ଟ୍ରମ୍ପଙ୍କ ସହ ଆଲୋଚନା ରଦ୍ଦ କରିବାକୁ ଧମକ

ମତ ବଦଳାଇଲେ କିମ୍‌ ଜଙ୍ଗ୍‌

ପ୍ୟୋଙ୍ଗୟାଙ୍ଗ: ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନଙ୍କ ମାସନିକତା ପୁଣିଥରେ ବଦଳି ଯାଇଥିବା ଜଣାପଡ଼ିଛି। ପରମାଣୁ ନିରସ୍ତ୍ରୀକରଣ ପାଇଁ ଅଧିକ ଚାପ ପ୍ରୟୋଗ କରାଗଲେ, ଉତ୍ତରକୋରିଆ ଟ୍ରମ୍ପ-କିମ୍‌ଙ୍କ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ ରଦ୍ଦ କରିଦେବ ବୋଲି ଆଜି ଧମକ ଦେଇଛି। କେବଳ ଏତିକି ନୁହେଁ ବରଂ ଦୁଇ କୋରିଆ ମଧ୍ୟରେ ଆୟୋଜିତ ହେବାକୁଥବା ବୈଠକକୁ ମଧ୍ୟ ଉତ୍ତରକୋରିଆ ରଦ୍ଦ କରିସାରିଛି। ଆମେରିକା ସହ ବୈଠକକୁ ନେଇ ଉତ୍ତରକୋରିଆ ଅତ୍ୟନ୍ତ ଉତ୍ସାହିତ ରହିଛି।ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଆଭିମୁଖ୍ୟ ପରିବର୍ତ୍ତନ ନକଲେ ଆସନ୍ତା ମାସରେ ସିଙ୍ଗାପୁରରେ ହେବାକୁଥିବା ବୈଠକ ହେବ ନା ନାହିଁ,ସେନେଇ ଚିନ୍ତା କରାଯିବ ବୋଲି ଉତ୍ତରକୋରିଆ ଉପ ବୈଦେଶିକମନ୍ତ୍ରୀ କିମ୍‌ କାଇ ଗ୍ଵାନ କହିଛନ୍ତି। ତେବେ ଆମେରିକାର ସର୍ତ୍ତରେ ରାଜି ହୋଇଥିବା କିମ୍‌ ଜଙ୍ଗଙ୍କୁ ଚୀନ୍‌ ଆର୍ଥିକ ସହାୟତାର ଲୋଭ ଦେଖାଇ ଆମେରିକା ସହ ସମ୍ପର୍କ କ୍ଷୁର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି। ଦୀର୍ଘ ୧୮ ବର୍ଷ ପରେ ଆମରିକା ଓ ଉତ୍ତରକୋରିଆ ଶାସକଙ୍କ ମଧ୍ୟରେ ବୈଠକ ହେବାକୁ ଥିବାରୁ ଏହା ଉପରେ ସାରା ବିଶ୍ୱର ନଜର ରହିଥିଲା। ପରମାଣୁ ପରୀକ୍ଷଣ ନକରିବା ପାଇଁ ଆମେରିକାର ସର୍ତରେ ରାଜି ହେବା ପରେ କିମ୍‌ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଜୁନ ୧୨ରେ ଉଚ୍ଚସ୍ତରୀୟ ବୈଠକ ସିଙ୍ଗାପୁରରେ ହେବ ବୋଲି ଘୋଷଣା କରାଯାଇଥିଲା। ତେବେ ପରମାଣୁ ପରୀକ୍ଷଣ ସ୍ଥଳ ସମ୍ପୂର୍ଣ୍ଣ ଧ୍ୱଂସ କରିବା ସହିତ ଆମେରିକା ପରମାଣୁ ପ୍ରସଙ୍ଗରେ ଅଧିକ ଚାପ କାଉଥିବା ଉତ୍ତରକୋରିଆ କହିଛି।

ସମ୍ବନ୍ଧିତ ଖବର