ମହାକାଶରେ ମୁମ୍ବାଇର ପ୍ରଥମ ଘରୋଇ ଉଦ୍ୟୋଗର ସାଟେଲାଇଟ୍‌

ମୁମ୍ବାଇ: ସୋମବାର ମଧ୍ୟରାତ୍ରୀରେ ଏଲୋନ୍‌ ସ୍ପେସ୍‌ ନେତୃତ୍ୱରେ ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ଏଜେନ୍‌ସି ସ୍ପେସ୍‌ଏକ୍ସ୍‍ ୧୭ଟି ଦେଶର ଅନ୍ୟ ୬୩ଟି କୃତ୍ରିମ ଉପଗ୍ରହ ସହ ଭାରତରେ ପ୍ରଥମ କରି ଘରୋଇ ଉଦ୍ୟୋଗରେ ନିର୍ମିତ କୃତ୍ରିମ ଉପଗ୍ରହ ଏକ୍‌ସିଡ୍‌ ସାଟ୍‌-ଓ୍ଵାନ୍‌କୁ ମହାକାଶକୁ ଉତ୍‌କ୍ଷେପଣ କରିଛି। ବୈଷୟିକ ଏବଂ ପାଗ ଅସୁବିଧା ହେତୁ ୧୦ ଥର ସ୍ଥଗିତ ରଖାଯିବା ପରେ ଏକ୍ସସ୍ପେସ୍‌ର ଫାଲ୍‌କନ୍‌-ନାଇନ୍‌ ରକେଟ୍‌ ମଙ୍ଗଳବାର ରାତି ୧୨; ୧୦ରେ କାଲିଫର୍ଣ୍ଣିଆର ଭାଣ୍ଡେନ୍‌ବର୍ଗ ଏୟାର୍‌ ଫୋର୍ସ ବେସ୍‌ରୁ ଉତ୍‌କ୍ଷେପଣ କରାଯାଇଥିଲା। ଉତ୍‌କ୍ଷେପିତ ହେବାର ୪୩ ମିନିଟ୍‌ ପରେ ଫାଲ୍‌କନ୍‌-ନାଇନ୍‌ ଏକ୍‌ସିଡ୍‌ ସାଟ୍‌-ଓ୍ଵାନ୍‌କୁ ମେରୁ କକ୍ଷପଥରେ ସ୍ଥାପିତ କରିଥିଲା।

ଉତ୍‌କ୍ଷେପିତ ହେବା ପରେ ମୁମ୍ବାଇର ଏକ୍‌ସିଡ୍‌ ସ୍ପେସ୍‌ ହେଲା ମହାକାଶରେ କୃତ୍ରିମ ଉପଗ୍ରହ ଥିବା ଭାରତର ପ୍ରଥମ ଘରୋଇ ବ୍ୟାବସାୟିକ ସଂସ୍ଥାନ।

ଏହି କ୍ଷୁଦ୍ର ଯୋଗାଯୋଗ କୃତ୍ରିମ ଉପଗ୍ରହର ଓଜନ ମାତ୍ର ଏକ କିଲୋ। ଏହା ସୌଖୀନ ରେଡିଓ କମ୍ୟୁନିଟି କାମରେ ଲାଗି ସେମାନଙ୍କ ମଧ୍ୟରେ ବାର୍ତ୍ତା ପ୍ରେରଣରେ ସହଯୋଗ କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେଶକୁ ସାହାଯ୍ୟ କରିବ। ମାତ୍ର ୧୮ ମାସରେ ନିର୍ମିତ ସାଟ୍‌-ଓ୍ଵାନ୍‌ ଜରିଆରେ ଏକ ଟିଭି ଟ୍ୟୁନର୍‌ ସହାୟତାରେ ଲୋକେ ୧୪୫.୯ ମିଟର୍‌ହର୍ଜ ଫ୍ରିକ୍ୱେନ୍‌ସିରେ ସଂକେତ ଗ୍ରହଣ କରିପାରିବେ। ଏହା ମଧ୍ୟ ଘରୋଇ ପାଣ୍ଠିରେ ମହାକାଶ ଅଭିଯାନ ପାଇଁ ବାଟ ଫିଟାଇଲା।

ଉତ୍‌କ୍ଷେପଣ ହେବା ପରେ ଏକ୍‌ସିଡ୍‌ ସ୍ପେସ୍‌ର ସିଇଓ କ୍ରିସ୍‌ ନାୟର୍‌ ଟୁଇଟ୍‌ କରିଛନ୍ତି: ବିଶେଷ କରି, ଗୋଟିଏ ସାଟେଲାଇଟ୍‌ ଖଞ୍ଜାଖଞ୍ଜି କରିବାକୁ କୋଟି କୋଟି ଡଲାର୍‌ ଏବଂ ବର୍ଷ ବର୍ଷ ଲାଗେ। ଏକ୍‌ସିଡ୍‌ ସାଟ୍‌-ଓ୍ଵାନ୍‌ର ସଫଳ ଉତ୍‌କ୍ଷେପଣ ପରେ ଟିମ୍‌ ଡେମୋନ୍‌ଷ୍ଟ୍ରେଟ୍‌ କରିପାରିଲା ଯେ ଗୁଡ଼ାଏ ଅର୍ଥ ବ୍ୟୟ ନ କରି ମାତ୍ର କେଇ ମାସରେ ଭରସାଯୋଗ୍ୟ ବ୍ୟାବସାୟିକ ମହାକାଶଯାନ ନିର୍ମାଣ କରି ହେବ।

ସମ୍ବନ୍ଧିତ ଖବର