ଓଡ଼ିଶାରେ ପ୍ରସାଦ ଯୋଜନା ଧୀମା : କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : କେନ୍ଦ୍ର ଅନୁଦାନରେ ପୁରୀରେ କାର୍ଯ୍ୟକାରୀ ହେଉଥିବା ‘ପ୍ରସାଦ’ ଓ ‘ସ୍ୱଦେଶ ଦର୍ଶନ’ ଯୋଜନାର ଗତି ଧୀମା ହେବା ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ହସ୍ତକ୍ଷେପ କରିବାକୁ ସେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେେ.ଜେ. ଆଲଫୋନ୍ସଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ନିଜ ପତ୍ରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଡିସେମ୍ବର ୧୯ ତାରିଖରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଅଧିକାରୀ ମାନେ ଓଡିଶାରେ ଚାଲୁଥିବା ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ତାଙ୍କୁ ଅବଗତ କରାଇଥିଲେ । ପ୍ରସାଦ ଯୋଜନାରେ ପୁରୀ ପାଇଁ ୨୬ ମାର୍ଚ, ୨୦୧୫ ରେ ୫୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ଅନୁମୋଦନ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଷ୍ଟାଲ ରେଗୁଲାଟରି ଜୋନ କ୍ଲିୟରାନ୍ସ ମିଳି ନ ଥିବାରୁ ଏହା ଠିକ ଭାବେ ଆଗେଇପାରୁ ନାହିଁ । ପୁରୀଗସ୍ତରେ ଆସି ଏହି ପ୍ରକଳ୍ପର ଅଗ୍ରଗତିକୁ ବ୍ୟକ୍ତିଗତଭାବେ ସମୀକ୍ଷା କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

ସେହିପରି ସ୍ୱଦେଶ ଦର୍ଶନ ଯୋଜନାରେ ଗୋପାଳପୁର- ବରକୁଳ-ସାତପଡା- ଟମପଡା କୋଷ୍ଟାଲ ସର୍କିଟର ବିକାଶ ପାଇଁ ୭୬.୪୯ କୋଟି ଟଙ୍କା ଅନୁମୋଦନ କରାଯାଇଛି ଓ ଓଟିଡିସି ଏହାକୁ କାର୍ଯ୍ୟକାରୀ କରୁଛି । ୨୦୧୬ ସେପ୍ଟେମ୍ବର ମାସରେ ଅନୁମୋଦନ କରାଯାଇଥିବା ବେଳେ ଏହାର କାମ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି । ଓଟିଡିସି ଦ୍ୱାରା ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ କାରଣରୁ ଏହି କାମ ବିଳମ୍ବିତ ହେଉଛି । ସ୍ୱଦେଶ ଦର୍ଶନ ଯୋଜନାରେ ଏହି ପ୍ରକଳ୍ପକୁ ତ୍ୱରାନ୍ଵିତ କରିବା ପାଇଁ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଆଲଫୋନ୍ସଙ୍କୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର