ସିଦ୍ଦରାମୟାଙ୍କୁ ଟକ୍କର ଦେଉଛନ୍ତି ସୁଷମାଙ୍କ ଡ୍ରାଇଭର!

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ଯେତେ ପାଖେଇ ଆସୁଛି, ଏହାକୁ ନେଇ ଲୋକଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ଦେଖିବାକୁ ମିଳୁଛି। କଂଗ୍ରେସ ଓ ବିଜେପି ଏବେ କର ବା ମର ନୀତିରେ ଅବତୀର୍ଣ୍ଣ ହୋଇଛନ୍ତି। ସିଦ୍ଦରାମେୟାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ସ୍ୱୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି। ପ୍ରତିଦିନ ନିର୍ବାଚନକୁ ନେଇ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଜଣାପଡ଼ିଛି ଯେ ମୁଖ୍ୟମନ୍ତ୍ରୀ ସିଦ୍ଦରାମୟାଙ୍କୁ ଟକ୍କର ଦେଉଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପୂର୍ବତନ ଡ୍ରାଇଭର ଶ୍ରୀରାମୁଲୁ। ମୁଖ୍ୟମନ୍ତ୍ରୀ ସିଦ୍ଦରାମୟା ଚାମୁଣ୍ଡେଶ୍ୱରୀ ଓ ବାଦାମୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି। ତେବେ ବାଦାମୀରେ ସିଦ୍ଦରାମୟାଙ୍କୁ ବିଜେପି ପ୍ରାର୍ଥୀ ଶ୍ରୀରାମୁଲୁ କଡ଼ା ଟକ୍କର ଦେଉଛନ୍ତି। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ବିଜେପି ସରକାର ଗଢିଲେ ଶ୍ରୀରାମୁଲୁ ଉପ ମୁଖ୍ୟମନ୍ତ୍ରୀ ହେବେ।

ଏକଦା ସୁଷମାଙ୍କ ଡ୍ରାଇଭର ଥିବା ଶ୍ରୀରାମୁଲୁ ଏବେ ଖଣି ମାଫିଆ ରେଡ୍ଡି ବ୍ରଦର୍ସଙ୍କ ସହଯୋଗୀ। କର୍ଣ୍ଣାଟକର ଜଣେ ଧନୀ ପ୍ରାର୍ଥୀ ଭାବେ ମଧ୍ୟ ସେ ବେଶ ପରିଚିତି ଲାଭ କରିପାରିଛନ୍ତି। ଏହାଛଡ଼ା ରାଜ୍ୟରେ ଦଳିତ ଓ ଆଦିବାସୀଙ୍କର ବଡ଼ ନେତା ହେଉଛନ୍ତି ଶ୍ରୀରାମୁଲୁ। ରାଜ୍ୟ ସଭାପତି ୟେଦୁରପ୍ପାଙ୍କ ପରେ ଶ୍ରୀରାମୁଲୁ ହେଉଛନ୍ତି ବିଜେପିର ଦ୍ୱିତୀୟ ସବୁଠୁ ବଡ଼ ଚେହେରା। ମୁଖ୍ୟମନ୍ତ୍ରୀ ସିଦ୍ଦରାମୟାଙ୍କ ପରି ଶ୍ରୀରାମୁଲୁ ମଧ୍ୟ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି। ଗୋଟିଏ ହେଲା ବାଦାମୀ ଓ ଅନ୍ୟଟି ମୋଲକାମ।

କେମିତି ହେଲେ ରାଜନେତା?
ବେଙ୍ଗାଲୁରୁ: ୧୯୯୯ ମସିହାରେ ସୁଷମା ସ୍ୱରାଜ ବେଲାରୀ ନିର୍ବାଚନ ମଣ୍ଡଳୀରୁ ଲଢୁଥିଲେ। ଏହି ସମୟରେ ସୁଷମାଙ୍କ ନିର୍ବାଚନ ପ୍ରଚାର ବେଳେ ତାଙ୍କ ଡ୍ରାଇଭର ଭାବେ ଶ୍ରୀରାମୁଲୁ ଦାୟିତ୍ୱ ନିର୍ବାହ କରୁଥିଲେ। କିନ୍ତୁ ଶ୍ରୀରାମୁଲୁ ତାଙ୍କ ନିଷ୍ଠା ଓ ଜନସଂପର୍କ ପାଇଁ ଲୋକପ୍ରିୟ ହେବାକୁ ଲାଗିଲେ। ସେହିବର୍ଷ ହିଁ ତାଙ୍କୁ ବେଲାରୀ ବିଧାନସଭା ଆସନରୁ ନିର୍ବାଚନ ଲଢିବାର ସୁଯୋଗ ମିଳିଲା ଓ ସେ ନିର୍ବାଚନ ମଧ୍ୟ ଜିତିଲେ। ୨୦୦୮ ମସିହାରେ ରାଜ୍ୟ ବିଧାନସଭାରେ ଶକ୍ତି ମନ୍ତ୍ରୀ ଭାବେ ଦାୟିତ୍ୱ ମଧ୍ୟ ମିଳିଲା। ୨୦୧୧ରେ ବିଜେପି ଛାଡ଼ି ବିଏସ୍‌ଆର କଂଗ୍ରେସ ଭାବେ ନୂଆ ଦଳ ଗଠନ କଲେ। କିନ୍ତୁ ଅସଫଳ ହେବାରୁ ପୁଣିଥରେ ବିଜେପିକୁ ଫେରିଲେ।

ସମ୍ବନ୍ଧିତ ଖବର