ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କ ଚାଞ୍ଚଲ୍ୟକର ଖୁଲାସା; ଏକ ମାମଲାରେ ରାୟ ନିଜ ସପକ୍ଷରେ ନେବା ପାଇଁ ତାଙ୍କୁ କରାଯାଉଥିଲା ପ୍ରଭାବିତ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟରେ ଆଜି ଏକ ମାମଲାର ଶୁଣାଣି ଚାଲିଥିବା କାଳରେ ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଏକ ଚାଞ୍ଚଲ୍ୟକର ଖୁଲାସା କରିବା ସହ ଏହି ମାମଲାର ଶୁଣାଣିରୁ ଓହରି ଯିବାକୁ ଚାହାନ୍ତି ବୋଲି ଖୋଲା କୋର୍ଟ ରୁମ୍‌ ଭିତରେ ସର୍ବ ସମ୍ମୁଖରେ ଘୋଷଣା କଲାପରେ ଏହାକୁ କେନ୍ଦ୍ରକରି ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲେଡ଼ନ ସୃଷ୍ଟି ହୋଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ହୋଟେଲ ରୟାଲ ପ୍ଲାଜାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଏକ କର୍ପୋରେଟ୍‌ ବିବାଦର ଶୁଣାଣି ସୁପ୍ରିମ୍‌ କୋର୍ଟରେ ଚାଲିଥିଲା। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର ଓ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ବିଚାର କରୁଥିଲେ। ତେବେ, ଆଜି ଏହି ମାମଲାର ଶୁଣାଣି ଆରମ୍ଭ ହେବା ପୂର୍ବରୁ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ କୋର୍ଟରୁମ୍‌ ଭିତରେ ସର୍ବସମ୍ମୁଖରେ କହିଲେ ଯେ ହୋଟେଲ ରୟାଲ ପ୍ଲାଜା ମାମାଲାରେ କେତେକ ଅଜ୍ଞାତ ବ୍ୟକ୍ତି ମୋତେ ବାରମ୍ବାର ଫୋନ୍‌ କରୁଛନ୍ତି। ଏବଂ ଏହି ମାମଲାରେ ମୋତେ ପ୍ରଭାବିତ କରି ମାମଲାର ରାୟ ସେମାନଙ୍କ ସପକ୍ଷରେ ନେବା ପାଇଁ ଉଦ୍ୟମ କରୁଛନ୍ତି। ଯାହାକି ଏକ ଗର୍ହିତ କାର୍ଯ୍ୟ। ସେଥିପାଇଁ ମୁଁ ମୋ ନିଜକୁ ଏହି ମାମଲାର ଶୁଣାଣିରୁ ପ୍ରତ୍ୟାହାର କରି ନେଉଛି। ଏବଂ ମୋ ବଦଳରେ ଅନ୍ୟ ବିଚାରପତିଙ୍କୁ ଏହି ମାମଲାର ଶୁଣାଣି ପାଇଁ ନିଯୁକ୍ତ କରାଯାଉ।

କୋର୍ଟରୁମ୍‌ରେ ସର୍ବସମ୍ମୁଖରେ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀଙ୍କ ଏପ୍ରକାରର ସ୍ୱୀକାରୋକ୍ତି ଶୁଣିବା ପରେ ସେଠାରେ ଉପସ୍ଥିତ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଠାରୁ ଆରମ୍ଭ କରି ସମସ୍ତ ଆଇନଜୀବୀ ଓ ଅନ୍ୟମାନେ ତଟସ୍ଥ ହୋଇ ରହି ଯାଇଥିଲେ। ଜଷ୍ଟିସ୍‌ ଅରୁଣ ମିଶ୍ର ଏକଥା ଶୁଣିବା ପରେ କହିଥିଲେ ଯେ ବିଚାରପତିମାନଙ୍କୁ ପ୍ରଭାବିତ କରିବା ପାଇଁ ଏ ପ୍ରକାରର ଆଚରଣ ହେଉଛି ସିଧାସଳଖ ଅଦାଲତର ଅବମାନନା। ଯଦି କେହି ଏପ୍ରକାର କାର୍ଯ୍ୟ କରନ୍ତି ତେବେ ଅଦାଲତ ଅବମାନା ଆଇନ୍‌ ଅନୁଯାୟୀ ତାଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ। ଏଥିସହ ଜଷ୍ଟସ୍‌ ଇନ୍ଦରା ବାନାର୍ଜୀଙ୍କୁ ପରାମର୍ଶ ଦେଇ ଜଷ୍ଟିସ୍‌ ଅରୁଣ ମିଶ୍ର ଏହି ମାମଲାର ଶୁଣାଣିରୁ ନିଜକୁ ଓହରାଇ ନନେଇ ବରଂ ଦୃଢ଼ତାର ସହ ନୀତିନିଷ୍ଠ ଭାବେ ମାମଲାର ଶୁଣାଣି କରିବାକୁ କହିଥିଲେ।

ସମ୍ବନ୍ଧିତ ଖବର