ପିଓକେରେ ତେଜିଲା ଆନ୍ଦୋଳନ, ମୁଜାଫରବାଦ୍‌ରେ ଜରୁରୀ ସ୍ଥିତି

ଇସଲାମାବାଦ୍‌ : ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଏବେ ସ୍ବାଧୀନତା ଆନ୍ଦୋଳନ ଜୋର୍‌ଦାର ହୋଇଛି। ପାକିସ୍ତାନୀ ସେନାର ଦମନ ବିରୋଧରେ ହଜାର ହଜାର ଜନତା ଦୁଇ ଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି। ସେନା କାର୍ଯ୍ୟାନୁଷ୍ଠାନରେ ୨ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁକୁ ନେଇ ସମଗ୍ର ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଆନ୍ଦୋଳନକାରୀ ନେତାଙ୍କୁ ପୁଲିସ ଓ ସେନା ଟାର୍ଗେଟ୍‌ କରି ଜୁଲମ୍‌ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।

ପିଏନ୍‌ଏ (ପିପୁ୍ଲ୍ସ ନ୍ୟାସନାଲ୍‌ ଆଲିଆନ୍ସ)ର କର୍ମୀମାନେ ଆଜି ରାସ୍ତା ଅବରୋଧ କରିବା ସହ ପାକିସ୍ତାନର ପତାକା ପୋଡ଼ିଛନ୍ତି। ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାପାଇଁ ପାକିସ୍ତାନୀ ସେନା ଦ୍ବାରା ଟିୟର ଗ୍ୟାସ୍‌ ସେଲ୍‌ ପ୍ରୟୋଗ କରାଯାଇଛି। ପିଓକେର ରାଜଧାନୀ ମୁଜାଫରବାଦ୍‌ରେ ଆଜି ଜରୁରୀ ସ୍ଥିତି ଜାରି ହୋଇଛି । ପିଓକେର ଅନ୍ୟତମ ସହର ମୀର୍‌ପୁରରେ ୨୦ରୁ ଅଧିକ ସ୍ଥାନରେ ଲୋକେ ଆନ୍ଦୋଳନକୁ ଓହ୍ଲାଇବା ସହ ସରକାରୀ ପ୍ରତିଷ୍ଠାନ ବନ୍ଦ କରିଛନ୍ତି। ନିଲମ ଭାଲି ଅଂଚଳକୁ ପାକିସ୍ତାନ ସେନା ଆତଙ୍କବାଦୀଙ୍କ ଆଡ଼ାରେ ପରିଣତ କରିଥିବାରୁ ଗ୍ରାମବାସୀମାନେ ସେନାର ଏହି ନିଷ୍ପତ୍ତି ବିରୋଧରେ ଆଜି ପ୍ଲାକାର୍ଡ ଓ ବ୍ୟାନର୍‌ ଧରି ରସ୍ତାକୁ ଓହ୍ଲାଇଥିଲେ।

ଆଜି ମୁଜାଫରବାଦ୍‌ ପ୍ରେସ୍‌ କ୍ଲବ୍‌ ବାହାରେ ବହୁ ସଂଖ୍ୟାରେ ଗଣମାଧ୍ୟମ ପ୍ରତିନିଧି ଆନ୍ଦୋଳନ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ହୋଇଥିବା‌ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସମୟରେ ସେନାର ବଳପ୍ରୟୋଗ ଗଣତାନ୍ତ୍ରିକ ଏବଂ ମାନବିକ ଅଧିକାରକୁ ଉଲ୍ଲଂଘନ କରିଛି ବୋଲି ସାମ୍ବାଦିକମାନେ କହିଛନ୍ତି।

ସମ୍ବନ୍ଧିତ ଖବର