ନାଗରିକତା ବିଲ୍‌ ପ୍ରସଙ୍ଗରେ ଓଲଟିଲା ଶିବସେନା : ରାଜ୍ୟସଭାରେ ସମର୍ଥନ ପାଇଁ ସର୍ତ୍ତ ରଖିଲା

ମୁମ୍ବାଇ : ଲୋକସଭାରେ ସୋମବାରଦିନ ନାଗରିକତା (ସଂଶୋଧନ) ବିଲ୍‌-୨୦୧୯ ସପକ୍ଷରେ ଭୋଟ ଦେଇଥିବା ଶିବସେନା ଆଜି ୟୁ-ଟର୍ଣ୍ଣ ମାରିଛି । ଦଳର ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ ଏହି ବିଲ୍‌ ସଂପର୍କରେ ଥିବା କେତେକ ପ୍ରଶ୍ନର ଉତ୍ତର ନମିଳିଲେ ଶିବସେନା ରାଜ୍ୟସଭାରେ ତାହାକୁ ସମର୍ଥନ କରିବ ନାହିଁ । ଦଳ ପକ୍ଷରୁ ଦାବି କରାଯାଉଥିବା କେତେକ ସଂଶୋଧନ ଏହି ବିଲ୍‌ରେ ଅନ୍ତର୍ଭୁକ୍ତ କରିବାକୁ ସେ କହିଛନ୍ତି ।

ମୁମ୍ବାଇଠାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ପଡ଼ୋଶୀ ଦେଶରେ ଅତ୍ୟାଚାର ସହୁଥିବା ହିନ୍ଦୁ ଓ ଅନ୍ୟାନ୍ୟ ସଂଖ୍ୟାଲଘୁମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଶିବସେନା ଲୋକସଭାରେ ଏହି ବିଲ୍‌କୁ ସମର୍ଥନ କରିଥିଲା । କିନ୍ତୁ ରାଷ୍ଟ୍ରୀୟ ସୁରକ୍ଷା, ସ୍ଥାନୀୟ ଲୋକଙ୍କ ସ୍ୱାର୍ଥରକ୍ଷା ଆଦି ପ୍ରସଙ୍ଗରେ ଆମେ କେତେକ ପ୍ରଶ୍ନ ପଚାରିଥିଲୁ । ସେସବୁ ପ୍ରଶ୍ନର ଉତ୍ତର ନ ମିଳିଲେ ରାଜ୍ୟସଭାରେ ସମର୍ଥନ କରିବା କଷ୍ଟକର ହୋଇପଡ଼ିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଏହି ବିଲ୍‌ ଅପେକ୍ଷା ଦେଶର ଅର୍ଥନୀତି, ପିଆଜ ଦରବୃଦ୍ଧି ଆଦି ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ।
ଉଲ୍ଲେଖଯୋଗ୍ୟ ଯେ ବୁଧବାରଦିନ ଏହି ବିଲ୍‌ ରାଜ୍ୟସଭାରେ ଆଗତ ହେବ । ରାଜ୍ୟସଭାରେ ସରକାରଙ୍କ ସଂଖ୍ୟାଗରିଷ୍ଠତା ନଥିବାରୁ ଗୃହୀତ ହେବା ପାଇଁ ଶିବସେନାର ସମର୍ଥନ ଜରୁରୀ ।

ନାଗରିକତା (ସଂଶୋଧନ) ବିଲ୍‌-୨୦୧୯ ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ,ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର