ଲକଡାଉନ ବେଳେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଧାର୍ମିକ ସମାବେଶ, ୩୦୦ ଲୋକଙ୍କୁ ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ : ସାରା ଦେଶରେ ଲକଡାଉନ ଚାଲିଥିବାବେଳେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ କିଛି ଦିନ ତଳେ ହୋଇଥିବା ଏକ ଧାର୍ମିକ ସମାରୋହ ଯୋଗୁଁ ଉକ୍ତ ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଦେଖାଦେଇଛି । ପୁଲିସର ବିନା ଅନୁମତିରେ ଏକ ମସଜିଦରେ ହୋଇଥିବା ଏହି ଧାର୍ମିକ ସମାବେଶରେ ପ୍ରାୟ ୧୨ ଶହରୁ ଅଧିକ ଲୋକ ଯୋଗ ଦେଇଥିଲେ ଓ ସେମାନଙ୍କ ମଧ୍ୟରେ କିଛି ବିଦେଶୀ ଲୋକ ମଧ୍ୟ ଥିଲେ । ପ୍ରାୟ ୩ଶହ ଲୋକଙ୍କ ଶରୀରରେ ଏବେ କରୋନା ସଂକ୍ରମଣର ଲକ୍ଷଣ ଦେଖାଦେଇଛି । ଫଳରେ ପୁଲିସ ପକ୍ଷରୁ ଉକ୍ତ ଅଞ୍ଚଳକୁ ସିଲ କରାଯିବା ସହ ଲୋକମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ଏହା ସହିତ ଉକ୍ତ ସମାରୋହରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ହସପିଟାଲରେ ଆଇସୋଲେସନରେ ରଖାଯାଇଛି । ଏହି ଅଞ୍ଚଳ ଉପରେ ଡ୍ରୋନ ମାଧ୍ୟମରେ ନଜର ରଖାଯାଉଛି ।

ଅନ୍ୟପକ୍ଷରେ ନିଜାମୁଦ୍ଦିନ ମରକାଜର ମୁଖପାତ୍ର ଡ.ମହମ୍ମଦ ସୋଏବ କହିଛନ୍ତି ଯେ ଉକ୍ତ ଅଞ୍ଚଳର କିଛି ଲୋକଙ୍କୁ ଜ୍ୱର ଓ ଥଣ୍ଡା ଦେଖାଯିବା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଲୋକ କରୋନା ପଜିଟିଭ ବାହାରି ନାହାନ୍ତି । ତେବେ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକମାନଙ୍କ ତାଲିକା ସ୍ୱାସ୍ଥ୍ୟ ବିଭାଗକୁ ଦିଆଯାଇଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସପ୍ତାହରେ କଠୋର ପଦକ୍ଷେପ ନେଇ ସାରା ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ଯୋଗାଣ ଜାରି ରହିବ ।

ସମ୍ବନ୍ଧିତ ଖବର