ନୂଆଦିଲ୍ଲୀ: ୨୦୧୬ ସେପ୍ଟେମ୍ବର ମାସରେ ଭାରତୀୟ ସେନା ପାକିସ୍ତାନ ସୀମା ଭିତରେ ପଶି ଯେଉଁ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ତାହାର ଭିଡିଓ ଚିତ୍ର ଭାରତୀୟ ଟେଲିଭିଜନ ଚ୍ୟାନେଲମାନଙ୍କରେ ଗତକାଲି (ଗୁରୁବାର) ପ୍ରସାରିତ ହେବାପରେ ପାକିସ୍ତାନ ତା’ର ଚିରାଚରିତ ଢ଼ଙ୍ଗରେ ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍ ନେଇ ଜାରି ଭିଡିଓ ଚିତ୍ରକୁ ପାକିସ୍ତାନ ଅସ୍ୱୀକାର କରିବା ସହ ଏହା ଏକ ମନଗଢ଼ା ଭିଡିଓ ଓ ଏଥିରେ କୌଣସି ପ୍ରକାରର ସତ୍ୟତା ନାହିଁ ବୋଲି କହିଛି। ସର୍ଜିକାଲ ଷ୍ଟ୍ରାଇକ୍ ଓ ଏସଂକ୍ରାନ୍ତୀୟ ଭିଡିଓକୁ ଭାରତର ଏକ ‘ଫାର୍ସ’ ବୋଲି ଅଭିହିତ କରିଛି ପାକିସ୍ତାନ।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ଭାରତ ପକ୍ଷରୁ ଜାରି ହୋଇଥିବା ଭିଡିଓ ଚିତ୍ରରେ ସ୍ପଷ୍ଟ ପ୍ରତୀୟମାନ ହେଉଥିଲା ଯେ ଭାରତୀୟ ସେନା ପାକିସ୍ତାନ ସୀମା ମଧ୍ୟରେ ପଶି ଆତଙ୍କବାଦୀମାନଙ୍କ ଆଡ୍ଡା ସମେତ ସେମାନଙ୍କ ଦ୍ୱାରା ନିର୍ମିତ ରକେଟ ଲଞ୍ଚ୍ପ୍ୟାଡ୍ଗୁଡ଼ିକୁ ଗୋଟିକ ପରେ ଗୋଟିଏ ଧ୍ୱଂସ କରୁଛନ୍ତି। ତେବେ, ଏହି ଭିଡିଓ ଭାରତୀୟ ଗଣମାଧ୍ୟମମାନଙ୍କରେ ପ୍ରଦର୍ଶିତ ହେବାପରେ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ମହମ୍ମଦ ଫୈଜାଲ ଆଜି ଇସ୍ଲାମାବାଦ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ କହିଛନ୍ତି, ‘ମୁଁ ପୂର୍ବରୁ କହିଥିଲି ଏବଂ ଏବେ ଆଉଥରେ ମଧ୍ୟ କହୁଛି ଏସବୁ ହେଉଛି ଭାରତର ଏକ ଫାର୍ସ! ଏଥିରେ କୌଣସି ପ୍ରକାରର ସତ୍ୟତା ନାହିଁ! ଏସବୁ ଭାରତର କଳ୍ପନା ପ୍ରସୂତ ଦିବା ସ୍ୱପ୍ନ! ଯଦି ଭାରତ ତା’ର କଳ୍ପନା ପ୍ରସୂତ ଦିବାସ୍ୱପ୍ନ ଦେଖି ଖୁସି ହେଉଛି, ତେବେ ପାକିସ୍ତାନର ଏଥିରେ କିଛି କହିବାର ନାହିଁ’, ବୋଲି କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ମହମ୍ମଦ ଫୈଜାଲ।