ମତଦାନ ବେଳେ ମୋଦିଙ୍କ ‘ରୋଡ୍‌ ସୋ’

ଅହମଦାବାଦ୍‌: ଗୁଜରାଟରେ ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ବି ଆଚରଣବିଧି ଉଲ୍ଲଂଘନ ମାମଲା ବଡ଼ ଧରଣର ବିବାଦ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାବରମତିରେ ମତଦାନ କରିବାପରେ ଉପସ୍ଥିତ ଜନତାଙ୍କ ଅଭିବାଦନ ଗ୍ରହଣ କରିବା ପାଇଁ କିଛି ରାସ୍ତା ଖୋଲା ଗାଡ଼ିରେ ଯାଇଥିଲେ। ଏହା ଏକ ‘ରୋଡ୍‌ ସୋ’ର ରୂପ ନେଇଥିବାରୁ କଂଗ୍ରେସ ଏହାକୁ ଜୋର୍‌ଦାର ବିରୋଧ କରିଛି। ମୋଦି ଆଚରଣ ବିଧି ଉଲ୍ଲଂଘନ କରି ନିର୍ବାଚନ ଚାଲିଥିବା ସମୟରେ ‘ରୋଡ୍‌ ସୋ’ କରିଥିଲେ ମଧ୍ୟ ନିର୍ବାଚନ କମିସନ ଏ ବାବଦରେ ଆଖି ବୁଜି ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଗତକାଲି ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବାପରେ ଏହାକୁ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ଦର୍ଶାଇ କମିସନ ସମ୍ପୃକ୍ତ ଚ୍ୟାନେଲ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେବା ସହ ରାହୁଲଙ୍କୁ ନୋଟିସ ଜାରି କରିଛନ୍ତି । ତେବେ ଆଜି ମୋଦିଙ୍କ ‘ରୋଡ୍‌ସୋ’କୁ ନେଇ କମିସନ କିପରି ନିରବ ରହିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି। ନିର୍ବାଚନ କମିସନ ବିଜେପି ଏବଂ କଂଗ୍ରେସ ପାଇଁ ଭିନ୍ନ ଭିନ୍ନ ମାପଦଣ୍ଡରେ କାମ କରୁଛନ୍ତି। କମିସନ ବିଜେପିର ସଖି କଣ୍ଢେଇ ଭଳି କାମ କରୁଛନ୍ତି ଏବଂ ଏହା ସାମ୍ବିଧାନିକ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଯେବାଲା କହିଛନ୍ତି। କଂଗ୍ରେସ ମଧ୍ୟ ଅହମଦାବାଦ୍‌ରେ ନିର୍ବାଚନ କମିସନଙ୍କ ନିକଟରେ ମୋଦିଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛି। କଂଗ୍ରେସ ପ୍ରବକ୍ତା ସୁର୍ଯେବାଲା ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିସନର ତାଙ୍କ ସାମ୍ବିଧାନିକ ଦାୟିତ୍ୱ ଛାଡ଼ି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭଳି କାମ କରୁଛନ୍ତି।

ବରିଷ୍ଠ କଂଗ୍ରେସ ନେତା ଚିଦମ୍ବରମ କହିଛନ୍ତି ମୋଦି ନିର୍ବାଚନ ଦିନ ହିଁ ପୂର୍ଣ୍ଣମାତ୍ରାରେ ନିର୍ବାଚନ ପ୍ରଚାର କରିଛନ୍ତି ଯାହାକି ଆଇନର ଖୋଲା ଉଲ୍ଲଂଘନ। ନିର୍ବାଚନ କମିସନ ନିଜର ଦାୟିତ୍ୱ ଠିକ୍‌ ରୂପେ ତଦାରଖ ନକରି ଶୋଇ ରହିଛନ୍ତି ବୋଲି ଚିଦମ୍ବରମ କଡ଼ା ସମାଲୋଚନା କରିଛନ୍ତି।

୬୮ ପ୍ରତିଶତ ମତଦାନ

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଆଜି ଶେଷ ହୋଇଛି। ନାନା ବିବାଦ ମଧ୍ୟରେ ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ସମ୍ପନ୍ନ ହୋଇଥିବା ବେଳେ ୬୮ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଉତ୍ତର ଏବଂ କେନ୍ଦ୍ରୀୟ ଗୁଜରାଟରେ ୯୩ଟି ଆସନ ଲାଗି ଆଜି ହୋଇଥିବା ନିର୍ବାଚନରେ ୮୫୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌୍‌ରେ ବନ୍ଦ ହୋଇଯାଇଛି।

ଦୀର୍ଘ ୨୨ ବର୍ଷ ଧରି ଗୁଜରାଟରେ ଶାସନରେ ରହିଥିବା ବିଜେପି ଲାଗି ଚଳିତ ନିର୍ବାଚନ ବେଶ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଛି। ଚଳିତ ଥରର ନିର୍ବାଚନ ମୋଦିଙ୍କ ଲାଗି ସମ୍ମାନର ପ୍ରଶ୍ନ ହୋଇଥିବାବେଳେ କଂଗ୍ରେସ ଲାଗି ମଧ୍ୟ ଏହା ଏକ କଡ଼ା ପରୀକ୍ଷା। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରି ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଥିଲା। ସମୁଦାୟ ୧୪,୫୨୩ ସ୍ଥାନରେ ୨୪,୫୭୫ ମତଦାନ କେନ୍ଦ୍ର ରହିଥିଲା। ମୋଦିଙ୍କ ‘ରୋଡ୍‌ ସୋ’କୁ ନେଇ ଆଜି କଂଗ୍ରେସ ଏବଂ ବିଜେପି ମଧ୍ୟରେ ବାକ୍‌ ଯୁଦ୍ଧ ତୀବ୍ର ରୂପ ନେଇଛି। ଭଦୋଦରାର ସାଭଲି ନିର୍ବାଚନ ମଣ୍ଡଳୀରେ ଆଜି ସାମ୍ପ୍ରଦାୟିକ ଉତ୍ତେଜନା ହେତୁ କିଛି ସମୟ ପାଇଁ ମତଦାନ ବନ୍ଦ ରହିଥିଲା। କିନ୍ତୁ ସୁରକ୍ଷା କର୍ମୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିନେଇଥିଲେ। ପ୍ରମୁଖ ମତଦାତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାବରମତିରେ ମତଦାନ କରିଥିବାବେଳେ,ମୋଦିଙ୍କ ମା’ ହୀରାବେନ୍‌ ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ରାଜ୍ୟ କଂଗ୍ରେସ ମୁଖ୍ୟ ଭରତସିଂହ ସୋଲାଙ୍କି ଏବଂ ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ ପ୍ରମୁଖ ନିଜ ନିଜ ବୁଥ୍‌ରେ ଭୋଟ୍‌ ଦେଇଛନ୍ତି।

ସମ୍ବନ୍ଧିତ ଖବର