ତାମିଲନାଡ଼ୁ କ୍ୟାବିନେଟ୍‌ ସୁପାରିସ : ମୁକ୍ତ ହେବେ ରାଜୀବ ହତ୍ୟାକାରୀ

ଚେନ୍ନାଇ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମସ୍ତ ସାତ ଜଣ ହତ୍ୟାକାରୀଙ୍କୁ ଖଲାସ କରିବା ପାଇଁ ତାମିଲନାଡ଼ୁର ଆନ୍ନାଡିଏମ୍‌କେ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଜ୍ୟପାଳ ବନଓ୍ଵାରୀ ଲାଲ ପୁରୋହିତଙ୍କୁ ସୁପାରିସ କରାଯାଇଥିବା ଜଣାପଡ଼ିଛି। ତେବେ ଏହି ହତ୍ୟାକାରୀମାନେ ମୁକ୍ତି ପାଇବେ କି ନାହିଁ ସେସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତି ଦେବାକୁ ଦୃଢ଼ ବିରୋଧ କରୁଛନ୍ତି। କ୍ଷମା ପ୍ରାର୍ଥନା କରିଥିବା ଜଣେ ହତ୍ୟାକାରୀର ପିଟିସନକୁ ବିରୋଧ କରି ଗତମାସ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ କହିଥିଲେ ଯେ ରାଜୀବ ହତ୍ୟାକାଣ୍ଡ ଥିଲା ସବୁଠାରୁ ବୀଭତ୍ସ ଓ ଘୃଣ୍ୟ। ଏଭଳି ହତ୍ୟାକାରୀଙ୍କୁ ମୁକ୍ତ କରାଗଲେ ଭବିଷ୍ୟତ ପାଇଁ ଖରାପ ପରଂପରା ସୃଷ୍ଟି କରିବ। କେବଳ ଏତିକି ନୁହେଁ ବିଶ୍ୱରେ ମଧ୍ୟ ଦେଶର ଭାବମୂର୍ତି କ୍ଷୁଣ୍ଣ ହେବ। ତେଣୁ ସେମାନଙ୍କ ମୁକ୍ତିକୁ ବିରୋଧ କରି ସରକାର ଦୃଢ଼ ଯୁକ୍ତି ଦର୍ଶାଇଥିଲେ।
ସୂଚନାଯୋଗ୍ୟ ଯେ ୧୯୯୧ ମେ ୨୧ ତାରିଖରେ ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଏଲଟିଟିଇର ମାନବ ବୋମା ଧନୁର ବିସ୍ଫୋରଣରେ ରାଜୀବ ଗାନ୍ଧୀ ପ୍ରାଣ ହରାଇଥିଲେ। ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଥିଲା। ଗତ ୨୭ ବର୍ଷ ହେଲା ସେମାନେ ଜେଲରେ ଅଛନ୍ତି। ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ମିଳିଥିଲା। ତେବେ ସୁପ୍ରିମ କୋର୍ଟ ୨୦୧୪ରେ ସେମାନଙ୍କର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ।

ଇତିମଧ୍ୟରେ ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା କହିଥିଲେ ଯେ ସେମାନେ ତାଙ୍କ ପିତାଙ୍କ ହତ୍ୟାକାରୀଙ୍କୁ କ୍ଷମା କରିଦେଇଛନ୍ତି। ଏପରିକି ପ୍ରିୟଙ୍କା ଜେଲ ଯାଇ ରାଜୀବ ହତ୍ୟାକରୀ ନଳିନୀଙ୍କୁ ମଧ୍ୟ ଭେଟିଥିଲେ। ତାମିଲନାଡ଼ୁ ସରକାର ସେମାନଙ୍କୁ ମୁକ୍ତ କରିବା ଲାଗି ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ କେନ୍ଦ୍ର ସରକାର ଏହାର ଦୃଢ଼ ବିରୋଧ କରୁଛନ୍ତି।

ସମ୍ବନ୍ଧିତ ଖବର