ଉତ୍ତର-ଭାରତରେ ତାଣ୍ଡର ରଚିଲା ଝଡ଼ବର୍ଷା, ୯ ମୃତ

ନୂଆଦିଲ୍ଲୀ : ବିଗତ କିଛି ଦିନ ଧରି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯାଇଥିଲା ଯେ ଉତ୍ତର ଭାରତରେ ପ୍ରବଳ ଝଡ଼ ବର୍ଷା ହେବ । ମାତ୍ର କିଛି ଦିନ ଧରି ଏପରି କିଛି ନ ହେବାରୁ ଲୋକେ ପାଣିପାଗ ବିଭାଗ ଉପରେ ବିରକ୍ତ ହୋଇଥିଲେ । କିିନ୍ତୁ ଆଜି ବିଭାଗର ଚେତାବନୀ ସତ ପ୍ରମାଣିତ ହୋଇଛି । ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ତାନ ଆଦି ରାଜ୍ୟରେ ଆଜି ତାଣ୍ଡବ ରଚିଛି ଧୂଳିଝଡ଼ ଓ ପ୍ରବଳ ବର୍ଷା । ଏହା ଫଳରେ କେବଳ ଉତ୍ତର ପ୍ରଦେଶରେ ୯ ଜଣ ମୃତ୍ୟୁବରଣ କରିଥିବାବେଳେ ୩୪ ଜଣ ଆହତ ହୋଇଛନ୍ତି । ରାଜ୍ୟର ବୁଲନ୍ଦସହରରେ ବିଜୁଳି ମାରିବାରୁ ନିଆଁ ଲାଗି ଅନେକ ଘର ଜଳିଯାଇଛି । ଏହି ଝଡ଼ବର୍ଷା କାରଣରୁ ଆଜି ଦିଲ୍ଲୀ, ଏୟାରପୋର୍ଟକୁ ଆସୁଥିବା ପ୍ରାୟ ୪୦ଟି ଫ୍ଲାଇଟକୁ ରଦ୍ଦ କରାଯାଇଛି ବା ଅନ୍ୟଆଡେ ପଠାଇଦିଆଯାଇଛି । ଦିଲ୍ଲୀକୁ ଆସୁଥିବା ୯ଟି ଫ୍ଲାଇଟକୁ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଏୟାରପୋର୍ଟକୁ ପଠାଇଦିଆଯାଇଛି । ଆଗାମୀ କିଛି ଦିନ ଧରି ମଧ୍ୟ ଏପରି ଝଡ଼ବର୍ଷାର ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ସମ୍ବନ୍ଧିତ ଖବର