୪୩୩୭ ଭୋଟ୍‌ ମିଳିଥିଲେ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ଶିବରାଜ

ଭୋପାଳ: ମଧ୍ୟ ପ୍ରଦେଶ ନିର୍ବାଚନରେ ବହୁମତ ପାଇଁ ଆବଶ୍ୟକ ଥିଲା ୧୧୬ ଆସନ। କିନ୍ତୁ ବିଜେପି ୧୦୯ରେ ସୀମିତ ରହିଥିଲା। ଆଉ ମାତ୍ର ୭ଟି ଆସନ ମିଳିଯାଇଥିଲେ, ଶିବରାଜ ସିଂହ ଚୌହାନ୍‌ ରାଜ୍ୟ‌ରେ ଲଗାତର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ନୂଆ ରେକର୍ଡ ସ୍ଥାପନ କରିଥାନ୍ତେ। କିନ୍ତୁ କଂଗ୍ରେସ ସେଥିରେ ବ୍ରେକ୍‌ କଷିବାରେ ସମର୍ଥ ହୋଇଛି। ଶିବରାଜଙ୍କ ଚତୁର୍ଥ ଇନିଂସ ଆଶା ଧୂଳିସାତ୍‌ କରିଦେଇଛି। ନିର୍ବାଚନ କମିସନ୍‌ ସୂତ୍ରରୁ ମିଳିଥିବା ଖବର ମୁତାବକ ଆଉ ମାତ୍ର ୪୩୩୭ଟି ଭୋଟ୍‌ ମିଳିଥିଲେ, ବିଜେପି ଆବଶ୍ୟକ କରୁଥିବା ୭ଟି ଆସନରେ ବିଜୟୀ ହୋଇଥାନ୍ତା। ଏହାଦ୍ବାରା ଦଳକୁ ୧୧୬ ଅଙ୍କ ମିଳିପାରିଥାନ୍ତା। ଫଳରେ ଶିବରାଜ ସିଂହ ଚୌହାନ୍‌ ପୁଣି ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। କିନ୍ତୁ ଦଳ ୪୩୩୭ ଭୋଟ୍‌ଠାରୁ ପଛରେ ରହିଯିବା କାରଣରୁ ତାଙ୍କର ଏହି ସ୍ବପ୍ନ ମଉଳି ଯାଇଛି। ବିଜେପି ପ୍ରାର୍ଥୀମାନେ ଯେଉଁ ୭ଟି ଆସନରେ ହାରିଛନ୍ତି, ସେଠାରେ ହାରିବା ବ୍ୟବଧାନ ୧,୦୦୦ ଭୋଟ୍‌ଠାରୁ ବି କମ୍‌ ରହିଛି। କମିସନ୍‌ ରିପୋର୍ଟ ମୁତାବକ ମଧ୍ୟ ପ୍ରଦେଶରେ ୧୦ଟି ଆସନ ଏଭଳି ଥିଲା, ଯେଉଁଠାରେ ବିଜୟର ବ୍ୟବଧାନ ହଜାରେ ଭୋଟ୍‌ରୁ କମ୍ ରହିଥିଲା। ଏହି ଆସନଗୁଡ଼ିକ ମଧ୍ୟରୁ କଂଗ୍ରେସ ହାତରେ ୭ଟି ପଡ଼ିଥିବା ବେଳେ ବିଜେପି ୩ଟି ପାଇଥିଲା। ଏହା‌ ହିଁ ଶିବରାଜ ସିଂହ ଚୌହାନ୍‌ ସରକାରଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

କେନ୍ଦ୍ରକୁ ଯିବିନାହିଁ: ଶିବରାଜ
ଭୋପାଳ: ମଧ୍ୟ ପ୍ରଦେଶରେ ୧୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ଶିବରାଜ ସିଂହ ଚୌହାନ୍‌ ଆଜି ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଛନ୍ତି। ନିର୍ବାଚନରେ ବିଜେପି ହାରିବା ଯୋଗୁ ତାଙ୍କୁ ଶକ୍ତ ଆଘାତ ଲାଗିଛି। ଏଭଳି ସମୟରେ ତାଙ୍କୁ ଜଣେ ସାମ୍ବାଦିକ କେନ୍ଦ୍ର ରାଜନୀତିରେ ସାମିଲ ହେବେ କି ବୋଲି ପ୍ରଶ୍ନ କରିବାରୁ ସେ ଆବେଗାତ୍ମକ ଢଙ୍ଗରେ ନକାରାତ୍ମକ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ କେନ୍ଦ୍ରକୁ ଆଦୌ ଯିବିନାହିଁ। ମଧ୍ୟ ପ୍ରଦେଶରେ ବଞ୍ଚିବି ଏବଂ ମଧ୍ୟ ପ୍ରଦେଶରେ ହିଁ ମରିବି। ମଧ୍ୟ ପ୍ରଦେଶ‌ରେ ବିଜେପି ପରାଜିତ ହୋଇଥିବା ବେଳେ ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ କିନ୍ତୁ ଦଳ ହାର୍‌ ମାନିବ ନାହିଁ। ଏଥିପାଇଁ ଠୋସ୍ ରଣନୀତି ପ୍ରସ୍ତୁତ କରିବ। ତେବେ ଶିବରାଜ ସିଂହ ଚୌହାନ୍‌ ନିଜ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ନେତୃତ୍ବ ନେଇପାରନ୍ତି ଏବଂ ସେ ମଧ୍ୟ ଏହି ନିର୍ବାଚନ ଲଢ଼ିପାରନ୍ତି ବୋଲି ଆଲୋଚନା ହେଉଛି। ରାଜ୍ୟର ୩ ଥର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ପାଞ୍ଚ ଥର ଲୋକସଭା ସାଂସଦ ରହିଥିଲେ।

ସମ୍ବନ୍ଧିତ ଖବର