ସୁପ୍ରିମକୋର୍ଟରେ ମହାନଦୀ ଶୁଣାଣି ଆଜି

ନୂଆଦିଲ୍ଲୀ : ଆସନ୍ତାକାଲି ସୁପ୍ରିମକୋର୍ଟରେ ବିଚାରପତି ଏସ୍‌ ଏ ବବଡ଼େ ଓ ବିଚାରପତି ଏଲ୍‌ ନାଗେଶ୍ୱର ରାରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମହାନଦୀ ଜଳବିବାଦ ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ। ଶୁଣାଣି ପୂର୍ବରୁ ବିବାଦର ସମାଧାନ ପାଇଁ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିବାକୁ ଛତିଶଗଡ଼ ଦାଖଲ କରିଥିବା ଆବେଦନର ଉତ୍ତର ରଖି ରାଜ୍ୟ ସରକାର ଛତିଶଗଡ ମାମଲାକୁ ବିଳମ୍ବ କରୁଛି ଏବଂ ଏହା ଖାରଜ ହେବା ଯୋଗ୍ୟ ବୋଲି କହିଛନ୍ତି। ଛତିଶଗଡ଼ର ଆବେଦନ ଭିତ୍ତିହୀନ ବୋଲି ରାଜ୍ୟ ସରକାର ସତ୍ୟପାଠରେ କହିିଛନ୍ତି।

ଗତ ୧୬ ତାରିଖରେ ଛତିଶଗଡ଼ ସୁପ୍ରିମକୋର୍ଟରେ ମହାନଦୀ ଜଳବିବାଦ ମାମଲାର ସମାଧନ ପାଇଁ ୧୯୮୩ ଏପ୍ରିଲ୍‌ ୨୮ ତାରିଖ ଚୁକ୍ତିନାମାର ସ୍ମାରକପତ୍ର ଅର୍ନ୍ତଗତ ୧୧ ନଂ ଧାରା ଅନୁଯାୟୀ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ପାଇଁ ଆବେଦନ କରିଥିଲା। ଆବେଦନରେ ଓଡ଼ିଶାକୁ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନରେ ସହମତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଛତିଶଗଡ଼ ସରକାର ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆବେଦନରେ ଛତିଶଗଡ଼ ଦ୍ୱାରା ୨୦୧୬ ଡିସେମ୍ବର ୧୨ରେ ଓଡ଼ିିଶା ସରକାରଙ୍କୁ ବୁଝାମଣାର ଧାରା ୧୧ ଅର୍ନ୍ତଗତ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ପାଇଁ ପତ୍ର ଲେଖାଯାଇଥିବା ଉଲ୍ଲେଖ ରହିଛି। ଛତିଶଗଡ଼ ସମସ୍ତ ବିବାଦର ସମାଧାନ ପାଇଁ ଆପୋସ ବୁଝାମଣା ପାଇଁ ସହମତ ଥିବା ବେଳେ ଓଡ଼ିିଶା ଦ୍ୱାରା ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟରେ ଅରିଜିନାଲ ସୁଟ ଦାଖଲ କରିବା ବୁଝାମଣାର ଉଲ୍ଲଂଘନ ବୋଲି ଆବେଦନରେ କୁହାଯାଇଥିଲା।

ଅପରପକ୍ଷେ, ସତ୍ୟପାଠ ଜରିଆରେ ଉତ୍ତର ରଖି ଓଡ଼ିଶା କହିଛି ଯେ ବୁଝାମଣା କେବଳ ଯୁଗ୍ମ ଅନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପ ମଧ୍ୟରେ ସୀମିତ ଥିଲା। ଓଡ଼ିଶା ମହାନଦୀ ଜଳବିବାଦ ସମ୍ପର୍କରେ ଯେଉଁ ଅଭିଯୋଗ ପିଟିସନ ୨୦୧୬ ନଭେମ୍ବର ୧୯ରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଥିଲା ତାହା ଉପରୋକ୍ତ ପ୍ରସଙ୍ଗର ଅଂଶ ବିଶେଷ ନଥିଲା ବୋଲି ରାଜ୍ୟ ସରକାର ଜବାବରେ କହିଛନ୍ତି। ରାଜ୍ୟ ସରକାର ଦାଖଲ କରିଥିବା ପିଟିସନ୍‌ରେ ଜଳବିବାଦକୁ ନେଇ ହୀରାକୁଦ ଡ୍ୟମର ବ୍ୟାକଓ୍ଵାଟର ଅଧ୍ୟୟନ ସମ୍ବନ୍ଧିତ ନୁହେଁ ବରଂ ମହାନଦୀ ଜଳର ଗତି ପରିବର୍ତ୍ତନ ସମ୍ପର୍କରେ ଅଭିଯୋଗ କରାଯାଇଛି।

ଜଳବଣ୍ଟନକୁ ନେଇ ବିବାଦ ହୋଇଥିବା ବେଳେ ବ୍ୟାକ ଓ୍ଵାଟର ଅଧ୍ୟୟନ ସମ୍ପର୍କରେ କଛିି କରିବାର ନଥିଲା ବୋଲି ସତ୍ୟପାଠରେ କୁହାଯାଇଛି। ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଯାହା ଏପର୍ଯ୍ୟନ୍ତ ଗଠନ କରାଯାଇନାହିଁ ୧୯୮୩ର ବୁଝାମଣା ଅର୍ନ୍ତଗତ ଏହାର ସୀମିତ ବିଧିସଂଗତ ଅଞ୍ଚଳରେ କେବଳ ୪ଟି ଯୁଗ୍ମ ପ୍ରକଳ୍ପରେ ସୀମିତ ରହିଛି। ବୁଝାମଣାର ଧାରା ୧୧କୁ ନେଇ ଛତିଶଗଡ କେବଳ ଭ୍ରମ ସୃଷ୍ଟି କରୁଛିି। ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ଆଳରେ କେବଳ ଟ୍ରିବ୍ୟୁନାଲ ଗଠନର ସାମ୍ବିଧାନିକ ଅଧିକାର ଯାହା ୧୯୫୬ର ଅନ୍ତଃନଦୀ ଜଳ ବିବାଦ ଆଇନ ଅର୍ନ୍ତଗତ ରିମେଡି ରୂପେ ଉପଲବ୍ଧ ଅଛି ତାହାକୁ କେହି ରୋକିପାରିବେ ନାହିଁ ବୋଲି ରାଜ୍ୟ ସରକାର ସତ୍ୟପାଠରେ ସ୍ପଷ୍ଟ କରିଛନ୍ତି।

ଅପରପକ୍ଷେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ କେ ବେଣୁୁଗୋପାଳ ଆସନ୍ତାକାଲି ପୁଣିଥରେ ୨ ପକ୍ଷର ଆଲୋଚନା ଜରିଆରେ ବିବାଦର ସମାଧାନ ନେଇ ଯୁକ୍ତି ଉପସ୍ଥାପନ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ସ୍ୱତନ୍ତ୍ର ମହାନଦୀ ଟ୍ରିବ୍ୟୁନାଲ ପରିବର୍ତ୍ତେ ସମସ୍ତ ନଦୀଜଳ ବିବାଦର ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ଗଠନ ପାଇଁ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମଧ୍ୟ ସେ ଖଣ୍ଡପୀଠକୁ ଅବଗତ କରାଇ ପାରନ୍ତି ବୋଲି ସମ୍ଭାବନା ରହିଛି। ଟ୍ରିବ୍ୟୁନାଲ ବିନା ମହାନଦୀ ବିବାଦର ସମାଧାନ ହେବ ନାହିଁ ଏହି ମର୍ମରେ ନିଜର ଓକିଲ ମାନଙ୍କ ସହ ଓଡିଶା ଖଣ୍ଡପୀଠରେ ଜୋରସୋରରେ ଯୁକ୍ତି ଉପସ୍ଥାପନା କରିବେ ବୋଲି ଜଣାପଡ଼ିିଛି।

ସମ୍ବନ୍ଧିତ ଖବର