ରାଜନୈତିକ ହିଂସା ଓ ଡାକ୍ତର ଧର୍ମଘଟ, ମମତାକୁ କେନ୍ଦ୍ର ସରକାରଙ୍କ ରିପୋର୍ଟ ତଲବ

୨୦୧୮ରେ ରାଜନୈତିକ ହିଂସାରେ ୯୬ ମୃତ

କୋଲ୍‌କାତା: ପଶ୍ଚିମବଂଗରେ ଲାଗି ରହିଥିବା ରାଜନୈତିକ ହିଂସା ଏବଂ ଡାକ୍ତର ଧର୍ମଘଟ ମାମଲାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ୨୦୧୬ରୁ ୨୦୧୯ ମଧ୍ୟରେ ରାଜ୍ୟରେ ହୋଇଥିବା ରାଜନୈତିକ ହିଂସା ସଂପର୍କରେ ସବିଶେଷ ରିପୋର୍ଟ ଦେବାକୁ ଗୃହମନ୍ତ୍ରାଳୟରୁ ନିର୍ଦ୍ଦେଶ ଜାରି ହୋଇଛି। ରାଜ୍ୟରେ ଚାଲିଥିବା ଡାକ୍ତର ଆନ୍ଦୋଳନ ୫ମ ଦିନରେ ପହଞ୍ଚିଥିଲେ ମଧ୍ୟ ଏହାର ସମାଧାନ ପାଇଁ କାହିଁକି ଫଳପ୍ରଦ ପ୍ରୟାସ ହୋଇନାହିଁ ବୋଲି ଗୃହମନ୍ତ୍ରାଳୟ ପ୍ରଶ୍ନ କରିବା ସହ ଏ କ୍ଷେତ୍ରରେ କି କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଅବଗତ କରିବାକୁ କୁହାଯାଇଛି। ରାଜନୈତିକ ହିଂସାକୁ ରୋକିବା ଏବଂ ଦୋଷୀମାନଙ୍କୁ ଦଣ୍ଡା ଦେବା କ୍ଷେତ୍ରରେ ରାଜ୍ୟ ସରକାର କିଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସଂପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ସରକାର ଆଜି ଜାରି କରିଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି।

ରାଜ୍ୟରେ ରାଜନୈତିକ ହିଂସା ଯୋଗୁଁ ୨୦୧୬ରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୨୦୧୮ରେ ୯୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ଆଜି ସୁଦ୍ଧା ୨୬ ଜଣ ରାଜନୈତିକ ହିଂସାରେ ପ୍ରାଣ ହରାଇଛନ୍ତି। ରାଜ୍ୟସରକାର ଆଇନଶୃଙ୍ଖଳା ବଜାୟ ରଖିବାରେ ବ୍ୟର୍ଥ ହୋଇଛନ୍ତି। ତେଣୁ ରାଜନୈତିକ ହିଂସାକୁ ରୋକିବା ଏବଂ ଏହାର ଯାଞ୍ଚ ଦିଗରେ କେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ରିପୋର୍ଟ ଦାଖଲ କରିବାକୁ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

ସମ୍ବନ୍ଧିତ ଖବର