ଅନ୍ତର୍ଜାତୀୟ ଅଭିଲେଖାଗାର ଦିବସ: ଜଗନ୍ନାଥ ସଡ଼କ କୀର୍ତିରାଜିକୁ ନେଇ ସଂକଳନ ପ୍ରସ୍ତୁତ ହେବ

ଭୁବନେଶ୍ୱର: ଜଗନ୍ନାଥ ସଡ଼କରେ ଥିବା କୀର୍ତିରାଜିକୁ ନେଇ ଏକ ସଂକଳନ ପ୍ରକାଶ ପାଇବ। ରାଜ୍ୟ ଅଭିଲେଖାଗାର ପକ୍ଷରୁ ଇନ୍‌ଟାକ୍‌ ସହଯୋଗରେ ଏନେଇ କାମ ଆରମ୍ଭ ହୋଇଥିବା ବେଳେ ଅଭିଲେଖାଗାର ପକ୍ଷରୁ ପୁସ୍ତକ ସଂକଳନ କରାଯିବ। ନିକଟ ଅତୀତରେ ପାଇକ ବିଦ୍ରୋହ ଓ ନଅଙ୍କ ଦୁର୍ଭିକ୍ଷ ଭଳି ଐତିହାସିକ ଘଟଣା ଅଭିଲେଖାଗାର ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶ ପାଇଥିବା ବେଳେ ଜଗନ୍ନାଥ ସଡ଼କକୁ ନେଇ ଆଉ ଏକ ସଂକଳନ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଓଡ଼ିଶା ରାଜ୍ୟ ଅଭିଲେଖାଗାର ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଅଭିଲେଖାଗାର ଦିବସ ଅବସରରେ ଶ୍ରୀ ପଣ୍ଡା ଏହି ସୂଚନା ଦେଇଛନ୍ତି। ରାଜ୍ୟ ଅଭିଲେଖାଗାରରେ ଆୟୋଜିତ କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ଆର୍‌ ବାଲକ୍ରିଷ୍ଣନ୍‌ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଲେ, ଅତୀତର ପ୍ରାମାଣିକ ତଥ୍ୟକୁ ଯଥେଷ୍ଟ ସଂରକ୍ଷଣ କରିବା ଉଚିତ୍‌। ଡକ୍ୟୁମେଣ୍ଟେସନ୍‌ କରିବାର ଅଭ୍ୟାସକୁ ବିକଶିତ କରିବା ଉଚିତ୍‌ ବୋଲି ସେ କହିଥିଲେ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରାକ୍ତନ ଅଧୀକ୍ଷଣ ଅଧିକାରୀ ଡ. ଜୀବନ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଅଭିଲେଖ: ଐତିହ୍ୟ, ସ୍ମୃତି ଓ କାର୍ଯ୍ୟନିର୍ବାହ’ ଶୀର୍ଷକ ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ସଂରକ୍ଷଣ ଏବଂ ତତ୍‌ ସମ୍ବନ୍ଧୀୟ ଦୃଷ୍ଟିଭଙ୍ଗୀ ଉପରେ ଗୁରୁତ୍ୱାରୋପ କରିଥିଲେ। ପୂର୍ବତନ ସଂଗ୍ରହାଧ୍ୟକ୍ଷ କିଶୋର ମହାପାତ୍ରଙ୍କ ସମେତ ପୁସ୍ତକ ସମ୍ପାଦନମଣ୍ଡଳୀ ସଦସ୍ୟ ମହେଶ ପ୍ରସାଦ ଦାଶ, ଅଶୋକ ପଟ୍ଟନାୟକ, ଡ. ଜୀବନ ପଟ୍ଟନାୟକ, ବିବେକାନନ୍ଦ ଦାସଙ୍କୁ ସମ୍ବର୍ଧିତ କରାଯାଇଥିଲା। ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଅଭିଲେଖାଗାରର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଅର୍ନଟ୍‌ ରିପୋର୍ଟର ଏବଂ ଆର୍କାଇଭାଲ୍‌ ବୁଲେଟିନ୍‌ ପୁସ୍ତକ ସମେତ ‘ସଂସ୍କୃତିଚର୍ଚା ସମ୍ପାନ’ର ଭିଡିଓ ଲୋକାର୍ପିତ ହୋଇଥିଲା।

ପ୍ରଦର୍ଶନୀରେ ଶ୍ରୀମନ୍ଦିରର ଅତୀତ ଗାଥା

ଜଗନ୍ନାଥ ମନ୍ଦିର ପରିଚାଳନା ସଂକ୍ରାନ୍ତୀୟ କଟକ କଲେକ୍ଟରଙ୍କ ୧୮୨୦ ମସିହାର ଚିଠି ହେଉ ଅବା ଜଗନ୍ନାଥ ଓ କୋହିନୂର ହୀରା ସମ୍ପର୍କିତ ତଥ୍ୟ। ଜଗନ୍ନାଥ ମନ୍ଦିରର ସୁରକ୍ଷା ନିମିତ୍ତ ଆହରଣ କରିଯାଇଥିବା ଭୂମି ନିର୍ଧାରଣ ସମ୍ପର୍କିତ ଅମିନମାନଙ୍କ ତଥ୍ୟଠୁ ନେଇ ଜଗନ୍ନାଥ ବିଗ୍ରହ ଦର୍ଶନ ନିମିତ୍ତ ତୀର୍ଥଯାତ୍ରୀଙ୍କ ଉପରୁ ୧୮୩୩ ମସିହାରେ କର ଉଚ୍ଛେଦର ତଥ୍ୟ। ଅଭିଲେଖାଗାର ପରିସରରେ ୧୮୦୫ରୁ ୧୯୭୮ ମସିହା ମଧ୍ୟରେ ଶ୍ରୀମନ୍ଦିର ସମ୍ବନ୍ଧୀୟ କେତେକ ବିରଳ ନଥିପତ୍ର ସ୍ଥାନିତ ହୋଇଥିଲା। ଏଥିସହିତ ଶ୍ରୀମନ୍ଦିର ଓ ଏହାର ପରିପାର୍ଶ୍ୱର ବହୁ ପୁରୁଣା ଫଟୋ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର