ଇସ୍ଲାମାବାଦ : ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପୂର୍ବତନ କ୍ରିକେଟର୍ ଇମ୍ରାନ୍ ଖାନ୍ଙ୍କ ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ (ପିଟିଆଇ) ଆଗୁଆ ରହିଛି। ନଓ୍ଵାଜ ସରିଫଙ୍କ ମୁସଲିମ ଲିଗ୍ ସହିତ ଏହାର କଡ଼ା ମୁକାବିଲା ହେଉଛି। ତେବେ କୌଣସି ନିର୍ଦିଷ୍ଟ ଦଳକୁ ସ୍ପଷ୍ଟ ବହୁମତ ମିଳିବାର ସମ୍ଭାବନା ନାହିଁ। ଏହାସତ୍ତ୍ୱେ ଇମ୍ରାନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। କାରଣ ତାଙ୍କ ପଛରେ ଶକ୍ତିଶାଳୀ ସେନା ବାହିନୀର ସମର୍ଥନ ରହିଛି।
ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ଏହି ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି। ବର୍ତମାନ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ଇମ୍ରାନଙ୍କ ଦଳ ୧୦୭ ଆସନ ହାସଲ କରି ପ୍ରଥମ ସ୍ଥାନରେ ଥିବା ବେଳେ ୭୦ ଆସନ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ନଓ୍ଵାଜ ସରିଫ୍ଙ୍କ ପାକିସ୍ତାନ ମୁସଲିମ୍ ଲିଗ୍। ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ୩୯ ସିଟ୍ରେ ଆଗୁଆ ରହିଛି। ମୋଟ ୨୭୨ ସଂସଦୀୟ ଆସନରେ ମତଦାନ ହୋଇଛି। ପାକିସ୍ତାନ ପିପୁଲ୍ସ ପାର୍ଟି କିଙ୍ଗ୍ମେକର ସାଜିପାରେ ବୋଲି କୁହାଯାଉଛି। ଅପରପକ୍ଷରେ ସ୍ୱାଧୀନ ପ୍ରାର୍ଥୀମାନେ ୫୧ଟି ଆସନରେ ଆଗୁଆ ଥିବା ସୂଚନା ମିଳିଛି। ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ମୁତ୍ତାହିଦା ମଜଲିସ୍-ଏ-ଅମଲ୍ ୧୧ ସିଟ୍ରେ ଆଗୁଆ ରହିଛି।
ମତଦାନ ଶେଷ ହେବା ପରେ ପାକିସ୍ତାନ ନିର୍ବାଚନ ଆୟୋଗର ମୁଖପାତ୍ର ନଦିମ୍ କାସିମ୍ କହିଛନ୍ତି, ଇମ୍ରାନ୍ ମତଦାନ କରିବା ପରେ ତାଙ୍କ ବାଲଟ୍ ପେପରକୁ ଟିଭି କ୍ୟାମେରା ସମ୍ମୁଖରେ ଦେଖାଇଥିଲେ। ତେଣୁ ତାଙ୍କ ଭୋଟ୍କୁ ନାକଚ କରାଯାଇପାରେ। ଏ ସଂକ୍ରାନ୍ତରେ ଇମ୍ରାନ୍ଙ୍କୁ ମଧ୍ୟ ଏକ ନୋଟିସ୍ ମାଧ୍ୟମରେ ଅବଗତ କରାଯାଇଛି। ତାଙ୍କ କହିବାନୁଯାୟୀ ନିୟମ ଅନୁସାରେ ବାଲଟ୍ ପେପରକୁ ଗୋପନ ରଖାଯିବା କଥା। କିନ୍ତୁ ଏକ ଦଳର ମୁଖ୍ୟ ହେବା ସତ୍ତ୍ୱେ ଇମ୍ରାନ୍ ଏହି ନିୟମ ଉଲ୍ଲଂଘନ କରିଛନ୍ତି।