ପ୍ରସବ ସମୟରେ ପେଟରେ କଇଁଚି ଛାଡ଼ିଦେଲେ ଡାକ୍ତର, ମହିଳାଙ୍କ ମୃତ୍ୟୁ

ଏହ୍ଳାବାଦ: ଡାକ୍ତରଙ୍କ ଅବହେଳା କାରଣରୁ ଜନୈକା ମହିଳାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ସଂପର୍କରେ ପୁଲିସ୍‌ରେ ଅଭିଯୋଗ ହେବା ପରେ ଏହି ଘଟଣାର ତଦନ୍ତ କରିବା ପାଇଁ ଏକ କମିଟି ଗଠିତ ହୋଇଥିବା ଜଣାପଡ଼ିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ଜଣାପଡ଼ିଛି, ଜାମ୍‌ହା ଗ୍ରାମରେ ବସବାସ କରୁଥିବା ଅଶୋକ ସୋନି ତାଙ୍କର ଆସନ୍ନ ପ୍ରସବା ପତ୍ନୀ ପ୍ରିୟା ସୋନିଙ୍କୁ ପ୍ରସବ ପାଇଁ ସୋରାନ୍‌ ସ୍ଥିତ ମଦର ଆଣ୍ଡ ଚାଇଲଡ୍‌ ହସପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଅକ୍ଟୋବର ୨୯ ତାରିଖରେ ଡାକ୍ତରମାନେ ପ୍ରିୟାଙ୍କର ଅସ୍ତ୍ରୋପଚାର ଜରିଆରେ ପ୍ରସବ କରାଇଥିଲେ। ପ୍ରସବ ପରେ ସଂପୃକ୍ତ ଡାକ୍ତରଖାନାରେ କିଛିଦିନ ଚିକିତ୍ସାଧୀନ ରହିବା ପରେ ପ୍ରିୟା ତାଙ୍କ ନବଜାତକ ସହ ଘରକୁ ଫେରି ଆସିଥିଲେ।

ହେଲେ, ଘରକୁ ଫେରିବା ପରେ ତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଯନ୍ତ୍ରଣା କ୍ରମେ ଅସହ୍ୟ ହେବାରୁ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ପେଟର ଅଲଟ୍ରାସାଉଣ୍ଡ ପରୀକ୍ଷା କରାଇଥିଲେ। ଅଲଟ୍ରାସାଉଣ୍ଡ ପରୀକ୍ଷା ରିପୋର୍ଟରୁ ତାଙ୍କ ପେଟରେ ଏକ ଅସ୍ତ୍ରୋପଚାର ପାଇଁ ଉଦ୍ଦିଷ୍ଟ ଏକ କଇଁଚି ରହିଯାଇଥିବା ଜଣାପଡ଼ିଥିଲା ବୋଲି ତାଙ୍କ ମା’ ମାଲା ସୋନି କହିଛନ୍ତି।

ପରେ ଏହି ଘଟଣା ସଂପର୍କରେ ପ୍ରିୟାଙ୍କ ପରିବାର ବର୍ଗ ସଂପୃକ୍ତ ମଦର ଆଣ୍ଡ ଚାଇଲଡ୍‌ ହସପିଟାଲକୁ ଯାଇ ତାଙ୍କର ପ୍ରସବ କରାଇଥିବା ଡାକ୍ତରଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ତେବେ, ଡାକ୍ତର ପ୍ରିୟାଙ୍କ ଚିକିତ୍ସା ସେଠାରେ ନକରି ତାଙ୍କୁ ଦ୍ୱିବେଦୀ ହସପିଟାଲ ନାମକ ଆଉ ଏକ ଘରୋଇ ହସପିଟାଲକୁ ପଠାଇ ଦେଇଥିଲେ। ସେଠାରେ ତାଙ୍କ ପେଟରେ ଆଉ ଗୋଟିଏ ଅସ୍ତ୍ରୋପଚାର କରାଯିବା ସହ ପେଟ ମଧ୍ୟରୁ କଇଁଚିକୁ ବାହାର କରାଯାଇଥିଲା। ହେଲେ, ଦ୍ୱିତୀୟ ଅସ୍ତ୍ରୋପଚାର ପରେ ପ୍ରିୟାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦ୍ୱିଦେବୀ ହସପିଟାଲର ଡାକ୍ତରମାନେ ତାଙ୍କୁ ଏହ୍ଲାବାଦର ସ୍ୱରୂପ ରାଣୀ ନେହେରୁ ହସପିଟାଲକୁ ପଠାଇ ଦେଇଥିଲେ। ସେଠାରେ ପ୍ରିୟାଙ୍କର ଅବସ୍ଥା ସୁଧୁରିବା ପରିବର୍ତ୍ତେ ଅଧିକ ଗୁରୁତର ହୋଇ ପଡ଼ିଥିଲା। ସେଠାରେ ଦୀର୍ଘ ପ୍ରାୟ ଦେଢ଼ମାସ ଧରି ଚିକିତ୍ସାଧୀନ ରହିବା ପରେ ଗତ ରବିବାର ଦିନ ପ୍ରିୟାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ପ୍ରିୟାଙ୍କ ମୃତ୍ୟୁ ପରେ ତାଙ୍କର ମା’ ସମଗ୍ର ଘଟଣା ସଂପର୍କରେ ପୁଲିସ୍‌କୁ ଜଣାଇବା ସହ ଉଭୟ ମଦର ଆଣ୍ଡ ଚାଇଲଡ୍‌ ହସପିଟାଲ ଓ ଦ୍ୱିବେଦୀ ହସ୍‌ପିଟାଲ ବିରୋଧରେ ଏତଲା ଦେଇଥିଲେ। ଏହାପରେ ମୁଖ୍ୟ ଚିକିତ୍ସା ଅଧିକାରୀ ଆଲୋକ ବର୍ମା ଏହି ଘଟଣା ଏକ ଗୁରୁତର ଘଟଣା ବୋଲି ସ୍ୱୀକାର କରିବା ସହ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ଏ.କେ.ତିଓ୍ଵାରିଙ୍କ ନେତୃତ୍ୱରେ ସମଗ୍ର ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିବା ସହ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରୁ ଯଦି ଡାକ୍ତରଙ୍କ ଅବହେଳା କାରଣରୁ ସଂପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼େ, ତେବେ ସଂପୃକ୍ତ ଦୁଇଟିଯାକ ଘରୋଇ ହସପିଟାଲର ଲାଇସେନ୍ସକୁ ରଦ୍ଦ କରି ଦିଆଯିବ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର