ଶୌଚାଳୟ ପାଣିରେ ଚା ଓ କଫି ତିଆରି କରିଥିବା ରେଳବାଇ ଭେଣ୍ଡର୍‌ଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା

ହାଇଦ୍ରାବାଦ: ଜଣେ ରେଳବାଇ ଭେଣ୍ଡର୍‌ ଶୌଚାଳୟ ପାଣିରେ ଚା ଓ କଫି ତିଆରି କରୁଥିବାର ଦୃଶ୍ୟର ଭିଡିଓ ଗତବର୍ଷ ଡିସେମ୍ବର ମାସରେ ଭାଇରାଲ୍‌ ହେବା ପରେ କର୍ତ୍ତୃପକ୍ଷମାନେ ତାଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

ଘଟଣାର ତଦନ୍ତକୁ ଆଧାର କରି ସିକନ୍ଦରାବାଦ ଏବଂ କାଜିପେଟ୍‌ ସେକ୍ସନ୍‌ ଠିକା ନେଇଥିବା କଣ୍ଟ୍ରାକ୍ଟର୍‌ଙ୍କ ଉପରେ ଏହି ଜରିମାନା କରାଯାଇଛି।

ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖାଯାଉଛି ନୀଳ ଜାମା ପିନ୍ଧିଥିବା ଜଣେ ଲୋକ ତେଲେଙ୍ଗାନାର ଏକ ରେଳଗାଡ଼ି ଶୌଚାଳୟ ଭିତରେ ତା’ର କେଟିଲ୍‌ରେ ପାଣି ପୂରାଉଛନ୍ତି। ଚେନ୍ନାଇ ସେଣ୍ଟ୍ରାଲ୍‌-ହାଇଦ୍ରାବାଦ ଚାର୍‌ମୀନାର୍‌ ଏକ୍ସ୍‍ପ୍ରେସ୍‌ରେ ଭେଣ୍ଡରଜଣକ ଅତ୍ୟନ୍ତ ଗୋପନୀୟତାର ସହ ପାଣି ପୂରାଉଥିଲେ ମଧ୍ୟ ଜଣେ ଯାତ୍ରୀ ତାହା ସୁଟିଙ୍ଗ୍‌ କରି ପକାଇଥିଲେ। ଉକ୍ତ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଅନେକ ଲୋକ ଅସନ୍ତୋଷ ବ୍ୟକ୍ତ କରିବା ସହ ରେଳବାଇ କର୍ତ୍ତୃପକ୍ଷଙ୍କ ପ୍ରତି ପ୍ରଶ୍ନ ଉଠାଇଥିଲେ।

ସ୍ୱାସ୍ଥ୍ୟକର ପରିବେଶରେ ପରିଷ୍କାର ଖାଦ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସତ୍ତ୍ୱେ ଭାରତୀୟ ରେଳବାଇ ପକ୍ଷରେ ତାହା ରକ୍ଷା କରିବ କଷ୍ଟକର ହୋଇଯାଇଛି। ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ ଗତ ମାସରେ ଭେଣ୍ଡର୍‌ମାନଙ୍କୁ କହିଥିଲେ କି, ଖାଦ୍ୟ ଓ ପାନୀୟ ମାନ ହ୍ରାସ ଘଟିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିମାନରେ ଚାଲିଥିବା କ୍ୟାଟରିଙ୍ଗ୍‌ ବ୍ୟବସ୍ଥା ଭଳି କ୍ୟାଟରିଙ୍ଗ୍‌ ବ୍ୟବସ୍ଥା ଗ୍ରହଣ କରିବାକୁ ରେଳବାଇ ଚାହୁଁଛି ବୋଲି ନିକଟରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର