ପୋଲାଭରମ୍‌ ପ୍ରକଳ୍ପ ମାମଲା : ଓଡ଼ିଶା, ଛତିଶଗଡ଼କୁ ତଥ୍ୟ ଯୋଗାଇବାକୁ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

୨୪ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଏକେ ସିକ୍ରି, ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ ଏସ୍‌ ଏ ଅବଦୁଲ୍‌ ନଜିରଙ୍କ ସ୍ବତନ୍ତ୍ର ଖଣ୍ଡପୀଠରେ ହୋଇଛି। ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି କରିବା ନେଇ ପ୍ରକଳ୍ପ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉଭୟ ସରକାରଙ୍କୁ ୩ ସପ୍ତାହରେ ଦେବାକୁ ଆଜି କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ତଥ୍ୟ ସମ୍ପର୍କିତ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆ‌ରି ୨୪କୁ ଧାର୍ଯ୍ୟ କରିଛନ୍ତି।

ଆଜି ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରି‌ଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମ୍‌ ପୋଲାଭରମ ପ୍ରକଳ୍ପ ମାମଲାରେ ବଚାୱତ୍‌ ଟ୍ରିବ୍ୟୁନାଲ୍‌ର ସର୍ତ୍ତ ଅନୁସାରେ ପୋଲାଭରମ ପ୍ରକଳ୍ପ ଅନ୍ତର୍ଗତ ଫେରନ୍ତା ବନ୍ୟାଜଳର ପ୍ରଭାବ ୧୭୪ ଫୁଟ୍‌ ନିର୍ଦ୍ଧାରଣ କରାଯାଇଥିବାବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ଫେରନ୍ତା ବନ୍ୟାଜଳର ପ୍ରଭାବକୁ ୨୧୬ ଫୁଟ୍‌ ବୋଲି ସ୍ବୀକାର କରାଯାଇଛି ଏବଂ ଏହାଦ୍ବାରା ପାଖାପାଖି ୩୨ ଫୁଟ୍‌ର ଫେରନ୍ତା ବନ୍ୟା ଜଳ ପ୍ରଭାବିତ ଅଞ୍ଚଳରେ ବ୍ୟାପକ ଜଳମଗ୍ନ କରାଇବ ‌ବୋଲି ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରକଳ୍ପ ଦ୍ବାରା କେତେ ଅଞ୍ଚଳ ବୁଡ଼ିବ, କେତେଜଣ କ୍ଷତିଗ୍ରସ୍ତ ହେବେ ସେସମ୍ପର୍କରେ କୌଣସି ତଥ୍ୟ ମିଳିନଥିବା ସୁବ୍ରମଣ୍ୟମ୍‌ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ବର୍ତ୍ତମାନ ପୋଲାଭରମ ପ୍ରକଳ୍ପର ପରିବେଶ ମଂଜୁରି ତଥା ଜଙ୍ଗଲ ମଂଜୁରି ମଧ୍ୟ ନାହିଁ। ଏହାବାଦ୍‌ ବେଆଇନ ଭାବେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଗୋପାଳକୃଷ୍ଣ କମିଟିର କୌଣସି ଔଚିତ୍ୟ ନାହିଁ ବୋଲି ଗୋପାଳ ସୁବ୍ରମଣ୍ୟମ୍‌ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅନ୍ୟପକ୍ଷରେ ପୋଲାଭରମ୍‌ ପ୍ରକଳ୍ପ ମାମଲାରେ ପକ୍ଷଭୁକ୍ତ ଥିବ‌ା ସ୍ବେଚ୍ଛାସେବୀ ସଂଗଠନ ‘ରେଲା’ ଦ୍ବାରା ପୋଲାଭରମ ପ୍ରକଳ୍ପ ବେଆଇନ ଭାବେ ତ୍ବରାନ୍ବିତ କରାଯାଉଥିବା ନେଇ ଓକିଲ ଜୟନ୍ତ ଭୂଷଣ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ବନ୍ଦ କରିବ‌ା ନେଇ କୋର୍ଟ ଆଦେଶ ଜାରି କରିବା ପାଇଁ ସେ ଦୃଢ଼ ଯୁକ୍ତି ବାଢ଼ିଥିଲେ। ଅପରପକ୍ଷେ ଓଡ଼ିଶା ଓ ‘ରେଲା’ ଦ୍ବାରା ଖଣ୍ଡପୀଠଙ୍କ ନିକଟରେ ଯେଉଁସବୁ ଅଭିଯୋଗ କରାଯାଇଥିଲା ‌ସେଗୁଡ଼ିକୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ଓକିଲ ଏକେ ଗାଙ୍ଗୁଲି ଖଣ୍ଡନ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍‌ ପିଙ୍କି ଆନନ୍ଦ ଖଣ୍ଡପୀଠଙ୍କୁ କହିଥିଲେ ଯେ ଓଡ଼ିଶା ଓ ଛତିଶଗଡ଼ର ଜନଶୁଣାଣି କରାଇବା ନେଇ ପତ୍ର ଲେଖି ଯେଉଁସବୁ ତଥ୍ୟ ଲୋଡ଼ାଯାଇଛି ସେନେଇ ତଥ୍ୟ ଯୋଗାଇଦେବା ପାଇଁ ସେ ଆଉ ୪ ସପ୍ତାହ ସମୟ ଲୋଡ଼ିଥିଲେ। ହେଲେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ୩ ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଓଡ଼ିଶା ଓ ‘ରେଲା’ ସଂଗଠନ ଦ୍ବାରା ଯେଉଁସବୁ ଅଭିଯୋଗ ଓ ସ୍ପଷ୍ଟୀକରଣ ଲୋଡ଼ାଯାଇଥିଲା ସେନେଇ ବିବରଣୀ ପ୍ରଦାନ କରିବାପାଇଁ ଖଣ୍ଡପୀଠ ଆନ୍ଧ୍ରପ୍ରଦେଶ ଓକିଲଙ୍କୁ କହିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପ ଉପରେ କୌଣସି ରହିତାଦେଶ ଜାରି କରାଯାଇନି ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର