ସରକାରଙ୍କ ସହ ମତାନ୍ତର ଯୋଗୁଁ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇ ପାରନ୍ତି ଉର୍ଜିତ ପଟେଲ୍‌

ନୂଆଦିଲ୍ଲୀ: ଭାରତର କେନ୍ଦ୍ରୀୟ ବ୍ୟାଙ୍କ୍‌ ଏବଂ ସରକାରଙ୍କ ମଧ୍ୟରେ ଟଙ୍କା ଓ ବଣ୍ଡ୍‌ ବିକ୍ରୟ ଜନିତ ମତାନ୍ତର ବଢୁଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ଇସ୍ତଫା ଦେବାକୁ ବିଚାର କରୁଛନ୍ତି ବୋଲି କେତେକ ଟିଭି ଚାନେଲରେ ପ୍ରସାରିତ ଖବରରୁ ଜଣାପଡ଼ିଛି।

ଏ ବାବଦରେ କୌଣସି ବିବୃତି ଦେବାକୁ ରିଜର୍ଭ ବ୍ୟାଙ୍କ୍‌ ଏବଂ ଅର୍ଥ ମନ୍ତ୍ରାଳୟ ମନା କରି ଦେଇଛନ୍ତି।

ଜନସ୍ୱାର୍ଥ ବିଷୟରେ କେନ୍ଦ୍ରୀୟ ବ୍ୟାଙ୍କ୍‌ର ଗଭର୍ଣ୍ଣରଙ୍କୁ ନିର୍ଦେଶ ଜାରି କରିବା ନିମନ୍ତେ ସରକାର କେବେ ବ୍ୟବହାର କରି ନ ଥିବା ଆର୍‌ବିଆଇ ଆକ୍ଟ୍‌ରେ ଥିବା କ୍ଷମତା ବ୍ୟବହାର କରିଛନ୍ତି ବୋଲି ମଧ୍ୟ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲା।

ଅନାଦେୟ ଋଣ ସଙ୍କଟ ନିମନ୍ତେ ମଙ୍ଗଳବାର ଦିନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଉପରେ ଦୋଷାରୋପ କରି କହିଲେ ଯେ କେନ୍ଦ୍ରୀୟ ବ୍ୟାଙ୍କ୍‌ ଯଥେଷ୍ଟ ଉଦ୍ୟମ କରୁ ନାହିଁ। ସେ କହିଲେ ଯେ ୨୦୦୮ ବିଶ୍ୱ ଆର୍ଥିକ ସଂକଟ ପରେ ଅର୍ଥନୀତିକୁ କୃତ୍ରିମ ଭାବେ ଚଳାଇବାକୁ ବ୍ୟାଙ୍କ୍‌ ସମୂହ ନିର୍ବିଚାରରେ ଋଣ ଦେଇ ଚାଲିଥିଲେ ଯାହା ୨୦୧୪ରେ ଯାଇ ଶେଷ ହେଲା।

ମଙ୍ଗଳବାର ଦିନ ଲିକ୍ୟୁଡିଟି ସଙ୍କଟ ସଂକ୍ରାନ୍ତରେ ଆଲୋଚନା କରିବାକୁ ଅର୍ଥମନ୍ତ୍ରୀ ଏବଂ ଅର୍ଥମନ୍ତ୍ରାଳୟର ଅନ୍ୟ ଶୀର୍ଷସ୍ତରୀୟ ଅଧିକାରୀମାନେ ‘ଫାଇନାନ୍‌ସିଆଲ୍‌ ଷ୍ଟାବିଲିଟି ଆଣ୍ଡ୍‌ ଡିଭେଲପ୍‌ମେଣ୍ଟ୍‌ କାଉନ୍‌ସିଲ୍‌’ ବୈଠକରେ ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ, ଇନ୍‌ସ୍ୟୁରାନ୍‌ସ୍‌ ରେଗୁଲେଟରି ଆଣ୍ଡ୍‌ ଡିଭେଲପ୍‌ମେଣ୍ଟ୍‌ ଅଥରିଟି ଏବଂ ପେନ୍‌ସନ୍‌ ରେଗୁଲେଟରି ଆଣ୍ଡ୍‌ ଡିଭେଲପ୍‌ମେଣ୍ଟ୍‌ ଅଥରିଟି ଆଦି ରେଗୁଲେଟରି ଅଥରିଟିଙ୍କ ସହ ପଟେଲ୍‌ ଯୋଗ ଦେଇଥିଲେ।

କିନ୍ତୁ, ଏହି ବୈଠକରେ ଇସ୍ତଫା ପ୍ରସଙ୍ଗରେ ପଟେଲ୍‌ କିଛି କହି ନ ଥିଲେ। ଶୁକ୍ରବାର ଦିନ ପଟେ ଏବଂ ଡେପୁଟି ଗଭର୍ଣ୍ଣର୍‌ମାନେ ଅର୍ଥମନ୍ତ୍ରାଳୟକୁ ଭେଟିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର