ସରକାରଙ୍କୁ ପୁଣି ଚକମା ଦେଇଦେଲା ନିରବ ମୋଦି, ଲଣ୍ଡନରୁ ମାରିଛି ଚମ୍ପଟ୍‌

ଲଣ୍ଡନ : ପୁଣି ଭାରତ ସରକାରଙ୍କୁ ଚକମା ଦେଇ ଖସିଯାଇଛି ହୀରା ବେପାରୀ ତଥା ବହୁକୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ଅଭିଯୁକ୍ତ ନିରବ ମୋଦି । ଦୁଇ ଦିନ ତଳେ ତା ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିବାକୁ ସିବିଆଇ ଇଣ୍ଟରପୋଲକୁ ଅନୁରୋଧ କରିଥିଲେ ।  ଆଜି ଏ ସଂପର୍କରେ ଇଣ୍ଟରପୋଲର ଜବାବ ଆସିଛି । ଇଣ୍ଟରପୋଲ କହିଛି ଯେ ସେ ଲଣ୍ଡନରେ ଥିଲା, କିନ୍ତୁ କିଛି ଦିନ ପୂର୍ବେ ସେ ନିଜର ଭାରତୀୟ ପାସପୋର୍ଟ ମାଧ୍ୟମରେ ଲଣ୍ଡନରୁ ପଳାଇଯାଇଛି । ଏହା ଫଳରେ ତାକୁ ଭାରତ ଆଣିବା ଯୋଜନା ଫସରଫାଟି ଯାଇଛି ।

ତେବେ କିଛି ଦିନ ତଳେ ବ୍ରିଟେନର ଆତଙ୍କବାଦ ନିରୋଧ ମନ୍ତ୍ରୀ  ବାରୋନେସ ଓ୍ଵିଲିୟମ୍ସ କହିଛନ୍ତି ଯେ  ନିରବ ମୋଦି ଲଣ୍ଡନରେ ଅଛି । ତାକୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ବ୍ରିଟିଶ ସରକାର ସବୁପ୍ରକାରର ସହଯୋଗ କରିବାକୁ ରାଜି ଅଛନ୍ତି । କିନ୍ତୁ ଇଣ୍ଟରପୋଲର ସୂଚନା ପରେ ସ୍ଥିତି ସ୍ପଷ୍ଟ କରିବାକୁ ଭାରତ ବ୍ରିଟିଶ ସରକାରଙ୍କୁ ଅନୁରୋଧ କରିଛି ।

ସୂଚନାଯୋଗ୍ୟ ଯେ ପ୍ରାୟ ୧୩ ହଜାର କୋଟି ଟଙ୍କାର ପିଏନବି ମହାଦୁର୍ନୀତିର ମୁଖ୍ୟ ନାୟକ କୁହାଯାଉଥିବା ନିରବ ମୋଦି ହଂକଂରେ ଥିବା ଗତ ଫେବ୍ରୁଆରୀ ମାସରେ ହିଁ ଜଣାପଡିଥିଲା । ନିରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସୀ ମିଳିତଭାବେ ଷଡ଼ଯନ୍ତ୍ର କରି ଜାଲ ଏଲଓୟୁ ମାଧ୍ୟମରେ ଏହି ଠକେଇ କରିଥିବା ଜଣାପଡିଥିଲା । ପିଏନବି ଠକେଇ ମାମଲାର ତଦନ୍ତ ସିବିଆଇ  ଓ ଇଡିି କରୁଛନ୍ତି ।

ସମ୍ବନ୍ଧିତ ଖବର