ପ୍ରଧାନ ବିଚାରପତିଙ୍କୁ ୨ ବିଚାରପତିଙ୍କ ଚିଠି

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟ ପ୍ରତି ଲୋକଙ୍କ ଆସ୍ଥା ଏବଂ ଏହି ଅନୁଷ୍ଠାନର ଭବିଷ୍ୟତ ନେଇ ପୂର୍ଣ୍ଣ ଖଣ୍ଡପୀଠରେ ଆଲୋଚନା କରିବାକୁ ଦୁଇ ଜଣ ବରିଷ୍ଠ ବିଚାରପତି ପୁଣି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ପତ୍ର ଲେଖିଛନ୍ତି। ପ୍ରଧାନ ବିଚାରପତିଙ୍କ ବିରୋଧରେ କଂଗ୍ରେସ ସମେତ ୭ଟି ବିରୋଧୀ ଦଳର ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟସଭା ଅଧ୍ୟକ୍ଷ ଖାରଜ କରିବାର ଦୁଇ ଦିନ ପରେ ବିଚାରପତି ରଂଜନ ଗୋଗୋଇ ଏବଂ ମଦନ ଲୋକୁର ପ୍ରଧାନ ବିଚାରପତିଙ୍କୁ ପତ୍ର ଲେଖି ପୂର୍ଣ୍ଣ ବେଞ୍ଚ୍‌ରେ ସଂସ୍ଥାଗତ ପ୍ରସଙ୍ଗ ନେଇ ବିତର୍କ ନିମନ୍ତେ ଆହ୍ଵାନ ଦେଇଛନ୍ତି। ବିରୋଧୀ ଦଳଙ୍କ ମହାଭିଯୋଗ ନୋଟିସକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ଖାରଜ କରିବା ପରେ ଏହାକୁ ନେଇ ସ୍ଥିତି ସରଗରମ ଥିବା ବେଳେ ଏବେ ଦୁଇ ବିଚାରପତିଙ୍କ ପତ୍ର ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଜଷ୍ଟିସ ଦୀପକ ମିଶ୍ର ଆସନ୍ତା ଅକ୍ଟେବାରରେ ଅବସର ନେବାକୁ ଥିବା ବେଳେ ତାଙ୍କ ପରେ ବରିଷ୍ଠତା ଭିତ୍ତିରେ ବିଚାରପତି ରଂଜନ ଗୋଗୋଇ ପ୍ରଧାନ ବିଚାରପତି ପଦ ଗ୍ରହଣ କରିବା ସମ୍ଭାବନା ରହିଛି।

ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ପତ୍ରରେ ଦୁଇ ବରିଷ୍ଠ ବିଚାରପତି ଉଲ୍ଲେଖ କରିଛନ୍ତି ଯେ ସର୍ବୋଚ୍ଚ ଅଦାଲତର ଭବିଷ୍ୟତ ନେଇ ପୂର୍ଣ୍ଣ ଖଣ୍ଡପୀଠରେ ଆଲୋଚନା ଜରୁରି। ସାମ୍ବିଧାନିକ ଏବଂ ସଂସ୍ଥାଗତ ପ୍ରସଙ୍ଗରେ ଚର୍ଚ୍ଚା କରି ସମାଧାନର ରାସ୍ତା ବାହାର କରିବାକୁ ସେମାନେ ଗୁରୁତ୍ୱାରୋପ କରିଛନ୍ତିି। ନ୍ୟାୟପାଳିକକୁ ନେଇ ଉଠିଥିବା ପ୍ରସଙ୍ଗର ସାର୍ବଜନୀନ ଗୁରୁତ୍ୱ ଦୃଷ୍ଟିରୁ ପୂର୍ଣ୍ଣ ବେଞ୍ଚରେ ଚର୍ଚ୍ଚା ହିଁ ସମସ୍ୟା ସମାଧାନ ଦିଗରେ ବଡ଼ ପଦକ୍ଷେପ ହେବ ବୋଲି ଏହି ପତ୍ରରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଅନ୍ୟ ଦୁଇ ଜଣ ବିଚାରପତିଙ୍କ ସହିତ ଏହି ଦୁଇ ବିଚାରପତି ଗତ ଜାନୁଆରି ୧୨ରେ ଏକ ଅପ୍ରତ୍ୟାଶିତ ସାମ୍ବାଦିକ ସମ୍ମିଳନୀରେ ସର୍ବୋଚ୍ଚ ନ୍ୟାୟାଳରେ ମାମଲା ଆବଣ୍ଟନଜନିତ ପ୍ରସଙ୍ଗ ଉଠାଇଥିଲେ ଏବଂ ପ୍ରଧାନ ବିଚାରପତିଙ୍କ ଅଧିକାରକୁ ନେଇ ପ୍ରଶ୍ନ କରିଥିଲେ। ଏହି ସମ୍ମିଳନୀରେ ସାମିଲ ଥିବା ଅନ୍ୟ ଦୁଇ ବିଚାରପତି ହେଲେ ଜଷ୍ଟିସ ଚେଲେମେଶ୍ୱର ଏବଂ କୁରିଏନ୍‌ ଜୋସେଫ୍‌। ମାର୍ଚ୍ଚ ୨୧ ତାରିଖରେ ଜଷ୍ଟିସ ଚେଲେମେଶ୍ୱର ସମସ୍ତ ବିଚାରପତିଙ୍କୁ ପତ୍ର ଲେଖି ବିଚାରପତି ନିଯୁକ୍ତିରେ ସରକାରଙ୍କ ହସ୍ତକ୍ଷେପକୁ ରୋକିବା ପାଇଁ ପୂର୍ଣ୍ଣ କୋର୍ଟରେ ଆଲୋଚନା ନିମନ୍ତେ ଗୁରୁତ୍ୱ ଦେଇଥିଲେ। କର୍ଣ୍ଣାଟକର ଜଣେ ବିଚାରପତିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯିବା ପରେ ଜଷ୍ଟିସ ଚେଲେମେଶ୍ୱର ଏହି ପତ୍ର ଲେଖିଥିଲେ। ତେବେ ପ୍ରଧାନ ବିଚାରପତି ଏହି ପତ୍ରର କୌଣସି ଜବାବ ଦେଇନଥିଲେ।

ସମ୍ବନ୍ଧିତ ଖବର