ଗୁମ୍ଫାରେ ଫୁଟ୍‌ବଲ୍‌ ଖେଳାଳି : ଉଦ୍ଧାର କାର୍ଯ୍ୟରେ ବର୍ଷା ବାଧକ, ଭିତରକୁ ଛଡ଼ାଯାଉଛି ଅମ୍ଳଜାନ

ମାଏ ସାଇ(ଥାଇଲାଣ୍ଡ) : ଉତ୍ତର ଥାଇଲାଣ୍ଡ ଅନ୍ତର୍ଗତ ଚିଆଙ୍ଗ୍‌ ରାଇ ପ୍ରଦେଶର ଥାମ୍‌ ଲୁଆଙ୍ଗ୍‌ ଗୁମ୍ଫାରେ ଫସିଥିବା ୧୨ ଜଣ ଫୁଟ୍‌ବଲ୍‌ ଖେଳାଳିଙ୍କୁ ଉଦ୍ଧାର କରିବା ଏବେ ଆହୁରି କଷ୍ଟକର ହୋଇପଡ଼ିଛି। ପ୍ରବଳ ଓ ଲଗାଣ ବର୍ଷା ଏଥିରେ ବାଧକ ସାଜିଛି। ଭିତରକୁ ଗଡ଼ାଣିଆ ଥିବା ଗୁମ୍ଫା ମଧ୍ୟକୁ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଏହାର ମୁକାବିଲା କରିବା ମୁସ୍କିଲ୍‌ ହୋଇପଡୁଛି। ତା’ସତ୍ତ୍ୱେ ଖେଳାଳିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ବିଭିନ୍ନ ରାଷ୍ଟ୍ରର ଗୁମ୍ଫା ବିଶେଷଜ୍ଞ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି। ୧୩ଟି ସେଟ୍‌ର ଉପକରଣ ସହାୟତାରେ ବିଶେଷଜ୍ଞ ଟିମ୍‌ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ଏହି ଫୁଟ୍‌ବଲ୍‌ ଖେଳାଳିମାନେ ଗୁମ୍ଫା ମଧ୍ୟରେ ୧୨ ରାତି କଟାଇ ସାରିଲେଣି। ଅଷ୍ଟ୍ରେଲିଆ, ଆମେରିକା, ଚୀନ୍‌ ଓ ବି୍ରଟେନ୍‌ ଭଳି ରାଷ୍ଟ୍ରର ଗୁମ୍ଫା ବିଶେଷଜ୍ଞ ନୂଆ ଜ୍ଞାନକୌଶଳ ପ୍ରୟୋଗ କରି ଜଳ ନିଷ୍କାସନ ବ୍ୟବସ୍ଥା କରୁଛନ୍ତି। ଗୁମ୍ଫା ମଧ୍ୟରେ ବାୟୁ ଚଳାଚଳକୁ ସୁବ୍ୟବସ୍ଥିତ କରିବା ସକାଶେ ମେସିନ୍‌ ସାହାଯ୍ୟରେ ପର୍ଯ୍ୟାପ୍ତ ଅମ୍ଳଜାନ ଛଡ଼ାଯାଉଛି। ଉଦ୍ଧାରକାରୀ ଟିମ୍‌ ମଧ୍ୟରେ ଥିବା ଜଣେ ବିଶେଷଜ୍ଞ କହିଛନ୍ତି, ପାଣିପାଗକୁ ନେଇ ଆମେ ଏବେ ସନ୍ଦିହାନ ରହିଛୁ। ଯଦି ପ୍ରବଳ ବର୍ଷା ଲାଗିରୁହେ, ତେବେ ପରିସ୍ଥିତି ଅଣାୟତ୍ତ ହେବା ଆଶଙ୍କା ରହିଛି। ୧୧ରୁ ୧୬ ବର୍ଷ ବୟସର ଏହି ପିଲାମାନେ ପହଁରା ଜାଣିନାହାନ୍ତି କି ପାଣିକୁ ଡେଇଁବା ଶିଖିନାହାନ୍ତି। ତେଣୁ ବର୍ଷା ଯୋଗୁ ପାଣି ବଢ଼ିଲେ କ’ଣ ଯେ ହେବ, ସେ ନେଇ ଏବେଠୁ କିଛି କହିହେଉ ନାହିଁ।

ସମ୍ବନ୍ଧିତ ଖବର