ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଶୂନ୍ୟକାଳକୁ ବାତିଲ କରାଯାଇ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନ୍ଆର୍ସି) ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବିଜେଡି ପକ୍ଷରୁ ଏହି ଆଲୋଚନାରେ ଭାଗ ନେଇଥିଲେ ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ। ଏହି ପ୍ରସଙ୍ଗ ଉପରେ ଆସାମରେ କିଭଳି ଯୁବ ଛାତ୍ରମାନଙ୍କ ଦ୍ୱାରା ଦୀର୍ଘଦିନ ଧରି ଆନ୍ଦୋଳନ ହୋଇଥିଲା। ଶେଷରେ ସେମାନେ କ୍ଷମତାକୁ ଆସିଲେ, ୧୦ ବର୍ଷ ଧରି କ୍ଷମତାରେ ରହିଲେ କିନ୍ତୁ କିଛି ବି ପଦକ୍ଷେପ ନିଆଗଲା ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନର ସରକାର ପଦକ୍ଷେପ ନେଇଛନ୍ତି ବୋଲି ପ୍ରସନ୍ନ କହିଛନ୍ତି। ଆଲୋଚନା ବେଳେ ପ୍ରସନ୍ନ ଗୃହରେ ଅନୁରୋଧ କରି କହିଥିଲେ ଯେ ଏହି ପ୍ରସଙ୍ଗ ଅତି ସମ୍ବେଦନଶୀଳ। ତେଣୁ ଏହାକୁ ନେଇ ଆଦୌ ରାଜନୀତି କରିବା ଉଚିତ ନୁହେଁ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ପଞ୍ଜୀକରଣ କାର୍ଯ୍ୟ ସମୟରେ ଅନେକ ତ୍ରୁଟି ଓ ବିସଙ୍ଗତି ରହିଛି ଏବଂ ଏ ସବୁର ନିରାକରଣ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସୁନିଶ୍ଚିତ କରିବାକୁ ପଡ଼ିବ ବୋଲି ପ୍ରସନ୍ନ କହିଥିଲେ। ରାଜ୍ୟସଭାରେ ଏନ୍ଆର୍ସି ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଜାଣିବା ପରେ ବିଜେଡିକୁ ପ୍ରଶଂସା କରିଥିଲେ ଅମିତ୍ ଶାହ। ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ଏନ୍ଆର୍ସି ପ୍ରସଙ୍ଗରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅମିତ୍ କହିଥିଲେ ଯେ ଦେଶରେ ଅନୁପ୍ରବେଶକାରୀଙ୍କ କୌଣସି ସ୍ଥାନ ନାହିଁ ବୋଲି ବିଜେପି ଓ ବିଜେଡିକୁ ବାଦ୍ ଦେଇ କୌଣସି ଦଳ କହିବାକୁ ଉଚିତ ମନେ କଲେ ନାହିଁ।