ଇଜିପ୍ଟରେ ବିଦ୍ରୋହୀ ଦମନ ଅଭିଯାନ:୨୮ ନିହତ, ୯୨ ଗିରଫ

ସିନାଇ(ଇଜିପ୍ଟ),

: ଇଜିପ୍ଟର ଉତ୍ତର ଓ କେନ୍ଦ୍ରୀୟ ସିନାଇ ଅଞ୍ଚଳରେ ସେନା ପକ୍ଷରୁ ଚାଲୁ ରହିଥିବା ବିଦ୍ରୋହୀ ଦମନ ଅଭିଯାନରେ ସୋମବାର ୧୨ ଜଣ ସନ୍ତ୍ରାସବାଦୀ ନିହତ ହୋଇଥିବା ବେଳେ ୯୨ ଜଣଙ୍କୁ ଗିରଫ କରାଯାଇଛି। ରବିବାର ମଧ୍ୟ ଅନୁରୂପ ଭାବେ ୧୬ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ଇଜିପ୍ଟ ସେନାବାହିନୀର ଏହି ଅତର୍କିତ ଚଢ଼ଉରେ ଆତଙ୍କବାଦୀଙ୍କର ୬୦ଟି ଆଡ଼ାସ୍ଥଳ ଏବଂ ୩୦ଟି ଅସ୍ଥାୟୀ ଶିବିରକୁ ମଧ୍ୟ ଧ୍ୱଂସ କରିଦିଆଯାଇଛି।
ସୂଚନା ଥାଉ କି, ଇଜିପ୍ଟର ଉତ୍ତର ସିନାଇରେ ୨୦୧୧ ଜାନୁଆରିରେ ଦେଖାଦେଇଥିବା ମହାବିପ୍ଳବ ପରେ ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ମୁଖ୍ୟତଃ ପୁଲିସ ଓ ସେନାବାହିନୀକୁ ଟାର୍ଗେଟ୍‌ କରି ଆତଙ୍କବାଦୀମାନେ ଆକ୍ରମଣ ଜାରି ରଖିଛନ୍ତି। ଇସ୍‌ଲାମୀୟ ରାଷ୍ଟ୍ରପତି ମହମଦ ମୋର୍ସିଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର ହେବାରୁ ୨୦୧୩ ମସିହାରେ ସେନା ତାଙ୍କୁ ବିତାଡ଼ିତ କରିବା ପରେ ଆତଙ୍କବାଦୀମାନେ ବେଶୀ ସକ୍ରିୟ ହୋଇପଡ଼ିଛନ୍ତି। ଏଥିରେ ଶହ ଶହ ସଂଖ୍ୟାରେ ପୁଲିସ ଓ ସୁରକ୍ଷା କର୍ମୀ ବଳି ପଡ଼ିଛନ୍ତି। ତେବେ ଗତ ନଭେମ୍ବରରେ ଏକ ମସ୍‌ଜିଦ୍‌ରେ ଆତଙ୍କବାଦୀ ଆକ୍ରମଣରେ ୩୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ପରେ ବିଦ୍ରୋହୀମାନଙ୍କୁ ଦମନ କରିବା ପାଇଁ ସେନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର