ହିନ୍ଦୁତ୍ୱ ନେଇ ରାହୁଲ ଗାନ୍ଧୀ ନରମ

ରାଜକୋଟ: କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ଭାରତୀୟ ଜନତା ପାର୍ଟି ଆଣ୍ଟି ହିନ୍ଦୁ ଚରିତ୍ର ଭାବେ ଚିତ୍ରଣ ପାଇଁ ଉଦ୍ୟମ ଚଳାଇଥିବାରୁ ରାହୁଲ ଗାନ୍ଧୀ ଏହାର ଜବାବ ଦେବା ପାଇଁ ଉଦ୍ୟମ କରିଛନ୍ତି। ରାହୁଳ ୩ ଦିନିଆ ଗୁଜୁରାଟର ରାଜନୈତିକ ସମ୍ବେଦନଶୀଳ ସୌରାଷ୍ଟ ଅଞ୍ଚଳ ଗସ୍ତରେ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିମୁଦ୍ରାକରଣ, ଜିଏସଟି ନେଇ କଡ଼ା ସମାଲୋଚନା କରିଥିବା ବେଳେ ହିନ୍ଦୁତ୍ୱ ନେଇ କିନ୍ତୁ ନରମ ଆଭିମୁଖ୍ୟ ଆପଣେଇଛନ୍ତି ରାହୁଳ। ବିଶେଷ କରି ଭାରତୀୟ ଜନତା ପାର୍ଟି ତାଙ୍କୁ ଯେପରି ଆଣ୍ଟି ହିନ୍ଦୁ ଓ ଅଳ୍ପସଂଖ୍ୟକ ତୁଷ୍ଟିକରଣ ରାଜନୀତିର ଚାମ୍ପିୟନ ଭାବେ ଚିତ୍ରଣ କରୁଛି, ସେ ଛବିରୁ ବାହାରିବା ପାଇଁ ରାହୁଲ ଭରପୁର ଉଦ୍ୟମ କରିଛନ୍ତି। ରାହୁଳ ଗୁଜୁରାଟ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିକୁ କଡ଼ା ଭାଷାରେ ସମାଲୋଚନା କରିବା ସହିତ ୫ଟି ହିନ୍ଦୁ ମନ୍ଦିର ଯାଇ ଦର୍ଶନ କରିବା, ଜାମନଗର ଓ ରାଜକୋଟର ଗର୍‌ବା ଆୟୋଜନ ସ୍ଥଳକୁ ଯାଇ ଆରତୀ କରି ସେ ଯେ ହିନ୍ଦୁ ବିରୋଧୀ ନୁହଁନ୍ତି, ଏ ପ୍ରକାର ଏକ ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି।

ରାହୁଲ ଗାନ୍ଧୀ ଗତ ୨୫ ତାରିଖ ଦିନ ଦ୍ୱାରକାର କୃଷ୍ଣ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ସେହିପରି ବୁଧବାର ଦିନ ୧ଏକ ହଜାର ପାହାଚ ଚଢ଼ି ଚୋଟିଲାପାହାଡ଼ ଶୀର୍ଷରେ ଥିବା ଚାମୁଣ୍ଡା ମାତା ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ।ସେହିପରି ଲେଉଭା ପଟେଲ ସମ୍ପ୍ରଦାୟ ଦ୍ୱାରା ପ୍ରତିଷ୍ଠିତ ଖୋଦଲାଧାମ ମନ୍ଦିରରେ ଖୋଦଲା ମାଙ୍କୁ ଦର୍ଶନ କରିବା ସହିତ ମନ୍ଦିରର ଟ୍ରଷ୍ଟିମାନଙ୍କ ସହିତ ୨୦ ମିନିଟ୍‌ ଧରି ରୁଦ୍ଧ ଦ୍ୱାର ବୈଠକ କରିଥିଲେ। ସେହିପରି ରାଜକୋଟ ଫେରିବା ବାଟରେ ରାହୁଳ ଗାନ୍ଧୀ ଅପ୍ରତ୍ୟାଶିତଭାବେ ଜଲାରାମ ବାପା ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ମନ୍ଦିର ତଳେ ରୁଣ୍ଡ ହୋଇଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସହିତ ଆଲୋଚନା କରିଥିଲେ। ଏ ସମ୍ପର୍କରେ କଂଗ୍ରେସ ମୁଖପାତ୍ର ମନୀଷ ଦୋଶି କହିଛନ୍ତି ଯେ ବିଜେପି ଓ ଆରଏସଏସ ଲଗାତର ଭାବେ ରାହୁଲଙ୍କୁ ଆଣ୍ଟି ହିନ୍ଦୁଭାବେ ଚିତ୍ରଣ କରୁଛନ୍ତି। ତେଣୁ ଏହାର ଜବାବ ଦେବା ପାଇଁ ରାହୁଲ ଏହି ସବୁ ମନ୍ଦିର ଯାଇ ଦର୍ଶନ କରିଛନ୍ତି।

ସେହିପରି ଏଆଇସିସି ମୁଖପାତ୍ର ସତକ୍ରିଷ୍ଟ ଗୋହଲି କହିଛନ୍ତି ଯେ କଂଗ୍ରେସ ଦଳ ସମସ୍ତ ଧର୍ମକୁ ସମ୍ମାନ ଦେଇଥାଏ। ଜାତୀୟ ଜାରୁରୀ କାଳୀନ ପରିସ୍ଥିତି ପରେ ଇନ୍ଦିରା ଗାନ୍ଧୀ ଅମ୍ବାଜୀ ମନ୍ଦିର ରେ ପୂଜାର୍ଚ୍ଚନା କରି କ୍ଷମତାକୁ ଫେରିଥିଲେ। ଏଥର ମଧ୍ୟ ଆମେ ୨୨ ବର୍ଷ ଧରି ଗୁଜୁରାଟରେ ଶାସନ କ୍ଷମତାକୁ ଜାବୋଡ଼ି ଧରିଥିବା ବିଜେପିକୁ ଗାଦିଚ୍ୟୁତ କରି କ୍ଷମତାସୀନ ହେବୁ।

ତେବେ ରହୁଳଙ୍କ ଏପରି ଉଦ୍ୟମକୁ ବିଜେପି ପକ୍ଷରୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି। ଦଳର ରାଜ୍ୟ ସଭାପତି ଜିତୁ ଭଗାନୀ କହିଛନ୍ତି ଯେ ରାହୁଲଙ୍କୁ ଦେବ ଦର୍ଶନ କିମ୍ବା ଆରତୀ ଜଣାନାହିଁ। ଗର୍‌ବାରେ କେମିତି ଆରତୀ କରାଯାଏ ରାହୁଲ ଜାଣି ନ ଥିବାରୁ ତାଙ୍କ କର୍ମକର୍ତ୍ତାଙ୍କୁ ଅପଦସ୍ତ ହେବାକୁ ପଡ଼ିଥିଲା। ଏହା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସର ଫମ୍ପା ଉଦ୍ୟମ ବୋଲି ଶ୍ରୀ ଭଗାନୀ କହିଛନ୍ତି।

ସମ୍ବନ୍ଧିତ ଖବର