ଭାରତ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ ଏକାଠି ହେବେ ଏକ ଅଣଆନୁଷ୍ଠାନିକ ଶିଖର ସମ୍ମଳନୀରେ

 

 

ବେଜିଂ (ଚୀନ୍‌): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଆସନ୍ତା ଅପ୍ରେଲ ୨୭- ୨୮ ତାରିଖରେ ଚୀନ୍‌ର ଉହାନ୍‌ ଠାରେ ଏକ ଅଣଆନୁଷ୍ଠାନିକ ଶିଖର ସମ୍ମଳନୀରେ ଏକାଠି ହେବା ସହ ଉଭୟ ରାଷ୍ଟ୍ରମୁଖ୍ୟ ଦ୍ୱିପାକ୍ଷିକ ସଂପର୍କ ଉପରେ ଆଲୋଚନା କରିବେ ବୋଲି ଆଜି ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍‌ ଓ୍ଵାଇ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ବେଜିଂ ଠାରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅବସରରେ ଘୋଷଣା କରିଛନ୍ତି। ଡୋକ୍‌ଲାମ୍‌ ପ୍ରସଙ୍ଗକୁ କେନ୍ଦ୍ର କରି ଉଭୟ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇ ପଡ଼ିଥିବା ବେଳେ ଆସନ୍ତା ଜୁନ୍‌ ମାସରେ ଆୟୋଜିତ ହେବାକୁ ଥିବା ସାଂଘାଇ କୋପରେସନ୍‌ ଅର୍ଗାନାଇଜେସନ (ଏସ୍‌ସିଓ) ଶିଖର ବୈଠକ ପୂର୍ବରୁ ଉଭୟ ନେତାଙ୍କ ମଧ୍ୟରେ ଏହି ଅଣ ଆନୁଷ୍ଠାନିକ ଆଲୋଚନାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଚାର କରାଯାଉଛି।


ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍‌ ଓ୍ଵାଇ କହିଛନ୍ତି, ‘ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ମଧ୍ୟରେ ଆସନ୍ତା ଅପ୍ରେଲ ୨୭- ୨୮ ତାରିଖରେ ଚୀନ୍‌ର ଉହାନ୍‌ ଠାରେ ଆୟୋଜିତ ହେବାକୁ ଥିବା ଏହି ଅଣଆନୁଷ୍ଠାନିକ ଶିଖର ସମ୍ମଳନୀ ଅତ୍ୟନ୍ତ ଫଳପ୍ରଦ ହେବ। ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ସମସ୍ତ ମତାନ୍ତର ଓ ମନାନ୍ତର ଦୂର ହୋଇ ବନ୍ଧୁତାର ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ।’ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବେ ଏସ୍‌ସିଓ ବୈଦେଶିକ ମନ୍ତ୍ରୀ ସମ୍ମଳନୀରେ ଯୋଗଦେବା ପାଇଁ ଏବେ ଚୀନ୍‌ ଗସ୍ତରେ ଅଛନ୍ତି।

ସମ୍ବନ୍ଧିତ ଖବର