରମ୍ପ୍‌ଙ୍କୁ ଚକ୍‌ମା ଦେଲେ କିମ୍‌

ପରମାଣୁ କାର୍ଯ୍ୟକ୍ରମ ତ୍ୱରାନ୍ଵିତ, ଆମେରିକା ବିବ୍ରତ

ଓ୍ଵାସିଂଟନ : ଉତ୍ତର କୋରିଆ ଓ ଆମେରିକ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାକୁ ଏବେ ବଡ଼ ଝଟ୍‌୍‌କା ଲାଗିଛି। ଉତ୍ତର କୋରିଆକୁ ସଂପୂର୍ଣ୍ଣ ପରମାଣୁ ଅସ୍ତ୍ର ମୁକ୍ତ କରିବା ପାଇଁ ଶାସକ କିମ୍‌୍‌ ଜଙ୍ଗ୍‌ ଉନ୍‌୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ପରିବର୍ତ୍ତେ ଏ ଦିଗରେ ଓଲଟା ପଦକ୍ଷେପ ନେଇ ପରମାଣୁ କାର୍ଯର୍୍ୟକ୍ରମକୁ ତ୍ୱରାନ୍ଵିତ କରିଛନ୍ତି। ଉତ୍ତର କୋରିଆ ପରମାଣୁ ଅସ୍ତ୍ର ନିର୍ମାଣ ପାଇଁ ଇନ୍ଧନ ଉତ୍ପାଦନ ପ୍ରକ୍ରିୟାକୁ ପୂର୍ବାପେକ୍ଷା ଅଧିକ ବ୍ୟାପକ କରିଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ଉତ୍ତର କୋରିଆର ଏଭଳି ଆଚରଣ ବିଶ୍ୱ ସମୁଦାୟକୁ ବିସ୍ମିତ କରିଥିବା ବେଳେ କୋରିଆ ଉପଦ୍ୱୀପ ପୁଣି ଥରେ ଯୁଦ୍ଧ ବଳୟ ଭିତରକୁ ଯିବା ଆଶଙ୍କା ପ୍ରକାଶ ପାଇଲାଣି। ତେବେ ଉତ୍ତର କୋରିଆ ଅଚାନକ ତା’ର ପରମାଣୁ କାର୍ଯ୍ୟକ୍ରମକୁ ଏଭଳି ତ୍ୱରାନ୍ଵିତ କରିନାହିଁ, ଟ୍ରମ୍ପ୍‌ଙ୍କ ସହ ଆଲୋଚନା ପୂର୍ବରୁ ଅତ୍ୟନ୍ତ ଗୁପ୍ତ ଭାବେ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା ଏବଂ ଉତ୍ତର କୋରିଆ ସମସ୍ତଙ୍କୁ ଏ ନେଇ ଅନ୍ଧାରରେ ରଖିଥିଲା। ଉତ୍ତର କୋରିଆର ବ୍ୟାପକ ପରମାଣୁ କାର୍ଯ୍ୟକ୍ରମ ନେଇ ଆମେରିକା ଗୁଇନ୍ଦା ବିଭାଗ ରିପୋର୍ଟ ଦେବାପରେ ଏହାକୁ ଟ୍ରମ୍ପ୍‌ ପ୍ରଶାସନ ଗମ୍ଭୀରତାର ସହ ନେଇଛି। ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଉତ୍ତର କୋରିଆ ତା’ର ପରମାଣୁ କାର୍ଯ୍ୟକ୍ରମ ଯଥାରୀତି ଚାଲୁ ରଖିଥିଲେ ମଧ୍ୟ ଦକ୍ଷିଣ କୋରିଆ ଏହାର ଟେର୍‌ ପାଇନଥିଲା। ଟ୍ରମ୍ପ୍‌ଙ୍କ ସହିତ ଆଲୋଚନା ସମୟରେ ବି ଏଥିରେ କୌଣସି ପରିବର୍ତ୍ତନ ଆସିନଥିଲା ବୋଲି ଜଣାପଡ଼ିଛି। ଏଭଳି ସ୍ଥିତି ଆଗକୁ ଦକ୍ଷିଣ କୋରିଆ ଏବଂ ଜାପାନ ପାଇଁ ମଧ୍ୟ ବଡ଼ ବିପଦର କାରଣ ହେବ ବୋଲି ଜଣେ ଆମେରିକୀୟ ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି। ସିଙ୍ଗାପୁରରେ ଟ୍ରମ୍ପ୍‌-କିମ୍‌ ବୈଠକ ଅତ୍ୟନ୍ତ ସଫଳ ହୋଇଥିବା ଦାବି କରାଯାଇଥିବା ବେଳେ ବାସ୍ତବରେ ଏହାର କୌଣସି ପ୍ରଭାବ ଉତ୍ତର କୋରିଆ ଉପରେ ପଡ଼ିନଥିବା ଜଣାପଡ଼ିଛି।

ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‌ ପୋମ୍ପିଓ ଆଗାମୀ ୬ ଓ ୭ ତାରିଖରେ ଉତ୍ତର କୋରିଆ ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି। ତେବେ ବର୍ତ୍ତମାନର ପରିସ୍ଥିତିରେ ଏହି କାର୍ଯ୍ୟକ୍ରମ ବାତିଲ ହେବା ଆଶଙ୍କା ଦେଖାଦେଇଛି। ଉତ୍ତର କୋରିଆକୁ ନିରସ୍ତ୍ରୀକରଣ କାର୍ଯ୍ୟକ୍ରମରେ ସାମିଲ କରିବା ଏତେ ସହଜ ନୁହେଁ ବୋଲି କୂଟନୈତିକ ବିଶେଷଜ୍ଞମାନେ କହିଛନ୍ତି। ଉତ୍ତର କୋରିଆ ନିକଟରେ ଯେ କୌଣସି ମୁହୂର୍ତ୍ତରେ ଆମେରିକା ଉପରେ ଆକ୍ରମଣ କରିବା ପାଇଁ ସାମର୍ଥ୍ୟ ରହିଛି ଏବଂ ଏହାର ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍‌୍‌ କ୍ଷେପଣାସ୍ତ୍ରର କ୍ଷମତାକୁ ନେଇ କୌଣସି ସନ୍ଦେହ ରହିବା ଉଚିତ ନୁହେଁ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ଉତ୍ତର କୋରିଆ ଚୀନ୍‌ ସହାୟତାରେ ତା’ର ପରମାଣୁ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର