କର୍ଣ୍ଣାଟକ ରାଜନୀତି: କଂଗ୍ରେସ ପରେ ଏବେ ଜେଡିଏସ୍‌ରେ ଅସନ୍ତୋଷ

ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ପରଠାରୁ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। କିଛି କଂଗ୍ରେସ ବିଧାୟକଙ୍କୁ ମନ୍ତ୍ରୀପଦ ନମିଳିବା ପରେ ସେମାନେ ଦଳ ଛାଡ଼ିବା ପାଇଁ ମଧ୍ୟ ଯୋଜନା କରୁଥିବା ଜଣାପଡ଼ିଛି। ତେବେ ଆଜି ଦୁଇ ଜଣ ଜେଡିଏସ୍‌ ମନ୍ତ୍ରୀ ମଧ୍ୟ ସେମାନଙ୍କୁ ମିଳିଥିବା ବିଭାଗକୁ ନେଇ ଅସନ୍ତାଷ ବ୍ୟକ୍ତ କରିଛନ୍ତି। ଜେଡିଏସ୍‌ ଉଚ୍ଚଶିକ୍ଷା ମନ୍ତ୍ରୀ ଜିଟି ଦେବେଗୌଡା ଓ କ୍ଷୁଦ୍ର ଜଳସେଚନ ମନ୍ତ୍ରୀ ସି.ଏସ୍‌.ପୁଟ୍ଟରାଜୁ ତାଙ୍କୁ ମଳିଥିବା ବିଭାଗ ନେଇ ଅସନ୍ତାଷ ବ୍ୟକ୍ତ କରିଛନ୍ତି। ଜେଡିଏସ୍‌ ମୁଖ୍ୟ ଏଚ.ଡି.ଦେବେଗୌଡ଼ାଙ୍କ ସମ୍ପର୍କୀୟ ହୋଇଥିବାରୁ ଡି.ସି.ଥମନ୍ନାଙ୍କୁ ପରିବହନ ବିଭାଗ ଦିଆଯାଇଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ଏହି ଜେଡିଏସ୍‌ ନେତାଙ୍କୁ ତାଙ୍କ ମନ ମୁତାବକ ବିଭାଗ ନ ମିଳିବାରୁ ମହୀସୁର ଓ ମାଣ୍ଡ୍ୟାରେ ସେମାନଙ୍କ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଅପରପକ୍ଷେ, ମନ୍ତ୍ରୀପଦ ନ ମିଳିବାରୁ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଉଗ୍ର ରୂପ ଧାରଣ କରୁଛି। ଆଜି କଂଗ୍ରେସ ବିଧାୟକ ଏମ.ବି.ପାଟିଲଙ୍କ ନେତୃତ୍ୱରେ ୨୦ ଜଣିଆ ବିଧାୟକ ଦଳ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟି ଏନେଇ ଆଲୋଚନା ମଧ୍ୟ କରିଛନ୍ତି। କିନ୍ତୁ ଅସନ୍ତୁଷ୍ଟ ବିଧାୟକଙ୍କ ସହ ରାହୁଲ ଗାନ୍ଧୀଙ୍କ ଆଲୋଚନା ବିଫଳ ରହିଥିବା ଜଣାପଡ଼ିଛି।

ଶିକ୍ଷାମନ୍ତ୍ରୀ ଅଷ୍ଟମ ପାସ୍‌
ବେଙ୍ଗାଲୁରୁ : କର୍ଣ୍ଣାଟକର ନୂଆ ମନ୍ତ୍ରିମଣ୍ଡଳକୁ ନେଇ ବିବାଦ ଲାଗି ରହିଥିବା ବେଳେ ରାଜ୍ୟର ନୂତନ ଉଚ୍ଚ ଶିକ୍ଷାମନ୍ତ୍ରୀ ଜି.ଟି.ଦେବେଗୌଡ଼ାଙ୍କ ଶିକ୍ଷାଗତ ଯୋଗ୍ୟତା କେବଳ ଅଷ୍ଟମ ପାସ୍‌ ବୋଲି ଜଣାପଡିଛି। ତେବେ କଲେଜ ମାଟି ମାଡ଼ିନଥିବା ଜଣେ ନେତା କିଭଳି ଉଚ୍ଚଶିକ୍ଷା ବିଭାଗ ସମ୍ଭାଳିବେ ବୋଲି ଆଜି କିଛି ଜେଡିଏସ୍‌ ନେତା ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଓଲଟା ପ୍ରଶ୍ନ କରିଛନ୍ତି ଯେ, ମୁଁ କ’ଣ ପଢିଛି? କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛି। ଉଲ୍ଲେଖଯୋଗ୍ୟ, ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ତାଙ୍କ ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ କରିଛନ୍ତି।

ସମ୍ବନ୍ଧିତ ଖବର