ନିଜାମୁଦ୍ଦିନ ସମ୍ମିଳନୀ ପାଇଁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା : ଜମାତ ଆକ୍ରାନ୍ତ ୨୩୪ ଛୁଇଁଲା

ତାମିଲନାଡ଼ୁରେ ୧୧୦ ଆକ୍ରାନ୍ତ, ୨୩୬୧ ଲୋକଙ୍କୁ ମସ୍‌ଜିଦ୍‌ରୁ ବାହାର କରାଗଲା

ନିଜାମୁଦ୍ଦିନ ଲିଙ୍କ୍‌: ୨୦ ମଧ୍ୟରୁ ୧୫ ନେଗେଟିଭ୍
ଦିଲ୍ଲୀରେ ଜଣେ ଓଡ଼ିଆ ପଜିଟିଭ୍
ଏସ୍‌ସିବିରେ ୧୮ ନେଗେଟିଭ୍‌

ନୂଆଦିଲ୍ଲୀ : ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ଜମାତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲୋକଙ୍କ ପାଇଁ ଏବେ ପୂରା ଦେଶରେ କରୋନା ଭାରରସ୍‌ର ଗୋଷ୍ଠୀ ସଂକ୍ରମଣ ବିପଦ ବଢ଼ିଯାଇଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩୭ରେ ପହଞ୍ଚିଛି ଏବଂ ୨୪ ଘଣ୍ଟା ମଧ୍ୟରେ ୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ରାଜ୍ୟ ସରକାର ଏବେ ଜମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କୁ ଠାବ କରିବା ପାଇଁ ତଲାସୀ ଅଭିଯାନ ଚଳାଇଛନ୍ତି। ତେଲେଙ୍ଗାନା, ଦିଲ୍ଲୀ ଏବଂ ତାମିଲନାଡ଼ୁର କେତେକ ସ୍ଥାନରେ ପ୍ରଶାସନ ଯୁଦ୍ଧସ୍ତରରେ ପ୍ରୟାସ ଚଳାଇଛି। ତାମିଲନାଡ଼ୁରେ ୧୧୦ ଜଣ ଜମାତ ଅଂଶଗ୍ରହଣକାରୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଏହା ସହିତ ଏ ପର୍ଯ୍ୟନ୍ତ ମୋଟ ୨୩୪ ଜଣ ତବଲିଗି ଜମାତ ଅଂଶଗ୍ରହଣକାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଜମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୭ ଜଣଙ୍କ ମୃତ୍ୟୁ ଘଟିଛି।

ଇତିମଧ୍ୟରେ ନିଜାମୁଦ୍ଦିନରେ ତବଲିଗି ମରକଜକୁ ସଂପୂର୍ଣ୍ଣ ଖାଲି କରାଯାଇଛି। ପ୍ରାୟ ୩୬ ଘଣ୍ଟା ମଧ୍ୟରେ ୨୩୬୧ ଲୋକଙ୍କୁ ଖାଲି କରାଯାଇଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି। ସେମାନଙ୍କ ମଧ୍ୟରୁ ୬୧୭ ଜଣଙ୍କ ନିକଟରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପୃଥକ୍‌ ରଖାଯାଇଛି। ଜମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ଦିଲ୍ଲୀରେ ୧୨୦ ଜଣ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି। ବିଭିନ୍ନ ରାଜ୍ୟରେ ଏଭଳି ୬ ହଜାର ଲୋକଙ୍କୁ ଠାବ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ହଜାରଙ୍କୁ ସଂଗରୋଧରେ ରଖାଯାଇଛି।

ନିଜାମୁଦ୍ଦିନ ଲିଙ୍କ୍‌: ୨୦ ମଧ୍ୟରୁ ୧୫ ନେଗେଟିଭ୍, ଦିଲ୍ଲୀରେ ଜଣେ ଓଡ଼ିଆ ପଜିଟିଭ୍
ଭୁବନେଶ୍ବର : ଦିଲ୍ଲୀର ହଜରତ ନିଜାମୁଦ୍ଦିନ୍‌ ସମ୍ମିଳନୀରେ ଯୋଗଦେଇ ଫେରିଥିବା ରାଜ୍ୟର ୨୦ଜଣଙ୍କ ମଧ୍ୟରୁ ୧୫ ଜଣଙ୍କ ନମୁନା ନେଗେଟିଭ୍ ରହିଛି। ୧୫ଜଣଙ୍କ ମଧ୍ୟରୁ ରାଉରକେଲାର ୧୨ଜଣ, କେନ୍ଦ୍ରାପଡ଼ା, ଗଂଜାମ ଓ କଟକର ଜଣେ ଲେଖାଏଁ ରହିଛନ୍ତି। ଅନ୍ୟ ୫ଜଣଙ୍କ ରି ପୋର୍ଟ ହସ୍ତଗତ ହୋଇ ନ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଏହି ସମ୍ମିଳନୀରେ ଯୋଗ ଦେଇଥିବା ଜଣେ ଓଡ଼ିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସେ ଓଡ଼ିଶାରେ ନାହାନ୍ତି, ଏବେ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଘର କଟକ ଜିଲ୍ଲାରେ ବୋଲି ପ୍ରାରମ୍ଭିକ ସୂଚନା ମିଳିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂପୃକ୍ତ ବ୍ୟକ୍ତି ଜଣକ ମାର୍ଚ୍ଚ ୪ତାରିଖରେ ଟ୍ରେନ୍‌‌ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିଥିଲେ। ୬ତାରିଖରେ ସେଠାରେ ପହଞ୍ଚି ପରେ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିଲେ। ମାତ୍ର ପରବର୍ତୀ ସମୟରେ ଦିଲ୍ଲୀରେ ଅଟକି ରହିଥିଲେ। ତେବେ ଦୁଇ ଦିନ ତଳେ ହଜରତ ନିଜାମୁଦ୍ଦିନ୍‌ର ତବଲିଗ ସମ୍ମିଳନୀକୁ ନେଇ ଜୋରଦାର ଖୋଳତାଡ଼ ହେବା ପରେ ଅନ୍ୟମାନଙ୍କ ସହ ତାଙ୍କୁ ସଙ୍ଗରୋଧରେ ରଖାଯାଇଥିଲା। ଗତକାଲି ତାଙ୍କର ନମୁନା ପଜିଟିଭ୍ ଆସିବା ପରେ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି। ତେବେ ସଂପୃକ୍ତ ବ୍ୟକ୍ତି ଜଣକ ରାଜ୍ୟ ବାହାରେ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ଏହାକୁ ନିଜର କରୋନା ତାଲିକା ଭିତରେ ସାମିଲ କରିବା ପାଇଁ ଚାହୁଁ ନାହାନ୍ତି। ଓଡ଼ିଶାର ହୋଇଥିଲେ ହେଁ ତାଙ୍କୁ ବାହାର ରାଜ୍ୟରେ ଆକ୍ରାନ୍ତ ହିସାବରେ ଗଣାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କୋଭିଡ-୧୯ ପାଇଁ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ ଆସନ୍ତା ଦୁଇ ସପ୍ତାହ ଦେଶ ତଥା ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବିଶ୍ବରେ କରୋନା(କୋଭିଡ-୧୯) ସଂକ୍ରମଣ ଯେଉଁଭଳି ଭାବେ ବୃଦ୍ଧି ପାଉଛି, ଏଥିପାଇଁ ଅତିକମ୍‌ରେ ୧୫ଦିନ ପାଇଁ ଆମକୁ କରୋନା ପାଖରୁ ମହଲତ ରଖିବାକୁ ପଡ଼ିବ।

ଶ୍ରୀ ବାଗଚୀ ବିଶ୍ବ, ଦେଶ ଓ ରାଜ୍ୟର କରୋନା ସଂପର୍କରେ ତଥ୍ୟ ରଖି କହିଥିଲେ ଯେ, ଗତକାଲି ୨ଶହ ଦେଶ କରୋନା ସଂକ୍ରମିତ ‌ଥିବା ବେଳେ ଆଜି ସୁଦ୍ଧା ୨୦୩ଟି ଦେଶ ଓ ସମୁଦ୍ରରେ ଥିବା ୨ଟି ଜାହାଜ ସଂକ୍ରମିତ ହୋଇଛି। ଗତକାଲି ବିଶ୍ବରେ ୭ଲକ୍ଷ ୮୯ହଜାର ୯୩୬ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ଆଜି ଏହି ସଂଖ୍ୟାରେ ବୃଦ୍ଧି ଘଟି ୮ଲକ୍ଷ ୬୨ହଜାର ୪୯୫ରେ ପହଞ୍ଚିଛି। ଗତକାଲି ୩୮ହଜାର ୧୦୩ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ଆଜି ୪୨ହଜାର ୫୧୦ରେ ପହଞ୍ଚିସାରିଛି। ଦେଶରେ ଆଜି ଦିନ ୩ଟା ସୁଦ୍ଧା ୧୫୯୦ଜଣ ସଂକ୍ରମିତ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ୧୨୫୧ ରହିଥିଲା। ଗତକାଲି ମୃତକଙ୍କ ସଂଖ୍ୟା ୩୨ଥିବା ବେଳେ ଆଜି ୩ଟା ସୁଦ୍ଧା ଏହା ୪୫ରେ ପହଞ୍ଚିଯାଇଛି। ତେଣୁ ଯେଉଁଭଳି ଦ୍ରୁତ ଗତିରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି ତେଣୁ ସବୁଦୃଷ୍ଟିରୁ ଆସନ୍ତା ୨ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ବାଗଚୀ ଚେତାଇ ଦେଇଛନ୍ତି।

ଏସ୍‌ସିବିରେ ୧୮ ନେଗେଟିଭ୍‌
କଟକ : ଏସ୍‌ସିବିରେ ସେଣ୍ଟ୍ରାଲ ଆଇସିୟୁରେ ଥିବା ଗୋଟିଏ ରୋଗୀଙ୍କ ନମୁନା ଓ ଆରଏମ୍‌ଆରସିକୁ ଯାଇଥିବା ୧୭ଟି ନମୁନାର ରିପୋର୍ଟ ନେଗେଟିଭ୍‌ ଆସିଛି। ନିଜାମୁଦ୍ଦିନ ଫେରନ୍ତା ବକ୍ସିବଜାର ପେନ୍‌ସନ୍‌ ଲେନ୍‌ର ଜଣେ ୪୦ ବର୍ଷର ବ୍ୟକ୍ତି ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୭ଜଣଙ୍କୁ ଗତକାଲି ପୁଲିସ ଓ ପ୍ରଶାସନ ଏସ୍‌ସିବିରେ ଭର୍ତ୍ତି କରିଥିଲେ। ଯାହାକୁ ନେଇ ଚିନ୍ତା ଓ ଆଶଙ୍କା ଲୋକଙ୍କ ଭିତ‌ରେ ବଢିଥିଲା। ହେଲେ ସେ ସମସ୍ତ ୧୭ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଆଶ୍ବସ୍ତି ମିଳିଛି। ପେନ୍‌ସନ୍‌ଲେନ୍‌ର ଉକ୍ତ ବ୍ୟକ୍ତି ଗତ ୧୩ ତାରିଖରୁ କଟକ ଫେରିଥିଲେ ସୁଦ୍ଧା ଏ ସମ୍ପର୍କରେ ପ୍ରଶାସନ, ପୁଲିସ କିମ୍ବା ରାଜ୍ୟ ସରକାରଙ୍କ ୧୦୪ରେ ପଞ୍ଜୀକରଣ କରି ନଥିଲେ। ଗତକାଲି ପୁଲିସ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନେଇ ସ୍ବତନ୍ତ୍ର କରୋନା‌ ୱାର୍ଡରେ ଭର୍ତ୍ତି କରାଇଥିଲା। ଏପରିକି ତାଙ୍କ ସଂସ୍ପର୍ଶରେ ଆସିଥିବା ୧୬ଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଏସ୍‌ସିବିରେ ଆଇସୋଲେସନ୍‌ରେ ରଖାଯାଇଛି। ଏସ୍‌ସିବିର ୧୮ଟି ନମୁନା ପରୀକ୍ଷା କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଅନ୍ୟପଟେ ସେଣ୍ଟ୍ରାଲ ଆଇସିୟୁରେ ଥିବା ରୋଗୀଙ୍କୁ ନେଇ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣା ପଡିଛି। ଉକ୍ତ ରୋଗୀଙ୍କ ଥଣ୍ଡା, କାଶ ଲାଗିରହିଥିବାବେଳେ ତାଙ୍କୁ କଣ ପାଇଁ ସ୍ବତନ୍ତ୍ର ୱାର୍ଡରେ ରଖାନଯାଇ ନଥିଲା ତାକୁ ନେଇ କିଛି ଡାକ୍ତର ପ୍ରଶ୍ନ ଉଠାଇଛନ୍ତି।

ସବୁ ରାଜ୍ୟକୁ ତାଗିଦ୍‌ କଲେ ସ୍ବରାଷ୍ଟ୍ର ସଚି
ଭୁବନେଶ୍ବର : ଲକଡାଉନ୍ ବା ତାଲାବନ୍ଦ ସମୟରେ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ କେତେକ ରାଜ୍ୟ ଅଣଦେଖା କରୁଛନ୍ତି। ଏଥିପାଇଁ ଅସନ୍ତୋଷ ପ୍ରକାଶ କରି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନକୁ କଡ଼ା ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ସଚିବ ତଥା ଏନ୍‌.ଡି.ଏମ୍‌.ଏର ଜାତୀୟ କାର୍ଯ୍ୟନିର୍ବାହୀ କମିଟି ଅଧ୍ୟକ୍ଷ ଅଜୟ ଭଲ୍ଲା। ତାଲାବନ୍ଦ ପାଳନ ସମୟରେ ଯେପରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅକ୍ଷରେ ଅକ୍ଷରେ ପାଳନ ହେବ ସେଥିପାଇଁ ଯଥେଷ୍ଟ ଧ୍ୟାନ ଦେବାକୁ ଶ୍ରୀ ଭଲ୍ଲା ତାଗିଦ୍‌ କରିଛନ୍ତି। ସ୍ବରାଷ୍ଟ୍ର ସଚିବ ଜଣାଇଛନ୍ତି ଯେ କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ସାରା ଦେଶରେ ତାଲାବନ୍ଦ ଘୋଷଣା ହେବା ପରେ ଗତମାସ ୨୪ ତାରିଖରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ମାର୍ଗଦର୍ଶିକା ଜାରି କରାଗଲା। ପରେ ରାଜ୍ୟ ସରକାରମାନଙ୍କ ଆବଶ୍ୟକତା ଅନୁଯାୟୀ ମାର୍ଚ୍ଚ ୨୫ ଓ ୨୭ରେ ଦୁଇଟି ଶୁଦ୍ଧିପତ୍ର ଜରିଆରେ ସମ୍ପୃକ୍ତ ଗାଇଡ୍‌ଲାଇନରେ ପରିବର୍ତ୍ତନ ବି କରାଯାଇଛି। କିନ୍ତୁ କେତେକ ରାଜ୍ୟ ସେମାନଙ୍କ ସୁବିଧା ମୁତାବକ ବ୍ୟତିକ୍ରମ କରୁଥିବା ସାମନାକୁ ଆସିଛି। ଆଗକୁ ଯେପରି ଏଥିରେ କୌଣସି ପ୍ରକାର ତ୍ରୁଟି ନ ହୁଏ, ସେଥିପ୍ରତି ସଜାଗ ରହିବାକୁ ଶ୍ରୀ ଭଲ୍ଲା ଚିଠିରେ ସତର୍କ କରାଇଦେଇଛନ୍ତି।

ସମ୍ବନ୍ଧିତ ଖବର