ଭାରତ ଡ୍ରୋନ ତିଆରି କରୁଥିବାରୁ ପାକିସ୍ତାନର ଚିନ୍ତା

ଇସ୍ଲାମାବାଦ: ଭାରତ ସ୍ୱଦେଶୀ ଜ୍ଞାନ କୌଶଳରେ ଡ୍ରୋନ ଟେକନଲୋଜୀର ବିକାଶ କରିବାରେ ସଫଳ ହୋଇଥିବାରୁ ପାକିସ୍ତାନ ଚିନ୍ତା ପ୍ରକଟ କରିଛି । ଏହା ଆଞ୍ଚଳିକ ସ୍ତରରେ ନିରାପତ୍ତା ଭାରସାମ୍ୟକୁ ବିପନ୍ନ କରିବ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି । ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି ଯେ ଭାରତ ଦ୍ୱାରା ଡ୍ରୋନ ଟେକନଲୋଜୀର ବିକାଶ ବେଶ ଚିନ୍ତାଜନକ ବିଷୟ । ଏହା ଦକ୍ଷିଣ ଏସିଆରେ ସାମରିକ ସନ୍ତୁଳନକୁ ବିଗାଡ଼ିଦେବ । ଭାରତ ପକ୍ଷରୁ ଦ୍ରୁତ ଗତିରେ ନିଜ ସେନାର ଆଧୁନିକୀକରଣ କରାଯାଉଛି । ଉଭୟ ପାରମ୍ପରିକ ଓ ଆଣପାରମ୍ପରିକ କ୍ଷେତ୍ରରେ ଭାରତ ନିଜର କ୍ଷମତା ବଢାଇଚାଲିଛି ଏହା ବେଶ ଚିନ୍ତାର ବିଷୟ । ଡ୍ରୋନ ଟେକନଲୋଜୀର ବିକାଶ ଜାତିସଂଘ ଓ ଅନ୍ତର୍ଜାତୀୟ ମାନବ ଅଧିକାର ଆଇନ ଅନୁସାରେ ହେବା ଆବଶ୍ୟକ । କିନ୍ତୁ ଭାରତ ଅନ୍ତର୍ଜାତୀୟ ଆଇନକୁ ନମାନି ଦାୟିତ୍ୱହୀନ ଭାବେ ଅସ୍ତ୍ରଶସ୍ତ୍ର ତିଆରି କରିଚାଲିଛି ବୋଲି ସେ କହିଛନ୍ତି ।

କିଛିଦିନ ତଳେ ଭାରତ ରୁସ୍ତମ-୨ ଡ୍ରୋନର ପରୀକ୍ଷଣ କରିଥିଲା । କର୍ଣ୍ଣାଟକର ଚିତ୍ରଦୁର୍ଗା ଜିଲ୍ଲାର ଏଟିଆର୍(ଏରୋନଟିକାଲ୍ ପରୀକ୍ଷା କେନ୍ଦ୍ର)ରୁ ଏହି ଡ୍ରୋନ୍ର ପରୀକ୍ଷା କରାଯାଇଥିଲା। ଆମେରିକାର ପ୍ରିଡେଟର ଡ୍ରୋନ୍ ଭଳି ରୁସ୍ତମ-୨ କାର୍ଯ୍ୟ କରିବ। ମଧ୍ୟମ ଉଚ୍ଚତାରେ ଏହା ଦୀର୍ଘସମୟ ପର୍ଯ୍ୟନ୍ତ ଉଡ଼ିବା ସହିତ ଶତ୍ରୁ ପକ୍ଷର କାର୍ଯ୍ୟ ଉପରେ ନିରୀକ୍ଷଣ କରିପାରିବ। ଏହି ଡ୍ରୋନ୍ରେ ସିନ୍ଥେଟିକ୍ ଆପାରଚର ରାଡାର, ଇଲେକ୍ଟ୍ରୋନିକ୍ ଇଣ୍ଟେଲିଜେନ୍ସି ସିଷ୍ଟମ୍ ଏବଂ ସିଚୁଏସନାଲ ଆଓ୍ଵାରନେସ୍ ପେଲୋଡ ଭଳି ସାମଗ୍ରୀ ରହିପାରିବ। ଏହି ଡ୍ରୋନ୍ର ବିଶେଷତ୍ୱ ହେଲା ବ୍ୟବହାରିକ ଡ୍ରୋନ୍ ବର୍ଗରେ ଏଥିରେ ଉଚ୍ଚ କ୍ଷମତା ସମ୍ପନ୍ନ ଇଞ୍ଜିନ ଲାଗିଛି।

ସମ୍ବନ୍ଧିତ ଖବର