ତିନି ରାଜ୍ୟର କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ ଅଖିଳେଶ, ମାୟାବତୀ

ନୂଆଦିଲ୍ଲୀ: ଆଗାମୀ ରାଜନୈତିକ ମହାମେଣ୍ଟ ନେଇ ସମଗ୍ର ଦେଶରେ ଗଂଗ୍ରେସ ନେତୃତ୍ୱରେ ମାନସ ମନ୍ଥନ ଚାଲିଛି। ଏ ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶ, ଛତଶଗଡ଼ ଓ ରାଜସ୍ଥାନରେ କଂଗ୍ରେସର ବିଜୟ ଏହି ମହାମେଣ୍ଟ ପାଇଁ ଏକ ବଳିଷ୍ଠ ଭିତ୍ତିଭୁମି ଯୋଗାଇ ଦେଇଛି। ଏପରିକି ଏହି ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳର ମୁଖ୍ୟମାନେ ଯୋଗ ଦେଇ କଂଗ୍ରେସ ନେତତ୍ୱାଧୀନ ମହାମେଣ୍ଟକୁ ସଫଳ ରୂପାୟନ ସହିତ ଶକ୍ତି ପ୍ରଦର୍ଶନ ପାଇଁ ଏକ ସପୂର୍ଣ୍ଣ ସୁଯୋଗ ବୋଲି ବିବେଚନା କରାଯାଉଛି। ଏ ପରିସ୍ଥିତିରେ ଗତକାଲି ତାମିଲନାଡ଼ୁର ଡିଏମକେ ସଭାପତି ଷ୍ଟାଲିନ୍‌ ରାହୁଳ ଗାନ୍ଧୀ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରି ଏହି ମହାମେଣ୍ଟକୁ ସାକାର ରୂପ ଦେବା ପାଇଁ ଉଦ୍ୟମ କରିଛନ୍ତି। ଏଭଳି ଅବସ୍ଥାରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ବହୁଜନ ସମାଜବାଦୀ ପାର୍ଟିର ଅଧ୍ୟକ୍ଷା ମାୟାବତୀ। ଗତକାଲି ତୃଣମୂଳ କଂଗ୍ରେସର ଅଧ୍ୟକ୍ଷା ମମତା ବାନାର୍ଜୀ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ ବୋଲି କହିଥିବା ବେଳେ ଆଜି ଅଖିଳେଶ ଯାଦବ ଓ ମାୟାବତୀଙ୍କ ଯୋଗ ନ ଦେବା ନିଷ୍ପତ୍ତି ଆଗାମୀ ରାଜନୀତିରେ ସେମାନଙ୍କ ଭୂମିକା ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ଛୁଇଁ ପାରି ନାହିଁ। ଏଥିପାଇଁ କଂଗ୍ରେସ ଦଳ ସହଯୋଗ ମାଗିବା ପୂର୍ବରୁ ମାୟାବତୀ ଓ ଅଖିଳେଶ ଯାଦବ ଏହି ଦୁଇ ରାଜ୍ୟରେ କଂଗ୍ରେସ ଦଳକୁ ସରକାର ଗଠନ ପାଇଁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ।

ଏହା ସତ୍ତ୍ୱେ ଆଜି ଏହି ଦୁଇ ରାଜ୍ୟ ସହିତ ଛତିଶଗଡ଼ରେ କଂଗ୍ରେସ ଦଳର ସରକାର ଗଠନ ସହିତ ମୁଖ୍ୟମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଏହି ଦୁଇ ପ୍ରମୁଖ ରାଜନେତା ଯୋଗ ଦେଉ ନ ଥିବା ଘୋଷଣା ରାଜନୈତିକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର