ମୋଦୀଙ୍କ ହେଲିକପ୍ଟର ଯାଞ୍ଚ ମାମଲା: ମୋହସିନଙ୍କ ଉପରୁ ନିଲମ୍ବନ ହଟିଲା

ଟ୍ରିବୁନାଲଙ୍କ ରୋକ୍ ପରେ ନରମିଲେ କମିସନ

ବେଙ୍ଗାଲୁରୁ: ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟର ଯାଞ୍ଚ କରିଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ମହମ୍ମଦ ମୋହସିନଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇ ନେଇଛନ୍ତି ନିର୍ବାଚନ କମିସନ। ତାଙ୍କ ନିଲମ୍ବନ ଆଦେଶ ଉପରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ (କ୍ୟାଟ୍) ରୋକ୍ ଲଗାଇବା ପରେ କମିସନ ଆଜି ରାତିରେ‌ ଏହି ପଦକ୍ଷେପ ନେଇଛନ୍ତି। କର୍ଣ୍ଣାଟକ ସରକାରଙ୍କୁ ରିପୋର୍ଟ କରିବା ଲାଗି ମୋହସିନଙ୍କୁ କମିସନ ନିର୍ଦେଶ ଦେଇଛନ୍ତି। ଏହାପୂର୍ବରୁ ଆଜି ଟ୍ରିବୁନାଲ ମୋହସିନଙ୍କ ନିଲମ୍ବନ ଉପରେ ରୋକ୍ ଲଗାଇ କହିଥି‌େଲ ଯେ ସ୍ବତନ୍ତ୍ର ନିରାପତ୍ତା ଗ୍ରୁପ୍ ବା ଏସପିଜି ସୁରକ୍ଷା ପାଉଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ସୁରକ୍ଷା ମିଳିବା ଉଚିତ। କିନ୍ତୁ ସେମାନଙ୍କୁ ସବୁ ମାମଲାରୁ ସୁରକ୍ଷା ମିଳିବା ଉଚିତ ବୋଲି କହିବା ଠିକ୍ ନୁହେଁ। ଆଇନ ବ୍ୟବସ୍ଥାକୁ ମଧ୍ୟ ସମ୍ମାନ ଦିଆଯିବା ଉଚିତ। ଟ୍ରିବୁନାଲ ତାଙ୍କ ଆାଦେଶରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ବ‌‌ାମୀଙ୍କ କଥା ଉ‌ଲ୍ଲେ୍ଖ କରିଛନ୍ତି। କହିଛନ୍ତି ଯେ କୁମାରସ୍ବାମୀଙ୍କ ଗାଡ଼ି ଏକାଧିକ ଥର ନିର୍ବାଚନ କମିସନ ଯାଞ୍ଚ କରିଛନ୍ତି। ସେହିପରି ନବୀନ ପଟ୍ଟନାୟକଙ୍କ ହେଲିକପଟରର ମଧ୍ୟ ଯାଞ୍ଚ ହୋଇଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ଟ୍ରିବୁନାଲରେ ଏହି ମାମଲାର ଶୁଣାଣି ବେଳେ ମହମ୍ମଦ ମୋହସିନଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ କିଛି ଦିନ ତଳେ କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀଙ୍କ ହେଲିକପଟରରୁ ଏକ ବଡ଼ ପ୍ୟାକେଟକୁ ଓହ୍ଲାଇ ସନ୍ଦେହଜନକ ଅବସ୍ଥାରେ ଅନ୍ୟ ଗାଡ଼ିରେ ଚାଲାଣ କରାଯାଇଥିଲା। ଏହାକୁ ନେଇ ଅଭିଯୋଗ ଉଠିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଶୁଣିବା ପରେ ଟ୍ରିବୁନାଲ କହିଥିଲେ ‌େଯ ଏସପିଜି ସୁରକ୍ଷା ପାଉଥିବା ବ୍ୟକ୍ତିଙ୍କୁ କେତେକ ନିର୍ଦିଷ୍ଟ ସମୟରେ କିଛି ନିର୍ଦିଷ୍ଟ ଯାଞ୍ଚ କରାଯାଇପାରିବ ନାହିଁ ବୋଲି ସର୍କୁଲାର ରହିଛି। ଆମେ ବିସ୍ତୃତ ଭାବେ ଏହା ଭିତରକୁ ଯିବାକୁ ଚାହୁନାହୁଁ। କିନ୍ତୁ ଆଇନ ବ୍ୟବସ୍ଥାକୁ ସମ୍ମାନ ଦିଆଯିବା ଉଚିତ। ମାମଲାର ପରବର୍ତୀ ଶୁଣାଣି ଜୁନ୍ ୩ ତାରିଖରେ ହେବ।

ସୂଚନାଯୋଗ୍ୟ ଯେ ଗତ ୬ ତାରିଖରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସିଥିବା ବେଳେ କର୍ଣ୍ଣାଟକ କ୍ୟାଡରର ଏହି ଆଇଏଏସ୍ ଅଧିକାରୀ ମୋହସିନ ମୋଦୀଙ୍କ ‌େହଲିକପଟରର ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ। ସମ୍ବଲପୁର ଅଞ୍ଚଳରେ ନିର୍ବାଚନ କମିସନଙ୍କର ସାଧାରଣ ପର୍ଯ୍ୟବେକ୍ଷକ ଭାବେ ସେ ଏହାର ଭିଡିଓ ରେକର୍ଡିଂ କରିବାକୁ ମଧ୍ୟ ନିର୍ଦେଶ ଦେଇଥି‌େଲ। ତେବେ ତାଙ୍କର ଏହି ପଦ‌େକ୍ଷପ ନିର୍ବାଚନ କମିସନଙ୍କ ଏସପିଜି ଗାଇଡଲାଇନ୍ସର ବିରୁଦ୍ଧାଚରଣ କରିଥିବା ଦର୍ଶାଇ କମିସନ ତାଙ୍କୁ ୧୭ ତାରିଖରେ ସସପେଣ୍ଡ କରିଥିଲେ। ଏହାକୁ ନେଇ ସେତେବେଳେ ଜାତୀୟ ରାଜନୀତିରେ ବିବ‌ାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ରାଜନୈତିକ ଦଳ କମିସନଙ୍କ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଥିବା ବେଳେ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ବିତର୍କ ହୋଇଥିଲା। ବିଭିନ୍ନ ଗଣମାଧ୍ୟମରେ ମତ ପ୍ରକାଶ ପାଇଥିଲା ଯେ ନିର୍ବାଚନ ବେଳେ ଏଭଳି ଯାଞ୍ଚକୁ ରୋକାଯାଇପାରିବ ନାହିଁ। ମୋହସିନଙ୍କୁ ସସପେଣ୍ଡ କରିବା ପରେ ତାଙ୍କୁ ସମ୍ବଲପୁର ହେଡକ୍ବାର୍ଟରରେ ଅବସ୍ଥାପିତ କରାଯାଇଥିଲା। ପରେ ତାଙ୍କୁ କର୍ଣ୍ଣାଟକ ପଠାଇ ଦିଆଯାଇଥିଲା। ସେଠାରେ ତାଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଟାଚ୍ କରାଯାଇଥିଲା।

ସମ୍ବନ୍ଧିତ ଖବର