କୃଷ୍ଣସାର ମୃଗ ଶିକାର ମାମଲା: ସଲମାନଙ୍କୁ ୫ ବର୍ଷ ଜେଲ୍‌

ସୈଫ, ସୋନାଲି, ତବୁ, ନୀଲମ ଦୋଷମୁକ୍ତ

ଯୋଧପୁର: ୧୯୯୮ ମସିହାର ବିରଳ କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୀର୍ଘ ୨୦ ବର୍ଷ ଧରି ଏହି ମାମଲା ଚତୁର୍ଥ ତଥା ଶେଷ ମକଦ୍ଦମାରେ ସଲମାନଙ୍କୁ ଆଜି ଯୋଧପୁରର ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ତାଙ୍କୁ ୧୦ ହଜାର ଟଙ୍କା ଜୋରିମାନା ମଧ୍ୟ କରାଯାଇଛି। ଦଣ୍ଡାଦେଶ ଘୋଷଣା ପରେ ସଲମାନଙ୍କୁ କୋର୍ଟରୁ ସିଧାସଳଖ ଯୋଧପୁର ସେଣ୍ଟ୍ରାଲ ଜେଲ୍‌କୁ କଡ଼ା ସୁରକ୍ଷାରେ ନିଆଯାଇଥିଲା। ଆଜି ସଲମାନ ଜେଲ୍‌ରେ ରାତି କଟକାଇବେ। ଦଣ୍ଡାଦେଶର ଅବଧି ୩ ବର୍ଷରୁ ଅଧିକ ଥିବାରୁ ତାଙ୍କୁ ଟ୍ରାଏଲ କୋର୍ଟରେ ଜାମିନ ମିଳିପାରିବ ନାହିଁ ଏବଂ ଆସନ୍ତାକାଲି ସେସନ୍‌ କୋର୍ଟ ଜାମିନ ଆବେଦନ ସଂକ୍ରାନ୍ତ ଶୁଣାଣି କରିବେ। କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କ ସହ ରହିଥିବା ଅନ୍ୟ ଅଭିଯୁକ୍ତ ବଲିଉଡ୍‌ ଅଭିନେତା ସୈଫ ଅଲୀ ଖାନ୍‌, ସୋନାଲି ବେନ୍ଦ୍ରେ, ନୀଲମ୍‌ ଏବଂ ତବୁଙ୍କୁ ପ୍ରମାଣ ଅଭାବରୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଟ୍ରାଭେଲ୍‌ ଏଜେଣ୍ଟ୍‌ ଦୁଶ୍ୟନ୍ତ ସିଂହ, ଯିଏ ସଲମାନଙ୍କ ସହ ଅନ୍ୟ ଅଭିନେତା ଅଭିନେତ୍ରୀମାନଙ୍କୁ ଶିକାରସ୍ଥଳକୁ ନେଇ ଯାଇଥିଲେ ତାଙ୍କୁ ମଧ୍ୟ କୋର୍ଟ ଦୋଷମୁକ୍ତ କରିଛନ୍ତି। ଏହି ମାମଲାର ଅନ୍ୟଜଣେ ଅଭିଯୁକ୍ତ ତଥା ସଲମାନ୍‌ଙ୍କ ସହଯୋଗୀ ଦିନେଶ ଗାଓ୍ଵରେ ଫେରାର ଅଛନ୍ତି। ଆଜି ଟ୍ରାଏଲ୍‌ କୋର୍ଟରେ ଶୁଣାଣି ଚାଲିଥିବା ବେଳେ କୋର୍ଟ ବାହାରେ ବହୁ ସଂଖ୍ୟାରେ ଲୋକ ସଲମାନ ବିରୋଧୀ ସ୍ଲୋଗାନ ଦେଇଥିଲେ। ଦଣ୍ଡାଦେଶ ଘୋଷଣା ହେବାମାତ୍ରେ ସଲମାନ ବିବ୍ରତ ହୋଇଉଠିଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ତାଙ୍କ ଭଉଣୀ ଅର୍ପିତା ଏବଂ ଅଲ୍‌ଭିରା କାନ୍ଦି ପକାଇଥିଲେ । ଏଭଳି ସ୍ଥିତିରେ ସଲମାନ୍‌ଙ୍କ ଆଖି ବି ଛଳଛଳ ହୋଇଉଠିଥିଲା। ସଲମାନ୍‌ଙ୍କ ଓକିଲ ଜାମିନ ପାଇଁ ଆଜି ଯୋଧପୁର ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ ମଧ୍ୟ ସମୟ ଅଭାବରୁ ଏ ବାବଦରେ ତତ୍କାଳ ଶୁଣାଣି ସମ୍ଭବ ହୋଇପାରିନି। ତେଣୁ ସଲ୍‌ମାନଙ୍କୁ ଆଜି ରାତି ଜେଲ୍‌ରେ ହିଁ ବିତାଇବାକୁ ପଡ଼ିବ। ଯଦି ସଲମାନଙ୍କ ଜାମିନ ଆବେଦନ ଖାରଜ ହୋଇଯାଏ ତା’ହେଲେ ତାଙ୍କୁ ଯୋଧପୁର ଜେଲ୍‌ରୁ ଉଦୟପୁର ଜେଲ୍‌କୁ ସ୍ଥାନାନ୍ତର କରାଯିବ। ସୁରକ୍ଷା ଦୃଷ୍ଟିରୁ ଏଭଳି ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।

ଉଲ୍ଳେଖଯୋଗ୍ୟ ୧୯୯୮ ମସିହା ଅକ୍ଟୋବର ୧-୨ ରାତିରେ ସଲମାନ୍‌ ଏବଂ ଅନ୍ୟ ସହକର୍ମୀମାନେ ଫିଲ୍ମ ‘ହମ୍‌ ସାଥ୍‌ ସାଥ୍‌ ହୈଁ’ ର ସୁଟିଂ ପାଇଁ ଜୋଧପୁରର କନ୍‌କାନି ଗ୍ରାମକୁ ଯାଇଥିବା ସମୟରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ସଲମାନ୍‌ଙ୍କ ସମେତ ଅନ୍ୟ ସାଥୀ ଅଭିନେତା ଅଭିନେତ୍ରୀମାନେ ଅଭିଯୁକ୍ତ ଥିଲେ। ଦୀର୍ଘ ୨୦ ବର୍ଷ ଧରି ମାମଲାର ବିଚାର ଚାଲିଥିବା ବେଳେ ଗତ ମାର୍ଚ୍ଚ ୨୮ ତାରିଖରେ ବିଚାରପତି ଦେବ କୁମାର ଖତ୍ରୀ ମାମଲାର ଶେଷ ଶୁଣାଣି ସମୟରେ ରାୟ ସଂରକ୍ଷିତ ରଖିଥିଲେ। ତେବେ ସଲମାନ୍‌ଙ୍କ ଆଇନଜୀବୀ ଏଚ୍‌ ଏମ୍‌ ସାରସ୍ୱତ ସେତେବେଳେ କହିଥିଲେ ଯେ ବିଚାର ପ୍ରକ୍ରିୟାରେ ଅନେକ ତ୍ରୁଟି ରହିଯାଇଛି ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ ରହିଥିବା ଅଭିଯୋଗକୁ ପ୍ରମାଣ କରିବାରେ ବିଫଳ ହୋଇଛି। ଅନ୍ୟପକ୍ଷରେ ସଲମାନ କିନ୍ତୁ ଏହି ମାମଲାରେ ନିଜକୁ ନିର୍ଦ୍ଦୋଷ ବୋଲି କହି କୋର୍ଟଙ୍କ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ କୃଷ୍ଣସାର ମୃଗ ପ୍ରାକୃତିକ କାରଣରୁ ମରିଥିଲା ଏବଂ ଅଯଥାରେ ତାଙ୍କୁ ଫସାଇ ଦିଆଯାଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନର ଧାରା ୫୧ ଅନ୍ତର୍ଗତ ସଲମାନ୍‌ଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ଆଇନରେ ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ ୬ ବର୍ଷ ଏବଂ ସର୍ବନିମ୍ନ ୧ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିଥାଏ। ତେବେ ଶେଷ ମାମଲାରେ ମୃତ କୃଷ୍ଣସାରର ଡିଏନ୍‌୍‌ଏ ପରୀକ୍ଷାରୁ ଏହାର ମରିବା ସମୟ ଓ ଗୁଳି ବାବଦ ତଥ୍ୟ ପ୍ରମାଣିତ ହୋଇଥିଲା। ଆଜି ସଲମାନ୍‌ ଦୋଷୀ ସାବ୍ୟସ୍ତ ହେବାପରେ ଦୀର୍ଘ ୨୦ ବର୍ଷ ଧରି ନ୍ୟାୟ ପାଇଁ ଲଢ଼େଇ କରୁଥିବା ବିଷ୍ଣୋଇ ସଂପ୍ରଦାୟ ଖୁସି ଜାହିର୍‌ କରିଛନ୍ତି। ଅତ୍ୟନ୍ତ ପ୍ରଭାବଶାଳୀ ବଲିଉଡ୍‌ ସୁପର୍‌ଷ୍ଟାରଙ୍କ ବିରୋଧରେ ସଂପ୍ରଦାୟ ତା’ର ଅଭିଯାନ ଜାରି ରଖିବ ଏବଂ ଏହି ମାମଲାରେ ଦୋଷମୁକ୍ତ ହୋଇଥିବା ସଲମାନ୍‌ଙ୍କର ଅନ୍ୟ ସାଥୀମାନଙ୍କ ବିରୋଧରେ ଅଦାଲତରେ ଆବେଦନ କରିବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର