ଶିବସେନାକୁ ଶାହଙ୍କ ଧମକ:ମେଣ୍ଟ ନକଲେ ମୂଳପୋଛ କରିଦେବୁ

ଶାହଙ୍କୁ ଶିବସେନାର ଜବାବ ଇଭିଏମ୍‌ ସହ ହାତ ମିଳାଇଛି ବିଜେପି

ନୂଆଦିଲ୍ଲୀ: ଏନ୍‌ଡିଏଠାରୁ ସମ୍ପର୍କ ତୁଟାଉଥିବା ଦଳଗୁଡ଼ିକୁ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ ଖୋଲା ଚାଲେଞ୍ଜ୍ ଦେଇଛନ୍ତି। ଶିବସେନାକୁ ଟାର୍ଗେଟ୍‌ କରି ଶାହ କହିଛନ୍ତି, ଏନ୍‌ଡିଏ ସହ ସୁସମ୍ପର୍କ ରଖି କାମ କଲେ ସାଧାରଣ ନିର୍ବାଚନରେ ସହଯୋଗୀଙ୍କ ବିଜୟକୁ ସୁନିଶ୍ଚିତ କରାଯିବ। ଆଉ ଯଦି ସେମାନେ ଆମଠାରୁ ସମର୍ଥନ ପ୍ରତ୍ୟାହାର କରି ଏକାକୀ ଲଢ଼ିବେ, ତା’ହେଲେ ସେମାନଙ୍କୁ ମୂଳପୋଛ କରିଦିଆଯିବ। ବିଜେପି ଏକାକୀ ସେମାନଙ୍କୁ ହରାଇବାକୁ ସମର୍ଥ ରହିଛି। ସହଯୋଗୀ ଦଳଗୁଡ଼ିକୁ ହରାଇବାକୁ ଆମେ ଏବେ ପ୍ରସ୍ତୁତ ବୋଲି ଶାହ କହିଛନ୍ତି।
ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ ଶିବସେନାକୁ ସିଧାସଳଖ ଟାର୍ଗେଟ୍‌ କରି କହିଛନ୍ତି, ମହାରାଷ୍ଟ୍ରରେ ୨୦୧୯ ସାଧାରଣ ନିର୍ବାଚନରେ ଯଦି ଶିବସେନା ମେଣ୍ଟରେ ନରୁହେ, ତେବେ ବିଜେପିଠାରୁ ଏହାକୁ ପରାଜୟ ବରଣ କରିବାକୁ ପଡ଼ିବ। ଶାହଙ୍କ ଏଭଳି ବୟାନ ପରେ ଶିବସେନା କ୍ଷୁବ୍ଧ ହୋଇଛି। ଆଜି ଶିବସେନା ମଧ୍ୟ ତାହାର କଡ଼ା ଜବାବ ରଖିଛି। ଶିବସେନା କହିଛି ଯେ ସହଯୋଗୀଙ୍କ ହତାଶାବୋଧକୁ ନବୁଝି ବିଜେପି ଏବେ ଅନ୍ୟ ବିକଳ୍ପ ଗ୍ରହଣ କରିବାକୁ ଚେଷ୍ଟା କରୁଛି। ଶାହଙ୍କ ଏଭଳି ମନ୍ତବ୍ୟରୁ ଜଣାପଡ଼ୁଛି ଯେ ବିଜେପି କଳେବଳେ କୌଶଳେ ନିର୍ବାଚନ ଜିତିପାରିବ। କାରଣ ଇଭିଏମ୍‌ ଉପରେ ଏହାର ଭରସା ରହିଛି। ଇଭିଏମ୍ ସହିତ ବିଜେପି ହାତ ମିଳାଇଥିବାରୁ ଏହା ଆଉ ଅନ୍ୟର ସମର୍ଥନକୁ ବିଶ୍ବାସ କରୁନାହିଁ। ସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଉଦ୍ଧବ ଠାକରେ ହିନ୍ଦୁମାନଙ୍କ ପାଇଁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଦାବି କରୁଥିଲେ। ସେଥିପାଇଁ ‘ପ୍ରଥମେ ମନ୍ଦିର, ପରେ ସରକାର’ ବୋଲି ସ୍ଲୋଗାନ୍‌ ଦିଆଯାଇଥିଲା। ଏଥିରେ ବିଜେପି ପ୍ରତିକ୍ରିୟାଶୀଳ ହେବା ଅନୁଚିତ। ଏଥିରୁ ଜଣାପଡୁଛି ଯେ ବିଜେପି ହିନ୍ଦୁମାନଙ୍କ ଦାବି ପୂରଣ କରିବାକୁ ଚାହୁନାହିଁ। ଏଭଳି କରି ହିନ୍ଦୁତ୍ବରେ ବିଶ୍ବାସ ରଖୁଥିବା ଲୋକମାନଙ୍କୁ ବିଜେପି ପ୍ରତାରଣା ଦେବାକୁ ଚାହୁଛି ବୋଲି ସେନା କହିଛି।
ଉଲ୍ଲେଖଯୋଗ୍ୟ, ରବିବାର ଅମିତ୍‌ ଶାହ ନିଜ ଦଳୀୟ କର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ମେଣ୍ଟ ପ୍ରସଙ୍ଗ ଉଠାଇଥିଲେ। ବିଜେପି ନିକଟରେ ଏବେ ୧୧ କୋଟି କର୍ମକର୍ତ୍ତା ଥିବାରୁ କେହି ଏହାକୁ ହରାଇ ପାରିବେ ନାହିଁ ବୋଲି ସେ କହିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ ଏକ ରୁଦ୍ଧଦ୍ବାରା ବୈଠକରେ କହିଥିଲେ ଯେ ଦଳ ମହାରାଷ୍ଟ୍ରରେ ସମସ୍ତ ଆସନରେ ଲୋକସଭା ନିର୍ବାଚନ ଲଢ଼ିବ। ତେଣୁ କର୍ମକର୍ତ୍ତାମାନେ ଦଳୀୟ ପ୍ରାର୍ଥୀଙ୍କୁ ସମସ୍ତ ଶକ୍ତି ଯୋଗାଇବାକୁ ହେବ। ଏମିତି କି ଯେଉଁ ଆସନରେ ସହଯୋଗୀ ପ୍ରାର୍ଥୀ ଦେବେ, ସେଠାରେ ମଧ୍ୟ ବିଜେପି ଏହାର ପ୍ରାର୍ଥୀଙ୍କୁ ଛିଡ଼ା କରାଇବ। ତେଣୁ ସହଯୋଗୀଙ୍କୁ ନେଇ ଦଳୀୟ କର୍ମକର୍ତ୍ତାଙ୍କୁ କୌଣସି ଭୟଭୀତ ହେବା ଉଚିତ ନୁହେଁ ବୋଲି ଫଡ଼ନାବିସ୍‌ କହିଥିବା ଜଣାପଡ଼ିଛି।
ଶିବସେନା ପକ୍ଷରୁ କୁହାଯାଇଛି ଯେ ମେଣ୍ଟ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବିଜେପିର କୌଣସି ନେତା ଶିବସେନା ନିକଟକୁ ଆସିନାହାନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ସହଯୋଗୀ ଭାବେ ସେନା ଓ ବିଜେପି ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ବିଧାନସଭା ନିର୍ବାଚନ ବେଳେ ବିଜେପି ଅଲଗା ହୋଇଯାଇଥିଲା। ପରେ ସେନା ପୁଣି ବିଜେପି ସହ ହାତ ମିଳାଇଥିଲା। ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଦୁଇ ଦଳ ମଧ୍ୟରେ ଏଭଳି ସମ୍ପର୍କକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର