ବିଷ ପିଉଛି ପ୍ରେମର ପ୍ରତୀକ

0 154

ନୂଆଦିଲ୍ଲୀ: ମୋଗଲ ସ୍ଥାପତ୍ୟ କଳାର ଅନନ୍ୟ ନିଦର୍ଶନ ଏବଂ ବିଶ୍ୱର ଷଷ୍ଠ ଶ୍ରେଷ୍ଠ ଆଶ୍ଚର୍ଯ୍ୟ ତାଜ୍‌ ମହଲ୍‌। କେତେବେଳେ ଏହା ‘ପ୍ରେମର ପ୍ରତୀକ’ ସାଜି ପ୍ରେମର ଭାବନା ସୃଷ୍ଟି କରେ ତ କେବେ ଏହା ନିଜର ଅପୂର୍ବ ସୌନ୍ଦର୍ଯ୍ୟ ବଳରେ ଲୋକଙ୍କୁ ଆକର୍ଷଣ କରେ। ଏହି ଅପୂର୍ବ, ମନୋରମ ତଥା ଅନନ୍ୟ ଐତିହ୍ୟ ନିଜ ଚମକ ହରାଇବାକୁ ବସିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ଟାଣିଆଣି ନିଜ ଅପରୂପ ସୌନ୍ଦର୍ଯ୍ୟରେ ବିମୋହନ କରିଆସୁଥିବା ଏହି ସ୍ମାରକ ଏବେ ଧ୍ୱଂସାଭିମୁଖୀ ହୋଇପଡ଼ିଛି। ପ୍ରଶାସନିକ ସ୍ଥାଣୁତା, ଦ୍ରୁତ ସହରୀକରଣ ଓ ଶିଳ୍ପାୟନ ଯେମିତି ଏହାକୁ ବ୍ୟାଧି ଭଳି ମାଡ଼ିବସିଲାଣି। ଶ୍ୱେତ ରଙ୍ଗର ଏହି ସ୍ମାରକ ପ୍ରଦୂଷଣର ବିଷ ବଳୟ ମଧ୍ୟରେ ରହି ପ୍ରଥମେ ହଳଦିଆ ହୋଇଥିଲା। ପରେ ସବୁଜ ଓ ଧୂସର ରଙ୍ଗ ଆଡ଼କୁ ଗତି କରୁଛି। ଠିକଣା ସମୟରେ ଏହାର ଯଦି ସୁରକ୍ଷା ଓ ସଂରକ୍ଷଣ କରାନଯାଏ, ତେବେ ଏହା ସଂପୂର୍ଣ୍ଣ ଧ୍ୱଂସ ପାଇଯିବ ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ ଆଶଙ୍କା କଲେଣି।

ବର୍ତ୍ତମାନ ସ୍ଥିତି କ’ଣ
ଏକ ସଦ୍ୟ ଶୁଣାଣିରେ ସୁପ୍ରିମ୍‌କୋର୍ଟ ପୁଣି ଉତ୍ତର ପ୍ରଦେଶ, କେନ୍ଦ୍ର ସରକାର ଓ ଅନ୍ୟ ପକ୍ଷଙ୍କ ନିକଟରୁ ପରାମର୍ଶ ଲୋଡ଼ିଥିବା ବେଳେ ସପ୍ତାହକ ମଧ୍ୟରେ ‘ଭିଜନ୍‌ ଡକ୍ୟୁମେଣ୍ଟ’ ଦାଖଲ ପାଇଁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୨୪ରେ ୟୁପି ସରକାର ଚିଠା ଭିଜନ୍‌ ଡକ୍ୟୁମେଣ୍ଟ ଦାଖଲ କରିଥିଲେ ହେଁ, ଏହା ପୂର୍ଣ୍ଣାଙ୍ଗ ନଥିଲା ଏବଂ ପ୍ରଦୂଷଣ ଦିଗକୁ ଏଥିରେ ସଂପୂର୍ଣ୍ଣ ଅଣଦେଖା କରାଯାଇଥିଲା। ଏଏସ୍‌ଆଇର ପରାମର୍ଶ ବି ନିଆଯାଇନଥିଲା। ତେବେ ଯଦି ପ୍ରଶାସନିକ କ୍ଷେତ୍ରରେ ଏହିଭଳି ଭାବେ ଅବହେଳା ପ୍ରଦର୍ଶନ ଜାରି ରହେ, ତେବେ ଦିନ ଆସିବ, ତାଜ୍‌ ମହଲ୍‌ ଏହାର ପୂର୍ବ ସୌନ୍ଦର୍ଯ୍ୟ ହରାଇ ବସିବ ଏବଂ ୟୁନେସ୍କୋ ଏହାକୁ ବିଶ୍ୱ ଐତିହ୍ୟ ମାନ୍ୟତାରୁ ବାଦ୍‌ ଦେବ ବୋଲି ବୁଦ୍ଧିଜୀବୀ ମହଲରେ ଭାଳେଣି ପଡ଼ିଲାଣି।

ଟିଟିଜେଡ୍‌ ପ୍ରାଧିକରଣ ଫ୍ଲପ୍‌
ତାଜ୍‌ ମହଲ୍‌କୁ ପ୍ରଦୂଷଣ ବିପଦ କମାଇବା ପାଇଁ ୧୦,୪୦୦ ବର୍ଗକିଲୋମିଟର ବଳୟରେ ତାଜ୍‌ ଟ୍ରାପେଜିୟମ୍‌ ଜୋନ୍‌ (ଟିଟିଜେଡ୍‌) ସୃଷ୍ଟି କରାଯାଇଥିଲା। ଏହି ବଳୟ ମଧ୍ୟରେ କଳାକାରଖାନା ମାତ୍ରା କମାଇବା ଏବଂ ଟ୍ରାଫିକ୍‌ ସମସ୍ୟାକୁ ହ୍ରାସ ଭଳି ଲକ୍ଷ୍ୟ ରହିଥିଲା। ୧୯୯୬ରେ ସର୍ବୋଚ୍ଚ ଅଦାଲତଙ୍କ ଏକ ଆଦେଶ ବଳରେ ଗଠିତ ଟିଟିଜେଡ୍‌ ପ୍ରାଧିକରଣ ଫ୍ଲପ୍‌ ହୋଇଛି। ଟିଟିଜେଡ୍‌ ଅଞ୍ଚଳରେ ୟୁପିର ଆଗ୍ରା, ଫିରୋଜାବାଦ, ମଥୁରା, ହାଥରସ୍‌ ଏବଂ ଏଟା ତଥା ରାଜସ୍ଥାନର ଭରତପୁର ଜିଲ୍ଲା ବି ସାମିଲ ରହିଛି। ତେବେ ସୁପ୍ରିମ୍‌କୋର୍ଟ କହିଛନ୍ତି, ୧୯୯୬ରେ ଟିଟିଜେଡ୍‌ ବଳୟରେ ୫୧୧ଟି ଶିଳ୍ପସଂସ୍ଥା ରହିଥିଲା ବେଳେ ବର୍ତ୍ତମାନ ଏହା ୧,୧୬୭କୁ ବୃଦ୍ଧି ପାଇଛି। ଏଭଳି ପ୍ରାଧିକରଣ ସୃଷ୍ଟି କରିବାର ମାନେ କ’ଣ ବୋଲି ସୁପ୍ରିମ୍‌କୋର୍ଟ ପ୍ରଶ୍ନ କରିଛନ୍ତି।

ଉତ୍କଟ ହେଉଛି ଯମୁନା ଯନ୍ତ୍ରଣା
ୟୁପିର ଆଗ୍ରା ସହରରେ ଲୋକସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ବିପୁଳ ପ୍ଲାଷ୍ଟିକ୍‌ ଓ ଅନ୍ୟ ବର୍ଜ୍ୟ ସୃଷ୍ଟି ହେଉଛି। ବିଭିନ୍ନ ନାଳନର୍ଦ୍ଦମା ଜରିଆରେ ଏହି ବର୍ଜ୍ୟ ଯମୁନା ପାଣିରେ ମିଶୁଛି। ତା’ବାଦ୍‌ ଶିଳ୍ପସଂସ୍ଥାଗୁଡ଼ିକର ବିଷାକ୍ତ ରାସାୟନିକ ବର୍ଜ୍ୟ ମଧ୍ୟ ଏଥିରେ ମିଶୁଛି। ଫଳରେ ଯମୁନା ଜଳ ପ୍ରଦୂଷିତ ହୋଇ ବାୟୁମଣ୍ଡଳକୁ ଖରାପ କରୁଛି। ଏମିତି କି ଏହି ମଇଳା ପାଣିରେ ଏକପ୍ରକାର ପୋକ ବଂଶବିସ୍ତାର କରି ପାରିପାର୍ଶ୍ୱିକ ଅଞ୍ଚଳକୁ ନଷ୍ଟ କରୁଛି। ଯମୁନା ନଦୀ କୂଳରେ ଥିବା ତାଜ୍‌ ମହଲ୍‌କୁ ବି ଏହି ପୋକ ଛାଡୁନାହିଁ। ଏହି ପୋକର ପ୍ରାଦୁର୍ଭାବ ଯୋଗୁ ତାଜ୍‌ ମହଲ୍‌ର ରଙ୍ଗ ବଦଳିବା ସହିତ ଏହାର ଉପରିଭାଗ ଚମକ ହରାଇବାରେ ଲାଗିଛି। ଏ ଦିଗରେ କୌଣସି ଠୋସ୍‌ ପଦକ୍ଷେପ ଏଯାଏ ନିଆନଯିବା ପରିତାପର ବିଷୟ ହୋଇଛି।

ପ୍ରତିବର୍ଷ ଆସୁଛନ୍ତି ୮ ଲକ୍ଷ ପର୍ଯ୍ୟଟକ
ପ୍ରତିବର୍ଷ ୮ ଲକ୍ଷରୁ ଅଧିକ ପର୍ଯ୍ୟଟକ ଏହି ସ୍ମାରକକୁ ଦେଖିବାକୁ ଆସୁଛନ୍ତି। ଏହାର ସୁନ୍ଦର ମାର୍ବଲ୍‌ ମୁଖ, ସ୍ତମ୍ଭ ଏବଂ ସବୁଜମୟ ବଗିଚା ସେମାନଙ୍କୁ ବାନ୍ଧି ରଖୁଛି। କିନ୍ତୁ ପ୍ରଦୂଷଣ ଯୋଗୁ ତାଜ୍‌ ମହଲ୍‌ ଦ୍ରୁତ ବେଗରେ ଖରାପ ହେବାରେ ଲାଗିଛି। ଏହାର ସୁରକ୍ଷା ଦିଗରେ ଠୋସ୍‌ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.