ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେଡି ସଂସଦୀୟ ଦଳ ନେତା, ଟ୍ୱିଟ୍ କରି ଜବାବ ଦେଲେ ବୈଜୟନ୍ତ

ନୂଆଦିଲ୍ଲୀ : କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିବାକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଂସଦୀୟ ଦଳର ନେତା ଭର୍ତୃହରି ମହତାବ । ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ଭର୍ତୃହରି କହିଛନ୍ତି, ଦୀର୍ଘଦିନ ଧରି ବୈଜୟନ୍ତ ଦଳବିରୋଧୀ କାମରେ ଲିପ୍ତ ଥିଲେ । ତେଣୁ ବାଧ୍ୟ ହୋଇ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଏ ବିଷୟରେ ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଥିଲା । ପରେ ବୈଜୟନ୍ତ ନିଜ ତରଫରୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଏବଂ ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ଇସ୍ତଫା ପତ୍ର ପଠାଇଥିଲେ ବୋଲି ଜଣାପଡିଥିବା ଭୁର୍ତୃହରି ଲେଖିଛନ୍ତି ।

ଯେହେତୁ ନିଜ ତରଫରୁ ସେ ଇସ୍ତଫା ଦେଇଛନ୍ତି, ତେଣୁ ସମ୍ବିଧାନର ଦଶମ ଅନୁଚ୍ଛେଦର ଦଳ ବିରୋଧୀ ଆଇନର ବ୍ୟବସ୍ଥା ଅନୁସାରେ ସେ ଆଉ ସାଂସଦ ରହିପାରିବେ ନାହିଁ । ଆଇନ ଅନୁସାରେ ଲୋକସଭାର ସାଂସଦ ହେବାକୁ ସେ ବର୍ତମାନ ଅଯୋଗ୍ୟ । ଭର୍ତୃହରି ଆହୁରି ମଧ୍ୟ ଲେଖିଛନ୍ତି ନିଜ ତରଫରୁ ସେ ଇସ୍ତଫା ଦେଇଥିବାରୁ ସାଂସଦ ପଦରୁ ହଟାଇବା ପାଇଁ ଦଶମ ଅନୁଚ୍ଛେଦ ଅନୁସାରେ ଦଳ ତରଫରୁ କୌଣସି ପ୍ରକ୍ରିୟା ଆରମ୍ଭ କରିବାର ଆବଶ୍ୟକତା ନାହିଁ । ତେଣୁ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ସାଂସଦ ଭାବରେ ରହିବାର ଅଧିକାର ନଥିବାରୁ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିବାକୁ ଭର୍ତୃହରି ଅନୁରୋଧ କରିଛନ୍ତି ।

ଭର୍ତୃହରିଙ୍କ ଏହି ଚିଠି ପରେ ଟୁଇଟ୍ କରି ବୈଜୟନ୍ତ ପଣ୍ଡା ଲେଖିଛନ୍ତି ତାଙ୍କର ସ୍ୱାଭିମାନ ଅଛି ତେଣୁ ସେ ଇସ୍ତଫା ଦେଇ ସାରିଛନ୍ତି । ଦଳ ତରଫରୁ ତାଙ୍କୁ ସାଂସଦ ପଦରୁ ହଟାଇବା ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ କରିବାର ଆବଶ୍ୟକତା ନାହିଁ ବୋଲି ଭର୍ତୃହରି ଲେଖିଥିବା ଚିଠିର କଥାକୁ ଉଲେଖ କରି ବୈଜୟନ୍ତ ନିଜ ତରଫରୁ ଇସ୍ତଫା ଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ବୈଜୟନ୍ତ ଦଳ ବିରୋଧୀ କାମ କରୁଥିବା ନେଇ ଅଭିଯୋଗ ହୋଇଥିଲେ । ଏପରିକି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସର୍ମ୍ପକରେ ବୈଜୟନ୍ତ ଅପପ୍ରଚାର କରୁଥିଲେ ବୋଲି ତାଙ୍କ ରାଜନୈତିକ ସଂଯୋଜକ ଦେବୁ ମଲ୍ଳିକ ଅଭିଯୋଗ ଆଣିଥିଲେ। ଦଳ ବିରୋଧୀ ତଥା ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଥିବା ବୈଜୟନ୍ତଙ୍କୁ ଜାନୁଆରି ୨୪ରେ ଦଳରୁ ନିଲମ୍ବିତ କରିଥିଲା ବିଜେଡି ।

କିନ୍ତୁ ବାପା ବଂଶୀଧର ପଣ୍ଡାଙ୍କ ଦେହାନ୍ତ ପରେ ଶେଷ ଦର୍ଶନ ପାଇଁ ବିଜେଡିର କୌଣସି ନେତା ନ ଆସିବା କାରଣ ଦର୍ଶାଇ ମେ ୨୮ରେ ଦଳରୁ ଇସ୍ତଫା ଦେଇଥିଲେ । ଏପରିକି ସାଂସଦ ପଦରୁ ଇସ୍ତଫା ଦେବା ସହ ଏହାକୁ ଗ୍ରହଣ କରିବାକୁ ସୁମିତ୍ରା ମହାଜନଙ୍କୁ ଚିଠି ଲେଖିଥିଲେ । ତେବେ ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ବିଜେଡି ପକ୍ଷରୁ ଚିଠି ଲେଖାଯିବା ପରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା।

ସମ୍ବନ୍ଧିତ ଖବର