ଟୁଇଟ୍‌ରେ ମୋଦିଙ୍କୁ କହିଲେ ଭଲ ହୋଇଛି ହାର; କିଛିଦିନ ପରେ ପାଖରେ ପହଞ୍ଚିଲା ପ୍ରଧାନମନ୍ତ୍ରୀଙ୍କ ଚିଠି ଓ ଉପହାର

ଧାନବାଦ: ଆଇଆଇଟି ଧାନବାଦର ଛାତ୍ର ରବେଶ କୁମାର ସିଂହ କେବେ ବି ତାଙ୍କ ଉଦ୍ଭଟତମ କଳ୍ପନାରେ ସୁଦ୍ଧା ଭାବି ନଥିଲେ ଯେ ତାଙ୍କ ଜୀବନରେ ଏପରି ଏକ ଅବିଶ୍ୱାସନୀୟ ଘଟଣା ଘଟିବ ବୋଲି। ଏବେ ଘଟଣାଟି ଘଟି ସାରିବା ପରେ ବି ସେ ବିଶ୍ୱାସ କରିପାରୁ ନାହାନ୍ତି ଯେ ପ୍ରକୃତରେ ଘଟଣାଟି ଘଟିଛି ବୋଲି।

ଘଟଣାଟି ଏହିପରି, ଧାନବାଦସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି (ଆଇଆଇଟି)ର ଛାତ୍ର ହେଉଛନ୍ତି ରବେଶ କୁମାର ସିଂହ। ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ମାଣ୍ଡଲା ଠାରେ ଆୟୋଜିତ ଏକ ସମାରୋହରେ ଯୋଗ ଦେଇଥିବା ବେଳେ ସେଠାର ଦଳୀୟ ନେତାମାନେ ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ସୁନେଲି ସୂତାରେ ପ୍ରସ୍ତୁତ ଏକ ସଦୃଶ୍ୟ ମାଳ (ଗୋଲଡେନ୍‌ ଗାର୍ଲାଣ୍ଡ) ପିନ୍ଧାଇଥିଲେ। ଯାହାର ଚିତ୍ର ବୈଦ୍ୟୁତିକ, ଛାପା ଓ ଡିିଜିଟାଲ ଗଣମାଧ୍ୟମଗୁଡ଼ିକରେ ବ୍ୟାପକ ଭାବେ ପ୍ରସାରିତ ହୋଇଥିଲା। ତେବେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିବା ଏହି ‘ଗୋଲଡେନ୍‌ ଗାର୍ଲାଣ୍ଡ’ଟି ରବେଶଙ୍କୁ ବହୁତ ପସନ୍ଦ ଆସିଥିଲା। ପରେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୋସିଆଲ ନେଟଓ୍ଵର୍କିଂ ସାଇଟ୍‌ ଟୁଇଟରରେ ଫଲୋ କରୁଥିବା ରବେଶ, ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଟୁଇଟ୍‌ କରି ଲେଖିଥିଲେ ଯେ ତାଙ୍କୁ ସେଇ ‘ଗୋଲଡେନ୍‌ ଗାର୍ଲାଣ୍ଡ’ଟି ଖୁବ୍‌ ପସନ୍ଦ ଆସିଛି। ଏବଂ ସେ ସେହିପରି ଏକ ‘ଗୋଲଡେନ୍‌ ଗାର୍ଲାଣ୍ଡ’ ଚାହୁଁଛନ୍ତି। ଏହାପରେ ରବେଶ ଏ ପ୍ରସଙ୍ଗକୁ ଭୁଲି ଯାଇଥିଲେ।

ତେବେ, ଗତ ମେ ୧ ତାରିଖରେ ଅକସ୍ମାତ ଏକ ପ୍ୟାକେଟ ଆସି ପହଞ୍ଚିଥିଲା ତାଙ୍କ ଠିକଣାରେ। ଅନ୍ୟମନସ୍କ ଭାବେ ପ୍ୟାକେଟଟିକୁ ଖୋଲିବା ପରେ ଯେତେବେଳେ ସେ ତା’ ଭିତରେ ଥିବା ଜିନିଷକୁ ଦେଖିଲେ, ସେତେବେଳେ ସେ ଖୁସିରେ ଆତ୍ମହରା ହୋଇପଡ଼ିଲେ। ସେ ନିଜ ଆଖିକୁ ଓ ନିଜକୁ କିଛି ସମୟ ପାଇଁ ବିଶ୍ୱାସ କରି ପାରିଲେ ନାହିଁ। ଭାବିଲେ ସେ ସ୍ୱପ୍ନ ଦେଖୁଛନ୍ତି। କାରଣ, ସେଇ ପ୍ୟାକେଟ ଭିତରେ ରହିଥିଲା, ସେଦିନ ପ୍ରଧାନମନ୍ତ୍ରୀ ମୋଦି ମାଣ୍ଡଲାରେ ପିନ୍ଧିଥିବା ‘ଗୋଲଡେନ୍‌ ଗାର୍ଲାଣ୍ଡ’ ଓ ତା’ ସହ ମୋଦିଙ୍କ ଦ୍ୱାରା ତାଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଥିବା ଏକ ପତ୍ର। ରବେଶଙ୍କ ଉଦ୍ଦେଶ୍ୟରେ ମୋଦି ଲେଖିଥିଲେ, ‘ମୁଁ ଟୁଇଟରରେ ତୁମର ବାର୍ତ୍ତା ପଢ଼ିଲି। ତୁମେ ଲେଖିଥିଲ, ସେଦିନ ମାଣ୍ଡଲା ଠାରେ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବରେ ଯୋଗ ଦେଇଥିବା ବେଳେ ମୋତେ ଯେଉଁ ମାଳାଟି ପ୍ରଦାନ କରା ଯାଇଥିଲା, ତାହା ତୁମକୁ ଖୁବ୍‌ ପସନ୍ଦ ଆସିଛି। ଏଇ ପତ୍ର ସହ ସେଇ ମାଳାଟିକୁ ମୁଁ ତୁମ ନିକଟକୁ ଏକ ଉପହାର ସ୍ୱରୂପ ପଠାଉଛି। ମୁଁ ଆଶା ରଖୁଛି, ତୁମେ ତୁମ ଜୀବନର ସବୁ କ୍ଷେତ୍ରରେ ସଫଳ ହୁଅ ଏବଂ ତୁମର ଉଜ୍ୱଳ ଭବିଷ୍ୟତ କାମନା କରଛି।’

ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆସିଥିବା ଏହି ଉପହାର ପାଇବା ପରେ ଏବେ ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି ରବେଶ।

ସମ୍ବନ୍ଧିତ ଖବର