ନୂଆଦିଲ୍ଲୀ : କେନ୍ଦ୍ରାପଡ଼ା ବରିମୂଳ ଆଶ୍ରମରେ ଦୁଇ ମହିଳାଙ୍କୁ ଶାରୀରିକ ନିର୍ଯାତନା ଦେବା ମାମଲାରେ ଜେଲରେ ଥିବା ସନ୍ତୋଷ ରାଉଳ ଓରଫ ସାରଥୀଙ୍କ ଜାମିନ ଆବେଦନକୁ ଆଜି ସୁପ୍ରିମକୋର୍ଟରେ ଏନ.ଭି.ରମନ୍ନା ଓ ବିଚାରପତି ଏସ.ଅବଦୁଲ ନଜିରଙ୍କ ଖଣ୍ଡପୀଠ ଖାରଜ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଅକ୍ଟୋବର ୧୩ ତାରିଖରେ ସାରଥୀ ଏହି ମାମଲାରେ ଜାମିନ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର, ହାଇକୋର୍ଟରେ ଜାମିନ୍ ପାଇବାରେ ବିଫଳ ହେବା ପରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ତେବେ ସାରଥୀଙ୍କ ଜାମିନ ଆବେଦନକୁ ବିରୋଧ କରି ସୁପ୍ରିମକୋର୍ଟରେ କ୍ରାଇମବ୍ରାଞ୍ଚ ସତ୍ୟପାଠ ଦାଖଲ କରିଥିଲା। ଅଭିଯୋଗକାରୀ ମା’-ଝିଅଙ୍କୁ ସାରଥୀଙ୍କ ସହଯୋଗୀମାନେ ଧମକ ଦେଉଥିବା ନେଇ ରାଜ୍ୟ ସରକାରଙ୍କ ଓକିଲ ସଞ୍ଜିବ ପାଣିଗ୍ରାହୀ କୋର୍ଟଙ୍କୁ ଅବଗତ କରାଇଥିଲେ। ଅନ୍ୟପକ୍ଷରେ, ସାରଥୀଙ୍କ ବିରୋଧରେ ଆସିଥିବା ଅଭିଯୋଗର କୌଣସି ପ୍ରମାଣ ନଥିବାରୁ ତାଙ୍କ ଜାମିନ ଆବଦେନକୁ ମଞ୍ଜୁର କରିବା ପାଇଁ ବରିଷ୍ଠ ଆଇନଜୀବୀ ଆର.ବସନ୍ତ ଓ ଡ଼.ସୁଶାନ୍ତ କାନୁନଗୋ ଯୁକ୍ତି ବାଢିଥିଲେ। ଶେଷରେ ଖଣ୍ଡପୀଠ ସାରଥୀଙ୍କ ଜାମିନ୍ ଆବେଦନକୁ ଖାର୍ କରି ଦେଇଛନ୍ତି। ଉଲ୍ଳେଖଯୋଗ୍ୟ, ଏକାଧିକ ଅଭିଯୋଗ ଆଧାରରେ ୨୦୧୫ ମସିହା ଅଗଷ୍ଟ ୮ ତାରିଖ ଦିନ କ୍ରାଇମବ୍ରାଞ୍ଚ ସାରଥୀଙ୍କୁ ଗିରଫ କରିଥିଲା।